ଅପରାଜିତାଙ୍କ ପାଇଁ ପରୀକ୍ଷାର ବେଳ

Aparajita Sarangi , Odisha BJP

ଅପରାଜିତାଙ୍କ ପାଇଁ ପରୀକ୍ଷାର ବେଳ

ଭୁବନେଶ୍ୱର : ଏକଦା ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ଥିଲେ ଅପରାଜିତା ଷଡ଼ଙ୍ଗୀ  । ବହୁ ବଡ଼ ବଡ଼ ନେତାଙ୍କୁ ପଛରେ ପକାଇ ସେ ଲୋକପ୍ରିୟତା ସାଉଁଟିବାରେ ସଫଳ ହୋଇଥିଲେ  । ଭୁବନେଶ୍ୱର ସାଂସଦ ହୋଇଥିଲେବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସେ ବଡ଼ ବଡ଼ ଶୋଭାଯାତ୍ରା ବି କରୁଥିଲେ  । ରାଜ୍ୟ ବିଜେପି ଯେତେବେଳେ ନବୀନଙ୍କ ବିରୋଧରେ ମୁହଁ ଖୋଲୁନଥିଲା, ସେହି ସମୟରେ ଅପରାଜିତା ଜମେଇକି ବର୍ଷୁଥିଲେ  । କିନ୍ତୁ ଚବିଶ ନିର୍ବାଚନରେ ବିଜେପି ବାଜିମାତ୍‌ କରିବା ପରେ ଅପରାଜିତାଙ୍କ ପତିଆରା କମିଯାଇଛି  । ଉଭୟ ଲୋକପ୍ରିୟତା ଓ କ୍ଷମତା ବି କମିଯାଇଛି  । ଅପରାଜିତାଙ୍କ ଠାରୁ ବହୁ ବରିଷ୍ଠ ନେତା ସାଂସଦ ହୋଇଥିବାବେଳେ ସାଧାରଣ ବିଧାୟକମାନେ ଏବେ ମନ୍ତ୍ରୀ ହୋଇସାରିଛନ୍ତି  । ସେହିପରି ଦଳର ନୀତି ନିୟମ ଆଧାରରେ ସେ ଅନ୍ୟ ନିର୍ବାଚନମଣ୍ଡଳୀରେ ବୁଲି ବି ପାରୁନାହାନ୍ତି  । ଏଭଳି କ୍ଷେତ୍ରରେ ଅପରାଜିତାଙ୍କ ପାଇଁ ପରୀକ୍ଷାର ବେଳ ଆସିଯାଇଛି  । ଆଗକୁ ବିଜେପିରେ ସାଂଗଠନିକ ପୁନର୍ବିନ୍ୟାସ ହେବାକୁ ଯାଉଛି  । ନୂଆ ବିଜେପି ସଂଗଠନରେ ନିଜେ ଓ ତାଙ୍କର ସମର୍ଥକମାନେ କେଉଁ କେଉଁ ପଦବୀ ହାତେଇପାରିବେ ସେନେଇ ଅପରାଜିତା ଅଙ୍କ କଷା ଆରମ୍ଭ କରିଦେଇଛନ୍ତି  । 

ଅପରପକ୍ଷରେ ଅପରାଜିତାଙ୍କ ଚେର କାଟିବା ପାଇଁ ବିଜେପିର ଅନେକ ନେତା ଯୋଜନା କରିସାରିଛନ୍ତି  । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଅପରାଜିତା ନିଜକୁ ଦଳ ଠାରୁ ଉଦ୍ଧ୍ୱର୍ରେ ବୋଲି ବିଚାରୁଥିଲେ  ।  ଦଳର ବହୁ ଟାଣୁଆ ମହିଳା ନେତାଙ୍କ ଠାରୁ ତାଙ୍କର ପତିଆରା ଅଧିକ ଥିବାରୁ ସେ କାହାକୁ ଖାତିର କରୁନଥିଲେ  । ଗାଏମୋଟ କହିଲେ ସେ ଅନ୍ୟ ନେତା ଓ ନେତ୍ରୀଙ୍କୁ ନୁନ୍ୟ ମନେ କରି ଅହଙ୍କାରୀ ହୋଇ ଯାଇଥିଲେ  । ନିଜ ପୋଷ୍ଟର ଓ ବ୍ୟାନରରେ ଦଳୀୟ ସଭାପତିଙ୍କ ଫଟୋ ବି ମାରୁନଥିଲେ  । ଅନେକ ଜିଲ୍ଲାରେ ଅପରାଜିତା ନିଜର ଫ୍ୟାନମାନଙ୍କ ଜରିଆରେ ସମାନ୍ତରାଳ ସଂଗଠନ କରୁଥିଲେ  । ଅଜିତା ମାଧ୍ୟମରେ ମହିଳା ସଂଗଠନ ଓ ୟୁଥ ଫର ଆକ୍ସନ ଜରିଆରେ ଯୁବ ସଂଗଠନ କରୁଥିଲେ  । କିନ୍ତୁ ଏବେ ତାହା ସବୁ ଇତିହାସ ପାଲଟି ଯାଇଛି  । ଏମିତିକି ମନମାନି ଆରମ୍ଭ କଲେ ଦଳରୁ ହଟିଯିବାର ବି ଆଶଙ୍କା ରହିଛି  । ଅପରାଜିତା ଏବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ନିଜକୁ ସୀମିତ ରଖିଥିବାବେଳେ ଆଗକୁ ତାଙ୍କୁ ବିଜେପି କେଉଁ ଦାୟିତ୍ୱ ଦେବ ତାହା ଉପରେ ନଜର ଅଛି  ।