ଦୁର୍ନୀତି ରୋକିପାରିବେ ତ ନୂତନ ବିଡିଓ?

 ବିଞ୍ଝାରପୁର: ଯାବତୀୟ ଦୁର୍ନୀତିରେ ଧୁନ୍ଧି ହୋଇ ରହିଛି ବିଞ୍ଝାରପୁର ବ୍ଲକ । ୨୪ବର୍ଷର ବିଜେଡ଼ି ସରକାରକୁ ଏକକ କ୍ଷମତାଧାରୀଙ୍କ ପାଖ ଲୋକ ଏବଂ ଦୁର୍ନୀତିଖୋର କର୍ମଚାରୀଙ୍କ ପାଇଁ ଭତ୍ତା ଠାରୁ ଆରମ୍ଭ କରି ଆବାସ, ମନରେଗାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଆସୁଛି । କିଛିଟା ଅଭିଯୋଗକୁ ବିଡ଼ିଓ ଲୋକ ଲୋଚନକୁ ଆଣିଥିବା ବେଳେ ପ୍ରତିପକ୍ଷ ଦଳ ଏବଂ ସାମାଜିକ କର୍ମୀ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ସରକାର ବଦଳିବା ପରେ ପରେ ଅମୁକରେ ଦୁର୍ନୀତି ସମୁକରେ ଦୁର୍ନୀତି ଅଭିଯୋଗ ହେବାରେ ଲାଗିଛି । ଏଭଳି ଅଭିଯୋଗ ଭିତରେ ସୋମବାର ବ୍ଲକରେ ନୂତନ ବିଡିଓ ଭାବେ ହିତାଂଶୁ ସାମଲ ଯୋଗ ଦେଇଛନ୍ତି । ନୂତନ ବିଡିଓଙ୍କୁ କାର୍ଯ୍ୟାଳୟ କର୍ମଚାରୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଶୁଭେଚ୍ଛା ଜଣାଇଛନ୍ତି । ନୂଆ ବିଡ଼ିଓଙ୍କୁ ନେଇ ଯେଉଁ ଚର୍ଚାଟି ଆରମ୍ଭ ହୋଇଯାଇଛି, ତାହା ହେଲା ଦୁର୍ନୀତିକୁ ରୋକି ପାରିବେ ତ? କିଛିଦିନ ପୂର୍ବେ ବିଞ୍ଝାରପୁର ବ୍ଲକରେ କୋଟିଏ ଟଙ୍କର ଭତ୍ତା ଦୁର୍ନୀତି ଘଟଣା ପଦାକୁ ଆସିଥିଲା । ପୂର୍ବତନ ବିଡିଓ ଦିବ୍ୟେନ୍ଦୁ ଦାସ  ଥାନାରେ ଅଭିଯୋଗ କରିଥିଲେ । ଘଟଣାର ମାତ୍ର ଦିନ କେଇଟା ପରେ ବିଡିଓ ବିଦ୍ୟେନ୍ଦୁ ଦାସଙ୍କର ବଦଳି ଆଦେଶ ଆସିଥିଲା । ତାଙ୍କ ପରିବର୍ତ୍ତେ ନୂତନ ବିଡିଓ ଭାବେ ହିତାଂଶୁଙ୍କୁ ନିଯୁକ୍ତ ଆଦେଶ ବିଭାଗ ପ୍ରଦାନ କରିଥିଲା ।  ବିଡିଓ ହିତାଂଶୁ କାର୍ଯ୍ୟରେ ଯୋଗ ଦେବା ପରେ ପୁରୁଣା ଦୁର୍ନୀତି କଗୁଡିକ ଚପିଯିବ ନା ଲୋକଲୋଚନାକୁ ଆସିବ ତାକୁ ନେଇ ଏବେ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି । ବିଞ୍ଝାରପୁର ବ୍ଲକରେ ବେକଳ ଭତ୍ତା ଦୁର୍ନୀତି ନୁହେଁ ମନରେଗା, ଆବାସ ଯୋଜନାରେ ପୁଳାପୁଳା ଦୁର୍ନୀତି ଅଭିଯୋଗ ରହିଛି । ଏହାଛଡା ପୂର୍ବରୁ ଆମ ଗାଁ ଆମ ବିକାଶ ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଥିବା କମ୍ପୁ୍ୟନିଟ୍ ସେଣ୍ଟର, ରାସ୍ତା ଘାଟ ଗୁଡିକରେ ମଧ୍ୟ ବଡ ଧରଣର ଦୁର୍ନୀତି ହୋଇଥିବା ଶୁଣିବାକୁ ମିଳିଲାଣି । କେଉଁଠି କାର୍ଯ୍ୟ ହୋଇନାହିଁ ବିଲ୍ ହୋଇଛି ତ ଆଉ କେଉଁଠି ଅଧାକାର୍ଯ୍ୟ କରି ସମ୍ପୂର୍ଣ୍ଣ ବିଲ୍ ପ୍ରଦାନ କରାଯାଇଛି । ଆଉ କେଉଁଠି ନିର୍ମାଣ ହୋଇଥିବା ପ୍ରକଳ୍ପ ସମ୍ପୁର୍ଣ୍ଣ ଚୋରି ହୋଇଥିବା ମଧ୍ୟ ଅଭିଯୋଗ ଆସିଲାଣି । ବିଭିନ୍ନ ସ୍ଥାନରେ ଜମି ଚଞ୍ଚକତା କରାଯାଇ ପ୍ରକଳ୍ପ ନିର୍ମାଣ କରାଯାଇଥିବା ମଧ୍ୟ ଅଭିଯୋଗ ଦେଉଛି । ବ୍ଲକରେ କାର୍ଯ୍ୟ କରୁଥିବା କନିଷ୍ଠଯନ୍ତ୍ରୀ ଓ ନିର୍ବାହୀଯନ୍ତ୍ରୀଙ୍କ ଜ୍ଞାନ୍ତରେ ଏଭଳି ଦୁର୍ନୀତି ହେଉଥିଲେ ହେଁ ଧରପଗଡ ବେଳେ କେତେଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ନୂତନ ବିଡିଓଙ୍କ ପାଇଁ ଏହି ସବୁ ଘଟଣା ଏକ ବିଷମ ପରିସ୍ଥିତି ସୃଷ୍ଠି କରିପାରେ ।