ରାଜଧାନୀରେ ଲଭ ଜିହାଦ୍ ଘଟଣା; ଜେଲ ଗଲା ଅଭିଯୁକ୍ତ

ଭୁବନେଶ୍ୱର, ୯ା୧୧ : ରାଜଧାନୀରେ ଲଭ୍ ଜିହାଦ ଘଟଣା ସାମନାକୁ ଆସିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମୀର ମନସୁରଙ୍କୁ ଗତକାଲି ପୁଲିସ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି । କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତଙ୍କ ମେଡିକାଲ ଚେକଅପ୍ କରାଯାଇଛି ।
ଆଜି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ପୀନାକ ମିଶ୍ର କହିଛନ୍ତି, ଅଭିଯୁକ୍ତଙ୍କ ଘର ବିହାରର ଚମ୍ପାରନରେ ହୋଇଥିବା ବେଳେ ସେ କଶ୍ମୀରରେ ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲେ । ଅନଲାଇନ୍ ଗେମ୍ ଜରିଆରେ ପୀଡିତାଙ୍କ ସହ ତାଙ୍କର ଚିହ୍ନା ହୋଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ କରିବାକୁ ପୁଲିସ ତାଙ୍କର ଦୁଇଟି ମୋବାଇଲ, ଆଧାର କାର୍ଡ, ପ୍ୟାନ କାର୍ଡ ଆଦି ଜବତ କରିଛି । ମୋବାଇଲ ଦୁଇଟିକୁ ଫରେନସିକ୍ ଲ୍ୟାବକୁ ପଠାଯାଇଥିବା ବେଳେ ସେଠାରୁ ଠୋସ୍ ପ୍ରମାଣ ମିଳିପାରେ ବୋଲି କହିଛନ୍ତି ଡିସିପି । ଅଭିଯୁକ୍ତ ସମୀର ମନସୁର ନିଜ ପରିଚୟ ଗୋପନ ରଖି ପୀଡିତାଙ୍କ ସହ ସମ୍ପର୍କ ବଞ୍ଚାଇଥିଲେ । ସମୀର ୨୦୨୪ ମାର୍ଚ୍ଚ ମାସରେ ଓଡିଶା ଆସିଥିବା ବେଳେ ପୁରୀରେ ଯୁବତୀଙ୍କ ସହ ଏକ ହୋଟେଲ ରୁମ୍ରେ ରହିଥିଲେ । ସେଠାରେ ସମୀରଙ୍କ ପ୍ରକୃତ ନାଁ ସମୀର ମାନସୁର ବୋଲି ପୀଡିତା ଜାଣିବାକୁ ପାଇଥିଲେ । ପୀଡିତା ହୋଟେଲ ରୁମରୁ ଖସିବାକୁ ଚେଷ୍ଟା କରୁଥିବା ବେଳେ ସମୀର ବଳପୂର୍ବକ ଧମକ ଚମକ ଦେଇ ଧର୍ମ ପରିବର୍ତ୍ତନ କରି ବିବାହ ନିମନ୍ତେ ତାଙ୍କୁ ବାଧ୍ୟ କରିଥିଲେ । ସେଠାରେ ବଳପୂର୍ବକ ସମୀର ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଏହାପରେ ଯୁବତୀ ଜଣକ କୌଶଳ କରି ହୋଟେଲରୁ ଖସି ଘରକୁ ପଳାଇ ଯାଇଥିଲେ । ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ଡିସିପି କହିଛନ୍ତି । ଏହାପରେ ପ୍ରତିଶୋଧ ପରାୟଣା ହୋଇପଡିଥିବା ସମୀର ଯୁବତୀଙ୍କ ସହ କାଟିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଇନ୍ଷ୍ଟାଗ୍ରାମରେ ଅପ୍ଲୋଡ୍ କରିବା ସହ ତାଙ୍କ ବାପାଙ୍କ ପାଖକୁ ପଠାଇଥିଲେ । ୫ ଲକ୍ଷ ଟଙ୍କା ନ ଦେଲେ ପର୍ଣ୍ଣ ସାଇଟ୍ରେ ଭିଡିଓ ଅପ୍ଲୋଡ୍ କରିଦେବ ବୋଲି ଧମକ ବି ଦେଇଥିଲା । ଲୋକ ଲଜ୍ଜା ଭୟରେ ସମୀରଙ୍କ ସବୁ କଥାକୁ ପୀଡିତାଙ୍କ ପରିବାର ସ୍ୱୀକାର କରି ନେଇଥିଲେ ଯୁବତୀଙ୍କ ପରିବାର ଲୋକ । ପୀଡିତା ଏନେଇ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ତାଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିଲା । ପୀଡିତା ବିବାହ ପାଇଁ ରାଜି ହେବା ସହ ସମୀରଙ୍କୁ ଓଡିଶା ଡାକିଥିଲେ । ଫଳରେ ସେ ଓଡିଶା ଆସିବାରୁ ଗତକାଲି ତାଙ୍କୁ ପୁଲିସ ମାଡି ବସିଥିଲା ବୋଲି କହିଛନ୍ତି ଡିସିପି ।