ବିସିସିଆଇ ଜାରି କଲା ବାର୍ଷିକ ଚୁକ୍ତି ତାଲିକା

ନୂଆଦିଲ୍ଲୀ  : ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ ବା ବିସିସିଆଇ ପକ୍ଷରୁ ଆଜି ବାର୍ଷିକ ଚୁକ୍ତିରେ ଥିବା ଖେଳାଳିଙ୍କ ତାଲିକା ଜାରି କରାଯାଇଛି । ଅନେକ ଷ୍ଟାର ଖେଳାଳି ବିସିସିଆଇର କେନ୍ଦ୍ରୀୟ ଚୁକ୍ତିକୁ ଫେରିଥିବା ବେଳେ କିଛି ଖେଳାଳି କଣ୍ଟ୍ରାକ୍ଟରୁ ବାଦ ପଡିଛନ୍ତି । ଖେଳାଳିମାନଙ୍କୁ ମୋଟ ୪ଟି ବର୍ଗରେ ରଖାଯାଇଛି । ଭାରତର ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ପୂର୍ବ ଭଳି "ଏ+' ବର୍ଗରେ ରହିଛନ୍ତି । ସେହିପରି ଷ୍ଟାର ବ୍ୟାଟର ବିରାଟ କୋହଲି, ସ୍ପିଡ ଷ୍ଟର ଯଶପ୍ରୀତ ବୁମ୍ରା ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ବିସିସିଆଇ ପୂର୍ବଭଳି "ଏ+' ବର୍ଗରେ ରଖିଛି ।
ଘରୋଇ କ୍ରିକେଟ ଖେଳିବାକୁ ମନା କରିବାରୁ ୨୦୨୪ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ଶ୍ରେୟସ ଆୟର ଓ ଈଶାନ କିଶନଙ୍କୁ ବିସିସିଆଇ ବାଦ ଦେଇଥିଲା । ହେଲେ ଏବେ ଉଭୟ ବିସିସିଆଇ ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଚୁକ୍ତି ବଦ୍ଧ ହୋଇଥିବା ମୋଟ ୩୪ ଜଣ ଖେଳାଳିଙ୍କ ମଧ୍ୟରେ ଶ୍ରେୟସ ଓ ଈଶାନଙ୍କ ନାଁ ରହିଛି । ଶ୍ରେୟସ ଆୟର "ବି' ବର୍ଗରେ ରହିଥିବା ବେଳେ ଈଶାନଙ୍କୁ ବିସିସିଆଇ "ସି' ବର୍ଗରେ ରଖିଛି । ଶ୍ରେୟସ ଆୟର ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଦମଦାର ପ୍ରଦର୍ଶନ କରିଥିଲେ । ସେହିପରି ସେ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିସିସିଆଇ ତାଙ୍କୁ ବି ବର୍ଗରେ ରଖିଥିବାରୁ ସେ ବାର୍ଷିକ ୩ କୋଟି ଟଙ୍କା ପାଇବେ । ଈଶାନ ସି ବର୍ଗରେ ଥିବାରୁ ତାଙ୍କ ବାର୍ଷିକ ୧ କୋଟି ଟଙ୍କା ମିଳିବ ।
ଅଷ୍ଟ୍ରେଲିଆ ଟୁର ଅଧାରେ ଅନ୍ତର୍ଜାତୀୟ କ୍ରିକେଟକୁ ରବିଚନ୍ଦ୍ରନ ଅଶ୍ୱିନ ଅଲବିଦା କହିଥିଲେ । ତେଣୁ ବିସିସିଆଇ ତାଙ୍କ ସହ ୨୦୨୫ ବର୍ଷ ପାଇଁ କୌଣସି ଚୁକ୍ତି କରିନାହିଁ । ଅଶ୍ୱିନ ସେଣ୍ଟ୍ରାଲ ଚୁକ୍ତିର ଏ ବର୍ଗରେ ରହିଥିଲେ । ତାଙ୍କ ବଦଳରେ ଏବେ ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟର ଏ ବର୍ଗକୁ ପ୍ରମୋସନ ମିଳିଛି । କାର ଦୁର୍ଘଟଣାରେ ଆହତ ହୋଇ ବର୍ଷରୁ ଅଧିକ ଦିନ କ୍ରିକେଟରୁ ଦୂରେଇ ରହିଥିବା ପନ୍ତଙ୍କୁ ପୂର୍ବରୁ ବିସିସିଆଇ ବି ବର୍ଗରେ ରଖିଥିଲା । ଏବେ ତାଙ୍କର ପ୍ରମୋସନ ହୋଇଛି ।
ସର୍ଫରାଜ ଖାନ, ନୀତୀଶ କୁମାର ରେଡ୍ଡୀ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ ଓ ହର୍ଷିତ ରାଣା ପ୍ରଥମଥର ପାଇଁ ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ ହୋଇଛନ୍ତି । କିନ୍ତୁ ଶାର୍ଦ୍ଦୁଲ ଠାକୁର, ଜିତେଶ ଶର୍ମା, କେଏଲ ଭରତ ଓ ଆଭେଶ ଖାନ ସେଣ୍ଟ୍ରାଲ ଚୁକ୍ତିରୁ ବାଦ ପଡିଛନ୍ତି ।
ତେବେ ଏଠାରେ କହି ରଖିବାକୁ ଚାହୁଁ କି, ଏ+ ଚୁକ୍ତିରେ ରହୁଥିବା ଖେଳାଳି ବାର୍ଷିକ ୭ କୋଟି, ଏ ଗ୍ରୁପରେ ଥିବା ଖେଳାଳିଙ୍କୁ ୫ କୋଟି, ବି ଗ୍ରୁପରେ ଥିବା ଖେଳାଳିଙ୍କୁ ୩ କୋଟି ଓ ଗ୍ରୁପ ସି’ରେ ଥିବା ଖେଳାଳିଙ୍କୁ ବିସିସିଆଇ ୧ କୋଟି ଲେଖାଏ ଟଙ୍କା ଦେଇଥାଏ ।