ସାଇବର ପୁଲିସ ଜାଲରେ ସ୍ୱାମୀ ସ୍ତ୍ରୀ ଗ୍ୟାଙ୍ଗ୍ର ୪ ଠକ

ସାଇବର ପୁଲିସ ଜାଲରେ ସ୍ୱାମୀ ସ୍ତ୍ରୀ ଗ୍ୟାଙ୍ଗ୍ର ୪ ଠକ


ଭୁବନେଶ୍ୱର, ୧୮ା୪ : କମିଶନରେଟ ପୁଲିସ ଜାଲରେ ସ୍ୱାମୀ ସ୍ତ୍ରୀ ଗ୍ୟାଙ୍ଗ୍ର ଚାରି ଠକ । ଟେଲିଗ୍ରାମ ଜରିଆରେ ଲୋକଙ୍କୁ ଲଗାଉଥିଲେ ଚୁନ । ଭୁବନେଶ୍ୱରରେ ବସି ସାରା ବିଶ୍ୱର ଲୋକଙ୍କୁ କରୁଥିଲେ ଠକେଇ । ଏମିତିକା ଏକ ଠକ ଗ୍ୟାଙ୍ଗ୍କୁ ଧରିଛି କମିଶନରେଟ ପୁଲିସର ସାଇବର ଥାନା ପୁଲିସ । ଗିରଫ ଅଭିଯୁକ୍ତ ମାନେହେଲେ ଗଞ୍ଜାମ ଜିଲ୍ଲାର ତୃପ୍ତି ରଞ୍ଜନ ପାତ୍ର ଓ ବନଲତା ସାହୁ ଏମାନେ ଉଭୟ ହେଉଛନ୍ତି ସ୍ୱାମୀ ସ୍ତ୍ରୀ । ଅନ୍ୟ ଦୁଇଜଣ ସହଯୋଗୀ ହେଲେ ବଲାଙ୍ଗୀର ଜିଲ୍ଲାର ମାନସ ରଞ୍ଜନ ସୁନା ଓ କଣ୍ଟିଲୋ ଗ୍ରାମର ନିହାର ରଞ୍ଜନ ପାଇକରାୟ ।
 ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ତୃପ୍ତି ରଞ୍ଜନ ପାତ୍ର ଓ ବନଲତା ସାହୁ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଏକାମ୍ର ବିହାରରେ ରହୁଥିଲେ । ଏମାନଙ୍କୁ ଏଠାରେ ସହଯୋଗ କରୁଥିଲେ ବଲାଙ୍ଗିର ଜିଲ୍ଲାର ମାନସ ରଞ୍ଜନ ସୁନା ଓ ନିହାର ରଞ୍ଜନ ପାଇକରାୟ । ଏହି ୪ ଜଣ ଠକ ଭୁବନେଶ୍ୱରରେ ବସି ସାରା ବିଶ୍ୱର ଲୋକଙ୍କୁ ଏମାନେ ବିଭିନ୍ନ ପ୍ରକାରର ଚାକିରି ଏବଂ ଘରେ ବସି ଟଙ୍କା ରୋଜଗାର କରିବାର ତରିକା ବତାଇ ପ୍ରଥମେ କିଛି ଟଙ୍କା ଦେଇ ପରେ ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା କରୁଥିଲେ ଠକେଇ । ଏମାନେ ପ୍ରଥମେ ଇଷ୍ଟ୍ରାଗ୍ରାମରେ ଲୋକଙ୍କୁ  ଗ୍ରୁପ୍ରେ ଯୋଡି ପରେ ସମସ୍ତଙ୍କୁ ସ୍କିମ୍ରେ ଇନଭେଷ୍ଟମେଣ୍ଟ କରି ୨୦ ପ୍ରତିଶତ ହାରରେ ଲାଭ ଟଙ୍କା ପାଇବା ନେଇ ଦିଆ ଯାଉଥିଲା ଲୋଭନୀୟ ଅଫର । ଫଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ଲୋକଙ୍କୁ ଲଗାଇଥିଲେ ଚୁନ । ସେହିଭଳି ଗତ ୧୧ ତାରିଖରେ ମଞ୍ଚେଶ୍ୱର ଥାନା ବରୀମୁଣ୍ଡ ଅଞ୍ଚଳର ଅବଦୁଲ ଆକବର ଖାନ ଏମାନଙ୍କ ଜାଲରେ ଫସି ଠକେଇର ଶିକାର ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ । ପାଖାପାଖି ୧୧ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ । ପରେ ସାଇବର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ବୁଧବାର ରାତିରେ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ଅଞ୍ଚଳରୁ ଗିରଫ କରାଯାଇଛି । ତଦନ୍ତ ବେଳେ ସେମାନଙ୍କ ଠାରୁ ୪୬ଟି ମୁ୍ୟଲ୍ ଆକାଉଣ୍ଟ, ମୁଖ୍ୟ ଅଭିଯୁକ୍ତ ଠାରୁ ଗୋଟିଏ ମୋବାଇଲ ଜବତ ହୋଇଛି । ତାହାସହ ଆକାଉଣ୍ଟ ନେଣଦେଣ ସମ୍ପର୍କିତ ତଥ୍ୟ ମଧ୍ୟ ଜବତ କରିଛି ସାଇବର ପୁଲିସ ।