ଥାନାରୁ ମିଳୁନି ନ୍ୟାୟ : ଏସପିଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ
ବିଞ୍ଝାରପୁର: ନ୍ୟାୟ ପାଇବା ଆଶାରେ ଥାନାକୁ ଭରଷା କରି ଥାନାର ଦ୍ୱାରସ୍ଥ ହୋଇଥାନ୍ତି ଲୋକେ । ଥାନାରେ ସମସ୍ୟାର ସମାଧାନ ହେଇଥାଏ ଆଉ ସାଧାରଣ ଲୋକଟିଏ ନ୍ୟାୟ ମଧ୍ୟ ପାଇଥାଏ । କିନ୍ତୁ ଯାଜପୁର ଜିଲା ବିଞ୍ଝାରପୁର ଅଞ୍ଚଳରେ କିନ୍ତୁ ଏହାର ଭିନ୍ନଚିତ୍ର ଦେଖିବାକୁ ମିଳୁଛି । ଏଠି ଥାନାର ଦ୍ୱାରସ୍ଥ ହେଉଥିବା ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ ହେଉନି କି ଲୋକ ନ୍ୟାୟ ପାଉନାହାନ୍ତି । ଅଭିଯୋଗ ଅନୁଯାୟୀ ବିଞ୍ଝାରପୁର ଅଞ୍ଚଳରେ ରହିଛି ବିଞ୍ଝାରପୁର ଆଉ ଅଳକୁଣ୍ଡ ଥାନା । ଏହି ଦୁଇଟି ଥାନାରୁ ଏବେ ସାଧାରଣ ଲୋକଟିଏ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସିଛି । ବିଞ୍ଝାରପୁର ଥାନା ଅଧୀନସ୍ଥ ସିଂହପୁର ଗ୍ରାମର ଅନ୍ତର୍ଯ୍ୟାମୀ ବେହେରାଙ୍କ ଭାଈ ପୂର୍ଣଚନ୍ଦ୍ର ତାଙ୍କ ଘର ମୁଖ୍ୟ ଦ୍ୱାର ସମ୍ମୁଖରେ ଘର କରିବାକୁ ଚେଷ୍ଟା କରିଥିବା ବେଳେ ଏହାକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହୋଇଥିଲେ ଅନ୍ତର୍ଯ୍ୟାମୀ ଓ ତାଙ୍କ ପରିବାର । ଖାଲି ସେତିକି ନୁହଁ ତାଙ୍କ ସାନ ଭାଇ ଜଳସେଚନ ବିଭାଗର ବନ୍ଧ ଉପରେ, ସରକାରୀ ଯାଗାରେ ଘର କରୁଥିବାରୁ ଜଳସେଚନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାର ଏବଂ ବିଞ୍ଝାରପୁର ଥାନାକୁ ଲିଖିତ ଜଣାଇଥିଲେ । ଏପରିକି ଉକ୍ତ ସ୍ଥାନରେ ୧୬୩ ଧାରା ମଧ୍ୟ ଲାଗୁ ହୋଇଥିଲା । କିନ୍ତୁ ଏନେଇ ପୁଲିସ ସେତେଟା ଆଖି ଦୃଶିଆ ପଦକ୍ଷେପ ନ ନେବାରୁ ଘର କରିଚାଲିଛନ୍ତି । ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଅନ୍ତର୍ଯ୍ୟାମୀ । ସେହିପରି ଅଳକୁଣ୍ଡ ଥାନା ଅଞ୍ଚଳର ଉତ୍ତରକୁଳ ଗ୍ରାମର ଅଧ୍ୟାପକ ଦେବେବ୍ରତ ମିଶ୍ରଙ୍କ ବାଡ଼ିରୁ ଜନୈକ ବ୍ୟକ୍ତି ତାଙ୍କ ବିନା ଅନୁମତିରେ ଗଛ କାଟି ନେଇଯିବା ସହିତ ଜମିକୁ ଜବରଦସ୍ତ ଦଖଲ କରି ଓଲଟି ତାଙ୍କ ପ୍ରତି ଅସଭ୍ୟ ଆଚରଣ କରିଥିବା ନେଇ ଅଳକୁଣ୍ଡ ଥାନରେ ଲିଖିତ ଜଣାଇଥିଲେ । ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ କରି ସେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେହିପରି କପିଳା ପଞ୍ଚାୟତର ଗଦାଧର ମଲ୍ଲିକଙ୍କ ନାବାଳିକା ଝିଅକୁ କେହି ଜଣେ ଅପହରଣ କରିଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଅଳକୁଣ୍ଡ ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ଗଦାଧର ଏବଂ ତାଙ୍କ ପରିବାର । କିଛି ଦିନ ତଳେ ପ୍ରୀତିପୁର ଛକରେ ଏକ ବ୍ୟବସାୟୀଙ୍କୁ ତାଙ୍କ ଦୋକାନରେ ପଶି କିଛି ଅସାମାଜିକ ବ୍ୟକ୍ତି ମାଡ଼ ମାରିଥିଲେ ଆଉ ଏ ନେଇ ସମ୍ପୃକ୍ତ ବ୍ୟବସାୟୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଥାନାର ସମ୍ମୁଖରେ ଧାରଣା ଦେଇଥିଲେ ସମ୍ପୃକ୍ତ ବ୍ୟବସାୟୀ । ଏସପି ଏଭଳି ଅଭିଯୋଗ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।