ଅପରାଜିତା ଓ ଜଗଦ୍ଦେବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
Aparajita Sarangi , Odisha BJP
ଭୁବନେଶ୍ୱର : ବିଜେପିରେ ଏବେ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ତାଙ୍କ ସମର୍ଥକମାନଙ୍କୁ ରାଜ୍ୟ ବିଜେପି ନିଲମ୍ବିତ କରିଦେଇଛି । ତଥାପିବି ନିଲମ୍ବିତ ନେତାଙ୍କୁ ନେଇ ଅପରାଜିତା ସଂଗଠନ କାମ କରୁଛନ୍ତି । ଯାହାକୁ ନେଇ ବିଜେପିରେ ଆଲୋଡ଼ନ ବି ସୃଷ୍ଟିହୋଇଛି । ସାଂସଦ କ’ଣ ଦଳ ଠାରୁ ଉଦ୍ଧ୍ୱର୍ରେ ବୋଲି ପ୍ରଶ୍ନ ଉଠିଛି । ଏଭଳି ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହ କଥା ହୋଇଛନ୍ତି । ଅବଶ୍ୟ ଦଳୀୟ କିମ୍ବା ସାଂଗଠନିକ ନୁହେଁ, କିଛି ବିକାଶମୂଳକ କାର୍ଯ୍ୟକୁ ନେଇ ଅପରାଜିତା ଆଲୋଚନା କରିଛନ୍ତି । ଅପରାଜିତାଙ୍କ ସହ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଅନେକ ବିକାଶ ମୂଳକ ପ୍ରକଳ୍ପକୁ ବିଜେଡ଼ିର ନେତାମାନେ ମଞ୍ଜୁରୀ ଦେଉନଥିବା ଚର୍ଚ୍ଚା ହେଉଛି । ବିଜେଡ଼ି ନେତାଙ୍କ ନିୟନ୍ତ୍ରଣରେ ମହାନଗର ନିଗମ ଏବଂ ପୌର ନିଗମ ଓ ବ୍ଳକ ଆଦି ରହିଛି । ଆଗାମୀ ଦିନରେ ବିଜେପି ସରକାର ବି ଏହାକୁ ଗୁରୁତର ଭାବେ ନେଇଛନ୍ତି । କାହିଁକିନା ଅଧିକାଂଶ ସ୍ଥାନରେ ସମାନ ଅବସ୍ଥା ଦେଖିବାକୁ ମିଳିଛି ।