ବଡ଼ଖବର : ୨୩ରେ ‘ଆୟୁଷ୍ମାନ’ର ଶୁଭାରମ୍ଭ
Ayusman Yojana
ପ୍ରତି ନିର୍ବାଚନମଣ୍ଡଳୀରେ ମାଗଣା ସ୍ୱାସ୍ଥ୍ୟ ଶିବିର
ସେପ୍ଟେମ୍ବର ୧୭ରୁ ବିଜେପିର ସେବା ପକ୍ଷ
ଭୁବନେଶ୍ୱର : ସେପ୍ଟେମ୍ବର ୨୩ରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ହେବ । ଏହି ଅବସରରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ୬୦ ବର୍ଷରୁ ଉଦ୍ଧ୍ୱର୍ ମହିଳାଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ । ସାଂସଦ, ବିଧାୟକ ଓ ଅନ୍ୟ ନିର୍ବାଚିତ ପ୍ରତିନିଧିମାନଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହେବବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ସେପ୍ଟେମ୍ବର ୧୭ରୁ ବିଜେପି ପକ୍ଷରୁ ସେବା ପକ୍ଷ ଆରମ୍ଭ ହେବ । ଏହା ଅକ୍ଟୋବର ୨ ପର୍ଯ୍ୟନ୍ତ ଜାରି ରହିବ । ଏଥିପାଇଁ ବୁଥରୁ ନେଇ ରାଜ୍ୟସ୍ତର ପର୍ଯ୍ୟନ୍ତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି । ରକ୍ତଦାନ, ବୃକ୍ଷରୋପଣ ଆଦି ବିଭିନ୍ନ ପ୍ରକାର ସେବାମୂଳକ କାର୍ଯ୍ୟ ସହ ବିଜେପିର ଆଦର୍ଶବାଦର ବି ପ୍ରସାର କରାଯିବ । ବିଜେପିର ସମସ୍ତ ଛାମୁଆ ସଂଗଠନଗୁଡ଼ିକୁ ଏଥିପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।
ଏନେଇ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତିଯେ, ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପକ୍ଷରେ ବିଭନ୍ନ ପ୍ରକାର ସେବା କାର୍ଯ୍ୟ କରାଯିବ । ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଜୀବନୀ, ଉଦ୍ଦେଶ୍ୟ ଓ ଦେଶର ପ୍ରଗତିରେ ତାଙ୍କ ଯୋଗଦାନ ଉପରେ ଆଲୋଚନା କରାଯିବ । ସେପ୍ଟେମ୍ବର ୧୮ରୁ ୨୦ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତରଫରୁ ସମସ୍ତ ବିଧାନସଭା କ୍ଷେତ୍ରରେ ରକ୍ତଦାନ ଶିବିର ଆୟୋଜନ କରାଯିବ । ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ କୃଷକ ମୋର୍ଚ୍ଚା ତରଫରୁ ସମସ୍ତ ଶକ୍ତିକେନ୍ଦ୍ର ସ୍ତରରେ ପର୍ଯ୍ୟାବରଣ ଉପରେ ଗୁରୁତ୍ୱ ଦିଆଯାଇ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ସେପ୍ଟେମ୍ବର ୧୮ରୁ ୨୪ ଏବଂ ଅକ୍ଟୋବର ୨ ରେ ମଣ୍ଡଳସ୍ତରରେ ଦଳ ଓ ସ୍ୱଚ୍ଛ ଭାରତ ପ୍ରକୋଷ୍ଠ ତରଫରୁ ସମସ୍ତ ମନ୍ଦିର, ଧାର୍ମିକ ସ୍ଥଳ, ଜଳାଶୟ, ପୁଷ୍କରିଣୀ ଏବଂ ପାର୍କ ଆଦି ସ୍ଥାନରେ ସଫେଇ କରାଯିବ । ସେପ୍ଟେମ୍ବର ୨୦ରେ ଓବିସି ମୋର୍ଚ୍ଚା ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା ପକ୍ଷରୁ, ୨୧ରେ ଏସସି ଏସଟି ମୋର୍ଚ୍ଚା ପକ୍ଷରୁ ବ୍ଲକସ୍ତରରେ ବିଦ୍ୟାଳୟ ଏବଂ ଡାକ୍ତରଖାନା ପରିସରରେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯିବ । ଏହାଛଡା ସେପ୍ଟେମ୍ବର ୨୧ରେ ଆଇନ୍ ପ୍ରକୋଷ୍ଠ, ଉଦ୍ୟୋଗ ପ୍ରକୋଷ୍ଠ, ବୃଦ୍ଧିଜୀବୀ, ଶିକ୍ଷକ ଓ ଏସଏଚଜି ପକ୍ଷରୁ ଡ. ଆର୍ ବାଲସୁବ୍ରମଣ୍ୟମଙ୍କ ଦ୍ୱାରା ଲିଖିତ ପୁସ୍ତକର ବିଷୟବସ୍ତୁ ଉପରେ ଆଲୋଚନା କରାଯିବ ।