ପୁଲିସଙ୍କୁ ଧମକାଉଛନ୍ତି ବିଜେପି କର୍ମୀ : ଅରୁଣ
Arun kumar Sahu, Biju Janata Dal
ଭୁବନେଶ୍ୱର : ସବୁ ଘଟଣାକୁ ସରକାର ହାଲ୍କା ଭାବେ ନେଉଛନ୍ତି । ଫଳରେ ଅପରାଧି ଉତ୍ସାହିତ ହୋଇ ଯାଉଛନ୍ତି । ବିଜେପିର ପାନଖିଆ କର୍ମୀ ବି ଏବେ ପୁଲିସଙ୍କୁ ଧମକାଇବା ଆରମ୍ଭ କଲେଣି । ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି । ଥାନାରେ ପୁଲିସ୍ ଖରାପ ବ୍ୟବହାର କରୁଛି । ମୁଲତବୀ ଆଲୋଚନା କାଳରେ ଏଭଳି ଢଙ୍ଗରେ ସରକାରଙ୍କୁ ବିରୋଧୀ ବିଜେଡ଼ି ଓ କଂଗ୍ରେସ ଆକ୍ରମଣ କରିଥିଲେ ।
‘ରାଜ୍ୟରେ ନାବାଳିକା ଓ ମହିଳାମାନେ ଅସୁରକ୍ଷିତ । କଟକ, ଭୁବନେଶ୍ୱର, କୁଚିଣ୍ଡା ଓ ବଙ୍ଗୋମୁଣ୍ଡା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଟୁଛି ନାବାଳିକା ଓ ମହିଳାମାନଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଘଟଣା, ଅପରାଧ ରୋକିବାରେ ପୁଲିସ ଓ ରାଜ୍ୟ ସରକାର ବିଫଳ’ ଶୀର୍ଷକ ମୁଲତବୀ ଆଲୋଚନା ଆରମ୍ଭ କରି ବିଧାୟକ ଅରୁଣ ସାହୁ କହିଲେଯେ, ସରକାର ଏବେ ଉନ୍ମାଦନାରେ ମସଗୁଲ୍ ହୋଇଯାଇଛନ୍ତି । ଶହେ ଦିନରେ ସବୁ ଠିକ୍ କରିଦେବେ ବୋଲି କହିଥିଲେ । କିନ୍ତୁ ଏବେ ସରକାରଙ୍କୁ ୧୫୦ ଦିନ ପୂରିଲାଣି । ଜଗନ୍ନାଥଙ୍କ ଚାରି ଦୁଆର ଖୋଲି ରାଜନୀତିକ ଫାଇଦା ନେବାକୁ ଉଦ୍ୟମ କଲେ । ହେଲେ ଦଳାଚକଟା ଓ ଭିଡ଼ ଯୋଗୁଁ ମହିଳାମାନେ ହିଁ ଅସୁରକ୍ଷିତ ହୋଇପଡ଼ିଲେ । ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ରିପୋର୍ଟ ଏଯାଏଁ ଆସିଲା ନାହିଁ । ରଥଯାତ୍ରା ବିଭ୍ରାଟକୁ ବି ଖାମଖିଆଲି ଭାବେ ନେଲେ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ଦାୟିତ୍ୱହୀନ ମନ୍ତବ୍ୟ ହିଁ ଅପରାଧିଙ୍କୁ ଉତ୍ସାହିତ କରିଛି । ଗତ ୫ ମାସ ମଧ୍ୟରେ ରାଜ୍ୟରେ ୫୫୬ ହତ୍ୟା ଓ ୧୨୫୦ ଦୁଷ୍କର୍ମ ହୋଇଛି । ଚୋରି, ଛିନତାଇରେ ଭୁବନେଶ୍ୱର ଏବେ ଏକ ନମ୍ବର । ଭୁବନେଶ୍ୱର ଏବେ କ୍ରାଇମ୍ କ୍ୟାପିଟାଲ୍ ପାଲଟିଯାଇଛି । ଶାସନ ତନ୍ତ୍ର ଦୁର୍ବଳ ହେଲେ ଅପରାଧ ବଢ଼ିବ । ସବୁ ଘଟଣାକୁ ନେଇ ସରକାରଙ୍କ ନ୍ୟୁନ ମାନସିକତା ସରକାରଙ୍କୁ ନ୍ୟୁନ କରିଦେଉଛି । ଓଡ଼ିଶାରେ ଏବେ ବିଭାଜନ ରାଜନୀତି ଆରମ୍ଭ ହୋଇଛି । ପ୍ରତିଶୋଧ ପରାୟଣ ରାଜନୀତି ଚାଲିଛି ବୋଲି ସେ କହିଥିଲେ । ସେହିପରି ବିଧାୟକ ଗଣେଶ୍ୱର ବେହେରା କହିଥିଲେଯେ, ଅପରାଧ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଭରତପୁର, ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣାରେ ରିପୋର୍ଟ ଆସିଲାନି ବୋଲି ସେ କହିଥିଲେ ।