ବିଧାୟକଙ୍କ ମଧ୍ୟରୁ ହେବେ ମୁଖ୍ୟମନ୍ତ୍ରୀ
Odisha BJP
ଭୁବନେଶ୍ୱର : ବିଜେପିର ବଡ଼ ବଡ଼ ନେତାଙ୍କ ସ୍ୱପ୍ନ ଭାଙ୍ଗିଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପର୍ଯ୍ୟନ୍ତ, ସମସ୍ତେ ମୁଖ୍ୟମନ୍ତ୍ରୀ ରେସ୍ରେ ଥିଲେ । କିନ୍ତୁ ଏବେ ବିଧାୟକଙ୍କ ମଧ୍ୟରୁ ହିଁ ମୁଖ୍ୟମନ୍ତ୍ରୀ ବଛା ହେବେ । ଯାହାକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଯାଇଛି । ଚଳିତ ବିଧାନସଭା ନିର୍ବାଚନରେ ବିଜେପିର ଅନେକ ଟାଣୁଆ ନେତା ନିର୍ବାଚିତ ହୋଇଛି । ପଶ୍ଚିମ ଓଡ଼ିଶାରୁ ଟାଣୁଆ ନେତା କନକବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀ, ଜୟ ନାରାୟଣ ମିଶ୍ର ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ସେହିପରି ମୋହନ ମାଝୀ ମଧ୍ୟ ପୁଣିଥରେ ବାଜିମାତ୍ କରିଛନ୍ତି । ଉପକୂଳରେ କିନ୍ତୁ ଅଧିକ ଥର ନିର୍ବାଚିତ ହୋଇଥିବା ବିଜେପି ନେତା ନାହାନ୍ତି । ଯଦି ରାଜନୀତିକ ସଫଳତା ଓ ଦଳରେ ଦବଦବାକୁ ବିଚାରକୁ ନେବା ତେବେ ପଶ୍ଚିମରେ ହିଁ ଟାଣୁଆ ନେତା ଅଛନ୍ତି । ସେପଟେ ଲୋକସଭାରେ ଗତଥର ଭଳି ଏଥର ମଧ୍ୟ ପଶ୍ଚିମ ଓଡ଼ିଶାରେ ବିଜେପି ସାଂସଦମାନେ ଏକପାଖିଆ ବାଜିମାତ୍ କରିଛନ୍ତି । ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେନ୍ଦ୍ରମନ୍ତ୍ରୀ ହୋଇସାରିଛନ୍ତି । ଯଦି ପଶ୍ଚିମରୁ ଜଣେ ନେତା ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶା ହିଁ ପାୱାର ସେଣ୍ଟରରେ ପରିଣତ ହେବ । ସେହିପରି ସୁରେଶ ପୂଜାରୀଙ୍କ ନାମକୁ ନେଇ ଏବେ ଜୋରଦାର ଚର୍ଚ୍ଚା ମଧ୍ୟ ହେଉଛି । ଦିଲ୍ଲୀରୁ ଡକରା ବି ଆସିଥିଲା । ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବାର ଥିବାବେଳେ ରାଜନାଥ ସିଂ ଓ ଭୁପେନ୍ଦ୍ର ଯାଦବ ଏନେଇ ରିପୋର୍ଟ ନେବେ । ଏହାପରେ କେନ୍ଦ୍ରୀୟ ସଂସଦୀୟ କମିଟି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ମାରିବେ । ଆସନ୍ତାକାଲି ହିଁ ସବୁକିଛି ସ୍ପଷ୍ଟ ହୋଇଯିବ । ମେ’ ୧୨ ସଂଧ୍ୟାରେ ଶପଥ ଗ୍ରହଣ ଉତ୍ସବ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ରୋଡ଼ଶୋ’ କରିବାର କାର୍ଯ୍ୟକ୍ରମ ରହିଛି ।