ବିଧାନସଭାରୁ ଗାନ୍ଧିମାର୍ଗ ଯାଏଁ ଗର୍ଜିଲା ବିଜେଡ଼ି

 ଭୁବନେଶ୍ୱର:   ପଞ୍ଚାୟତିରାଜ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ପ୍ରସଙ୍ଗରେ ଆଜି ବିଧାନସଭାରୁ ନେଇ ଗାନ୍ଧୀମାର୍ଗ ଯାଏଁ ଗର୍ଜିଛି ବିଜେଡ଼ି  । ବିଧାନସଭାରେ ବିଜେଡ଼ିର ତୁମୁଳ ହଟ୍ଟଗୋଳ ଯୋଗୁଁ ଗୃହ କମ୍ପି ଉଠିଥିବାବେଳେ ଗାନ୍ଧୀମାର୍ଗରେ ବି ହଜାର ହଜାର ବିଜେଡ଼ି ସମର୍ଥିତ ପଞ୍ଚାୟତ ପ୍ରତିନିଧି ଗର୍ଜନ କରିଛନ୍ତି  । ଏପଟେ ବିଜେଡ଼ିର ଗର୍ଜନରେ ଗୃହ ଅଚଳ, ଆଉ ସେପଟେ କଂଗ୍ରେସ ଭବନରୁ ପିଏମଜି ରାସ୍ତାରେ ଶୁଭିଥିଲା ବିଜେଡ଼ିର କୋଳାହଳ  । ଖାଲି ସେତିକିନୁହେଁ ଅପରାହ୍ନରେ ବି ବିଜେଡ଼ି ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୋଚନ ପ୍ରତିବାଦରେ ଗୃହରୁ କକ୍ଷତ୍ୟାଗ କରି ବିଧାନସଭା ପରିସରରେ ଧାରଣା ବି ଦେଇଥିଲା  ।
ଆଜି ଦିନ ତମାମ ବିଜେଡ଼ିର ହଟ୍ଟଗୋଳ ଓ ଆନେ୍ଦାଳନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଥିଲା  । ପଞ୍ଚାୟତିରାଜ ପ୍ରତିନିଧି ବିଶେଷକରି ବ୍ଳକ ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତା ହ୍ରାସକୁ ନେଇ ବିଜେଡ଼ି ବିଧାନସଭାରେ ପ୍ରଶ୍ନ କରିବା ସହ ରାଜରାସ୍ତାକୁ ଓହ୍ଲାଇଛି  । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ବିଜେପି ସରକାର ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ବିଜେଡ଼ି ପକ୍ଷରୁ ଆଜି ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି  । ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତାମାନଙ୍କ ସମେତ ହଜାର ହଜାର ନିର୍ବାଚିତ ପ୍ରତିନିଧି ଓ ବିଜେଡି କର୍ମୀ ଲୋୟର ପିଏମଜିରେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ  । ଏହି ଅବସରରେ ଆୟୋଜିତ ପ୍ରତିବାଦ ସଭାରେ ଦଳର ବରିଷ୍ଠ ନେତାମାନେ ତାଙ୍କ ବକ୍ତବ୍ୟରେ, ଗତ ପନ୍ଦର ମାସରେ ରାଜ୍ୟ ବିଜେପି ସରକାର ସମସ୍ତ ଦିଗରେ ବିଫଳ ହୋଇଛନ୍ତି ବୋଲି ବର୍ଣ୍ଣନା କରି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ  । ପଞ୍ଚାୟତିରାଜ ବ୍ୟବସ୍ଥାକୁ କ୍ଷମତା ସଙ୍କୁଚିତ କରି ରାଜ୍ୟରେ ବାବୁରାଜ ସୃଷ୍ଟି କରିଛନ୍ତି  । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟ କ୍ଷମତା ଚୋରି ସହିତ ସମାନ ବୋଲି ନେତାମାନେ କହିଥିଲେ  । ରାଜ୍ୟ ସରକାର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତାକୁ ସଙ୍କୁଚିତ କରି ସରକାରୀ ଅଧିକାରୀଙ୍କ କ୍ଷମତା ବୃଦ୍ଧି କରିଛନ୍ତି  । ସରପଞ୍ଚ, ସମିତି ସଭ୍ୟ ସଦସ୍ୟମାନଙ୍କ କ୍ଷମତାକୁ ମଧ୍ୟ ସଙ୍କୁଚିତ କରିବାକୁ ରାଜ୍ୟ ବିଜେପି ସରକାର ପଦକ୍ଷେପ ନେଇଛନ୍ତି  । ପୂର୍ବ ସରକାରଙ୍କ ଲୋକପ୍ରିୟ ଯୋଜନା "ଆମ ଓଡିଶା ନବୀନ ଓଡିଶା'ର ନାମ ପରିବର୍ତ୍ତନ କରି ‘ବିକଶିତ ଗାଁ ବିକଶିତ ଓଡିଶା’ କରାଯାଇଛି  । ନୂତନ ନିୟମ ଅନୁଯାୟୀ, ଏହି ଯୋଜନାରେ ଗ୍ରାମସଭା ପ୍ରକଳ୍ପଗୁଡିକର ପ୍ରସ୍ତାବ ରଖିବେ, ଯାହା ପଞ୍ଚାୟତ ସମିତିର ଅନୁମୋଦନ ହୋଇ ଜିଲ୍ଲାପାଳଙ୍କ ପାଖକୁ ଆସିବ  । କିନ୍ତୁ, ଗ୍ରାମସଭା ଓ ପଞ୍ଚାୟତ ସମିତି ଦ୍ୱାରା ଅନୁମୋଦିତ ପ୍ରକଳ୍ପଗୁଡିକଯେ, କାର୍ଯ୍ୟକାରୀ ହେବ ସେନେଇ ନିଶ୍ଚିତତା ନାହିଁ  । କାରଣ, ସମୁଦାୟ ଅର୍ଥର ୪୦% ପ୍ରକଳ୍ପ ସ୍ଥାନୀୟ ବିଧାୟକ ସ୍ଥିର କରିବେ ବୋଲି ନିୟମ କରାଯାଇଥିବା ବେଳେ ଗ୍ରାମସଭା ଓ ପଞ୍ଚାୟତ ସମିତି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡିକୁ ପରିବର୍ତ୍ତନ କରି ସେହି ସ୍ଥାନରେ ନୂତନ ପ୍ରକଳ୍ପ ନେବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି  । ତେଣୁ ନୂତନ ନିୟମ ଅନୁଯାୟୀ, ବ୍ଲକ ଅଞ୍ଚଳରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ, ଗ୍ରାମସଭା ଓ ପଞ୍ଚାୟତ ସମିତିର କ୍ଷମତାକୁ ଗୌଣ କରିବାକୁ ଉଦ୍ୟମ କରାଯାଇଛି  ।  
 ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ, ସୁଦାମ ମାରାଣ୍ଡି, ଟୁକୁନି ସାହୁ, ପ୍ରଦୀପ ଅମାତ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଅଶୋକ ପଣ୍ଡା, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ସୁଲୋଚନା ଦାସ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତି୍ରପାଠୀ, ଗୌତମବୁଦ୍ଧ ଦାସ, ସ୍ନେହାଙ୍ଗିନୀ ଛୁରିଆ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ବିଜୟ ନାୟକ, ଭୃଗୁ ବକ୍ସିପାତ୍ର, ପ୍ରୀତିରଞ୍ଜନ ଘଡାଇ ପ୍ରମୁଖ ସାମିଲ୍ ହୋଇଥିଲେ  ।