୧୩ ବର୍ଷ ପରେ ହତ୍ୟାକାରୀ ଗିରଫ
ବ୍ରହ୍ମବରଦା: ବ୍ରହ୍ମବରଦା ଥାନା ଅଧିନ ବହୁ ପ୍ରତୀକ୍ଷିତ ଚୁମକି ହତ୍ୟାକାରୀ ଅଭିଯୁକ୍ତକୁ ଦୀର୍ଘ ୧୩ ବର୍ଷ ପରେ ବ୍ରହ୍ମବରଦା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ବ୍ରହ୍ମବରଦା ଗ୍ରାମର ସେକ ମକସୁଦ ଅଲ୍ଲୀଙ୍କ ପୁଅ ସେକ ମଞ୍ଜୁର ଅଲ୍ଲୀ (୪୨) ଗୁଡୁ ହୋଇଥିବା ବେଳେ ଗୁରୁବାର ରାତିରେ କଟକ ଜିଲ୍ଲା ଜଗତପୁର ଅଞ୍ଚଳର ପିରବଜାର ନିକଟରେ ନିଜ ନାମ ପରିବର୍ତ୍ତନ କରି ପରିବାର ସହ ରହୁଥିବା ଅବସ୍ଥାରେପୁଲିସ ଗିରଫଥିଲା । ଶୁକ୍ରବାର ସକାଳୁ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମବରଦା ଥାନା ଏସ୍ଆଇ ବିଭୁତି ଭୂଷଣ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ବ୍ରହ୍ମବରଦା ଇସତମା ପଡିଆ ଠାରେ ଘରକରି ରହୁଥିବା ଜାହାର ବିବିଙ୍କ ଝିଅ ଚୁମକିକୁ ଅଭିଯୁକ୍ତ ଗୁଡୁ ଏକତରଫା ପ୍ରେମ ନିବେଦନ ସହ ତାକୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲା । ଗୁଡୁ କଥାରେ ଚୁମୁକି ରାଜି ନହେବାରୁ ପ୍ରତିହିଂସା ପରାୟଣ ହୋଇ ୨୦୧୧ ମସିହା ଏପ୍ରିଲ ମାସ ୧୭ ତାରିଖ ରବିବାର ରାତିରେ ଚୁମୁକି ଓ ତା ମା ଜାହାର ବିବିଙ୍କ ଘରେ ଉଭୟଙ୍କୁ ମାରଣାସ୍ତ୍ର ଦ୍ୱରା ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଯାହାଫଳରେ ଝିଅ ଚୁମୁକିର ମୃତୁ୍ୟ ଘଟିବା ସହ ମା ଜାହାର ଘର ଭିତରେ ଏମିତି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିରହିଥିଲା । ଘଟଣା ଘଟିବାର ୩ ଦିନ ପରେ ସାହି ପଡ଼ିଶା ଲୋକେ ଜାହାର ବିବିଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି କଟକ ବଡମେଡିକାଲକୁ ପଠାଇଥିଲେ । ସେଠାରୁ ଜାହାର ସୁସ୍ଥ ହୋଇ ଫେରିବା ପରେ ମଧ୍ୟ ମୁଣ୍ଡରେ ଗଭୀର ଆଘାତ ଲାଗୁଥିବା ଯୋଗୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଏନେଇ ପୂର୍ବରୁ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଉକ୍ତ ଘଟଣା ଘଟିବାର ଦୀର୍ଘ ୧୩ ବର୍ଷ ବିତିଯାଇଥିଲା । ତେବେ ଗୁୁରୁବାର ପୁଲିସ ଗିରଫ କରି ଥାନାକୁ ଆଣିବା ପରେ ମୃତ ଚୁମୁକିର ମା ଥାନାରେ ପହଞ୍ଚିି ଅଭିଯୁକ୍ତ ଗୁଡୁକୁ ଚିହ୍ନଟ କରିଥିଲା । ଉକ୍ତ ଘଟଣାରେ ଏକାଧିକ ଅଭିଯୁକ୍ତ ଥାଇ ପାରନ୍ତି ବୋଲି ଅଭିଯୁକ୍ତ ଜଣକ ତଦନ୍ତ ପରିସରକୁ ଆସିଲେ ଜଣାପଡିବ ବୋଲି ସେ କହିଥିଲେ । ଏହାଛଡ଼ା ଦୀର୍ଘ ୧୩ ବର୍ଷ ପରେ ତାଙ୍କ ଝିଅର ହତ୍ୟାକାରୀ ଗୁଡୁକୁ ବପୁଲିସ ଧରିବାରେ ସଫଳ ହୋଇଥିବାରୁ ବ୍ରହ୍ମବରଦା ଥାନା ଏସ୍ଆଇ ବିଭୁତି ଭୂଷଣ ମହାପାତ୍ର, ଲମ୍ବୋଦର ପୃଷ୍ଟି ଓ ବ୍ରହ୍ମବରଦା ଥାନାର ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।