ମଉଳି ଗଲେ ‘ଅପରାଜିତା’
Aparajita Sarangi , Odisha BJP
ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପି ରାଜନୀତିରେ ମଉଳି ଯାଇଛନ୍ତି । ଆଉ ଆଗଭଳି ରାଜ୍ୟ ବିଜେପିରେ ଅପରାଜିତାଙ୍କୁ ନେଇ ଚର୍ଚ୍ଚା ହେଉନାହିଁ । ସାମାଜିକ ଗଣମାଧ୍ୟମରେ ବି ଅପରାଜିତାଙ୍କ କାଟତି କମିଯାଇଛି । ବିରୋଧୀରେ ଥିବାବେଳେ ଅପରାଜିତା ପ୍ରତିଦିନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିଲେ । ମୁଖ୍ୟମନ୍ତ୍ରୀ ହେବାର ଲକ୍ଷ୍ୟ ନେଇ ସେ ସାରା ରାଜ୍ୟ ବି ବୁଲୁଥିଲେ । ଏବେ ତୁଣ୍ଡ ବନ୍ଦ ଆଉ ପାଦ ବି ବନ୍ଦ ହୋଇଯାଇଛି କହିଲେ ଭୁଲ୍ ହେବନାହିଁ । ଦିନ ଥିଲା ଆମ ମୁଖ୍ୟମନ୍ତ୍ରୀ ଅପରାଜିତା ବୋଲି ତାଙ୍କର ସମର୍ଥକମାନେ କ୍ୟାମ୍ପେନ୍ କରୁଥିଲେ । ଅପରାଜିତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ତାଙ୍କ ସମର୍ଥକମାନେ ବିଭିନ୍ନ ଫୋରମ୍ରେ ଚାପ ବି ସୃଷ୍ଟି କରୁଥିଲେ । ହେଲେ ମୋହନ ଚରଣ ମାଝୀ ସରକାର ଗଢ଼ିବା ପରେ ଅପରାଜିତାଙ୍କ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ବି ମଉଳି ଯାଇଛି । ସ୍ଥିତି ଏମିତି ହୋଇଛିଯେ, ତାଙ୍କର ଏହି ଆଶା କେବେବି ପୂରଣ ହୋଇପାରିବ ନାହିଁ । କାହିଁକିନା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏ ମାଟିର ପୁଅ ବା ଝିଅ ହେବେବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିସାରିଛନ୍ତି । ଭୁବନେଶ୍ୱରରୁ ଦ୍ୱିତୀୟ ଥର ସାଂସଦ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ହେବାକୁ ସେ ଆଶା ବାନ୍ଧିଥିଲେ । କିନ୍ତୁ ଏଥର ୨୦ ସାଂସଦ ଯାଇଥିବାବେଳେ ଅନେକ ବରିଷ୍ଠ ନେତାବି ଅଛନ୍ତି । ତେଣୁ ଖାଲିଯେ, ଏହି ଦଫାରେ ନୁହେଁ, ଆଗକୁ ମୋଦିଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେଲେବି ଅପରାଜିତାଙ୍କୁ ସୁଯୋଗ ମିଳିବ ନାହିଁ । ଦରକାର ପଡ଼ିଲେ ରାଜ୍ୟସଭାକୁ ଯାଇ ମନମୋହନ ସାମଲ ବି କେନ୍ଦ୍ରମନ୍ତ୍ରୀ ହୋଇପାରନ୍ତି । ଏକଥା ଭଲଭାବେ ହୃଦୟଙ୍ଗମ କରିବା ପରେ ଅପରାଜିତା ତାଙ୍କର ରଣନୀତି ବଦଳାଇ ଦେଇଛନ୍ତି । ଏବେ ସେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଉପରେ ହିଁ ଫୋକସ୍ କରୁଛନ୍ତି । ସେହିପରି ଦଳ ତାଙ୍କୁ କେରଳ ଉପପ୍ରଭାରୀ କରିଥିବାରୁ ସେଠାରେ ବି ବେଶ୍ କିଛି ସମୟ ଦେଉଛନ୍ତି । ଗତ ନିର୍ବାଚନ ପୂର୍ବରୁ ଅନେକ ବିଜେପି ନେତା ଓ ନେତ୍ରୀ ଅପରାଜିତାଙ୍କ ଉପରେ ଖପ୍ପା ଥିଲେ । ଯାହାକି ତାଙ୍କୁ ଅକଳରେ ପକାଇ ଦେଇଥିଲା । ଯଦି ରାଜ୍ୟରେ ବିଜେପି ହାୱା ବହିନଥା’ନ୍ତା ତାହେଲେ ଭୁବନେଶ୍ୱରରୁ ସେ ହାରିବା ବି ନିଶ୍ଚିତ ଥିଲା । ଏତେ ହାୱା ସତ୍ୱେ ସେ ମାତ୍ର ୩୫ ହଜାର ଭୋଟରେ ଜିତିପାରିଥିଲେ । ତେଣୁ ଆଗାମୀ ଦିନରେ ଭୁବନେଶ୍ୱରରେ ସ୍ଥିତି ମଜବୁତ୍ କରି ୨୦୨୯ ପାଇଁ ଅପରାଜିତା ରଣନୀତି କରୁଥିବା ଦେଖିବାକୁ ମିଳିଛି ।