ଅପରାଜିତାଙ୍କୁ ନେଇ ବିଜେଡ଼ିର ଡାହା ମିଛ
Aparajita Sarangi , Odisha BJP
ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ, ସାମାଜିକ ଗଣମାଧ୍ୟମରେ ମିଛ ଖବରକୁ କାଉଣ୍ଟର କର । ହେଲେ ବିଜେଡ଼ି ନେତା ଓ କର୍ମୀମାନେ କିନ୍ତୁ ନବୀନଙ୍କୁ ମାନିଲେ ନାହିଁ । ବରଂ ସେମାନେ ବି ବିଜେଡ଼ି ଢାଞ୍ଚା ଆପଣାଇଛନ୍ତି । ସରକାରକୁ ଆସିବା ପୂର୍ବରୁ ବିଜେପି ଯେଭଳି ମିଛର ଫାକ୍ଟ୍ରି ଆରମ୍ଭ କରିଥିଲା ଠିକ୍ ସେମିତି ବିଜେଡ଼ି ମଧ୍ୟ ସାମାଜିକ ମିଡ଼ିଆରେ ମିଛ ପ୍ରସାରଣ ଆରମ୍ଭ କରିଛି । ବିଜେଡ଼ିର ସଦ୍ୟତମ ମିଛଟି ହେଉଛି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ୧୦ରୁ ୧୨ ବିଧାୟକ ଧରି ବିଜେଡ଼ିକୁ ଯାଉଛନ୍ତି । ଖାଲି ସେତିକିନୁହେଁ ଶଙ୍ଖ ଭବନରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଓ କୋରେଇ ବିଧାୟକ ଆକାଶ ଦାସ ନାୟକ ଆସିଥିଲେ ବୋଲି ବିଜେଡ଼ି ଫେସବୁକ, ହ୍ୱାଟସଆପରେ ପ୍ରସାରିତ କରୁଛି । କିନ୍ତୁ ବାସ୍ତବରେ ଏହା ହେଉଛି ଡାହା ମିଛ । ଏହି ନେତାମାନେ ବିଜେଡ଼ିକୁ ଯିବା ପଛରେ କିଛିବି ଲଜିକ୍ ନାହିଁ ।
ଅପରାଜିତା ଷଡ଼ଙ୍ଗୀ ଯଦି ବିଜେଡ଼ି ଯିବେ, ତେବେ ତାଙ୍କର ଲୋକସଭା ପଦ ରବ୍ଦ ହୋଇଯିବ । ଗତ ନିର୍ବାଚନରେ ସେ ବହୁ କଷ୍ଟରେ ବିଜୟୀ ହୋଇଥିଲେ । ବିଜେପିର ଅଳ୍ପ ଭବିଷ୍ୟତ ଥିବାବେଳେ ବିଜେଡ଼ିରେ ତାଙ୍କର ଭବିଷ୍ୟତ ହିଁ ନାହିଁ । ପୂର୍ବରୁ ସେ ଭିକେ ପାଣ୍ଡିଆନଙ୍କ ଅଧିନରେ କାମ କରିବେ ନାହିଁ ବୋଲି ଆଇଏଏସ ଚାକିରୀ ଛାଡ଼ି ରାଜନୀତିକୁ ଆସିଥିଲେ । ଖାଲି ସେତିକିନୁହେଁ, ପ୍ରଶାନ୍ତ ଜଗଦ୍ଦେବଙ୍କ ରାଜନୀତି କ୍ୟାରିୟରକୁ ବିଜେଡ଼ି ଧ୍ୱଂସ କରିବାକୁ ଲାଗିଥିଲା । ସେଥିପାଇଁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବି ହୋଇଥିଲା । ବରଂ ବିଜେପି ପାଇଁ ପ୍ରଶାନ୍ତ ଏବେ ବିଧାୟକ ହୋଇପାରିଛନ୍ତି । ସେହିପରି ଆକାଶଙ୍କୁ ଖତ କରିବା ପାଇଁ ପ୍ରଣବ ପ୍ରକାଶ ଦାସ ବହୁବାର ଉଦ୍ୟମ କରିଥିଲେ । କିନ୍ତୁ ସେ ବିଜେପିକୁ ଯିବା ପରେ ବିଧାୟକ ହୋଇଛନ୍ତି । ଗତ ନିର୍ବାଚନରେ ସନ୍ତୋଷ ଖଟୁଆଙ୍କୁ ବିଜେଡ଼ି ଧୋକ୍କା ଦେଇଥିଲା । ତେଣୁ ସେ ବାଧ୍ୟ ହୋଇ ବିଜେପିରୁ ଲଢ଼ିବା ସହ ବିଜୟୀ ହୋଇଛନ୍ତି । ଗଣେଶ ଓ ସନ୍ତୋଷ ବିଧାନସଭାରେ ବି ବିଜେଡ଼ି ଉପରେ ଜୋରଦାର ବର୍ଷିଥିଲେ । ତେଣୁ ଏଭଳି ମିଛ ଖବର ବିଜେଡ଼ି କର୍ମୀମାନେ ପ୍ରସାରିତ କରି ଲୋକହସା ହେବା ସହ ନିଜ ଦଳର ଦୁର୍ବଳତା ପଦାରେ ପକାଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।