କ’ଣ ରହିବ ଶାହାଙ୍କ ରଣନୀତି ? ଗରମ ନା ନରମ
Amit Saha, Odisha BJP
ଭୁବନେଶ୍ୱରରୁ ରାମଚଣ୍ଡୀ ପ୍ରସାଦ ରଣସିଂହ : ସୋନପୁରରେ କ’ଣ କହିବେ ବିଜେପି ରଣନୀତିକାର ଅମିତ ଶାହା ? ୨୦୧୯ ଭଳି ବିଜୁ ଜନତା ଦଳକୁ ଶାଣିତ ଆକ୍ରମଣ କରିବେ ନା ନରମ ଆଭିମୁଖ୍ୟ ପୋଷଣ କରିବେ । ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଉପରେ ବର୍ଷିବେ ନା ରାଜ୍ୟ ସରକାରଙ୍କ ବିଷୟରେ କହିବେ ? ତାହାକୁ ନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଆସନ୍ତାକାଲି ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବା ସହ ସୋନପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରଥମ କେନ୍ଦ୍ରୀୟ ନେତା ଭାବେ ଶାହା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ନିକଟରେ ସେ ବିଜେଡ଼ି ସହ ମୁହାଁମୁହିଁ ଲଢେ଼ଇ ହେବବୋଲି କହିଛନ୍ତି । ରାଜ୍ୟ ବିଜେପି ବି ବିଜେଡ଼ିକୁ ଶାଣିତ ଆକ୍ରମଣ ଜାରିରଖିଛି । ଏହି ପରିପ୍ରେକ୍ଷୀରେ ଅମିତ ଶାହାଙ୍କ ବକ୍ତବ୍ୟ ରାଜ୍ୟ ରାଜନୀତିର ମାହୋଲ ସମ୍ପର୍କରେ ଅନେକ କିଛି ଇଙ୍ଗିତ କରିବ ।
ଏକ ସମୟରେ ବିଜେଡ଼ି ଓ ବିଜେପି ମଧ୍ୟରେ ମେଣ୍ଟ ହେବବୋଲି ଚର୍ଚ୍ଚା ହେଉଥିଲା । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ବିଜେଡ଼ିକୁ ସାଥିରେ ନେବା ପାଇଁ ଚାହୁଁଥିଲେ । ବିଜେଡ଼ି ମଧ୍ୟ ଏନେଇ ଆଗ୍ରହ ପ୍ରକାଶ କରିଥିଲା । ଯେଉଁଥିପାଇଁ ପ୍ରାୟ ପନ୍ଦର ଦିନ ଧରି ରାଜ୍ୟ ରାଜନୀତିକୁ ମେଣ୍ଟ ଚର୍ଚ୍ଚା ଆଚ୍ଛାଦିତ କରି ରଖିଥିଲା । କିନ୍ତୁ ପରେ ମନ୍ତ୍ରୀ ପଦ ଓ ଭାଗବଣ୍ଟୁରାକୁ ନେଇ ମେଣ୍ଟ ସମ୍ଭାବନା ଠପ୍ ହୋଇଯାଇଥିଲା ।
ଆଜିଠାରୁ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିଦେଇଛନ୍ତି । ସାଧାରଣତଃ ନବୀନ ବିରୋଧୀଙ୍କୁ ବିଜେପି ନେତାଙ୍କ ଭଳି କଟାକ୍ଷ ବା କଠୋର ଶବ୍ଦ ପ୍ରୟୋଗ କରନ୍ତି ନାହିଁ । କିନ୍ତୁ ଅତୀତରେ ସେ କେନ୍ଦ୍ର ସରକାର ଅବା ବିଜେପିର ନାଁ ନେଇ ପ୍ରଚାର କରିବାର ନଜିର ରହିଛି । ତେବେ ଆଜିର ପ୍ରଚାର ସଭାରେ ନବୀନ ବିଜେପି କି କଂଗ୍ରେସର ନାଁ ଧରିନଥିଲେ । ଭାଷଣ ଶେଷ ଆଡ଼କୁ ବିରୋଧୀ ଅଯଥା ରାଜନୀତି କରୁଥିବାବେଳେ ଅପପ୍ରଚାର କରୁଛନ୍ତି । ସେମାନଙ୍କ ବିକାଶ ବିରୋଧୀ ହୋଇଥିବାବେଳେ ସେମାନଙ୍କ ଅସଲ ରୂପକୁ ଲୋକମାନେ ଜାଣିଛନ୍ତି ବୋଲି କହିଥିଲେ । ବାସ୍ ନବୀନଙ୍କ ଅଭିଭାଷଣର ୯୫% କେବଳ ରାଜ୍ୟ ସରକାରଙ୍କ ଭିଜନ ଉପରେ ପର୍ଯ୍ୟବସିତ ଥିଲା ।
ଅପରପକ୍ଷରେ ଅମିତ ଶାହା ହେଉଛନ୍ତି ନବୀନଙ୍କ ସମ୍ପୂର୍ଣ୍ଣ ବିପରୀତ । ସେ ପ୍ରଚାର ବେଳେ ବିରୋଧୀଙ୍କୁ କଠୋର ଭାଷାରେ ସମାଲୋଚନା କରନ୍ତି । ୨୦୧୯ ବେଳେ ସେ ନବୀନଙ୍କୁ ପୋଡ଼ା ଟ୍ରାନ୍ସଫର୍ମର, ଉଖାଡେ଼ କେ ଫେଁକ ଦୋ ଭଳି ଶବ୍ଦ ପ୍ରୟୋଗ କରିଥିଲେ । ଏବେ କିନ୍ତୁ ସ୍ଥିତି ବଦଳିଯାଇଛି । ୨୦୧୯ ପରେ ନବୀନଙ୍କର ମୋଦି ଓ ଶାହାଙ୍କ ସହ ସୁସମ୍ପର୍କ ଗଢ଼ିଉଠିଛି । ତେଣୁ ଶାହା ଏବେ କ’ଣ କହିବେ ତାହା ଉପରେ ନଜର ରହିଛି । ସେ ଗରମ ହେବେ ନା ନରମ ସେହି ପ୍ରଶ୍ନ ଏବେ ରାଜନୀତିକ ଅଳିନ୍ଦରେ ଘୂରିବୁଲୁଛି ।