ବିଜେପିକୁ କେତେ ଫାଇଦା ଦେବ ନୂଆ ରଣନୀତି ?
BJP, Odisha BJP, Suryaprava
ଭୁବନେଶ୍ୱର : ଚବିଶ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବାଜି ମାରିବାକୁ ବିଜେପି ନୂଆ ରଣନୀତି କରିଛି । ପ୍ରଥମଟି ହେଉଛି, ୫ ବର୍ଷ ଧରି ରାଜ୍ୟ ସରକାରଙ୍କ ବିରୋଧରେ କାଲୁଆ ପଡ଼ିଯାଇଥିବା କେନ୍ଦ୍ରୀୟ ବିଜେପି ନେତାମାନେ ଏବେ ଗରମ ହୋଇଛନ୍ତି । ଯାହାକି କାର୍ଯ୍ୟକର୍ତ୍ତାଙ୍କ ମନରେ ଯୋଶ୍ ଭରିଦେଇଛି । ସେହିପରି କେତେକ ଲୋକସଭା ଆସନରେ ଦଳ ଏବେ ‘ଜିତିଲେ ହେବେ କେନ୍ଦ୍ରମନ୍ତ୍ରୀ’ର ନାରା ବି ଆରମ୍ଭ କରିଦେଇଛି । ଖାଲି ସେତିକିନୁହେଁ ବିଜେପି ନେତାମାନେ ମନ ଫଟାଫଟି ଛାଡ଼ି ଗୋଟା ହୋଇଛନ୍ତି ବୋଲି ଦର୍ଶାଇବାକୁ ଚେଷ୍ଟା ବି କରିଛନ୍ତି । ତେବେ ବିଜେପିର ଏହି ନୂଆ ରଣନୀତି ଦଳକୁ କେତେ ଫାଇଦା ଦେବ ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି ।
୨୦୧୯ ସାଧାରଣ ନିର୍ବାଚନ ପରେ ବିଜେପି କର୍ମୀଙ୍କ ମନରେ ଯୋଶ୍ ରହିଥିଲା । କାହିଁକିନା ଦଳ ୮ ସାଂସଦ ଜିଣିବା ସହ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା । ପାଖାପାଖି ୪୦ ଆସନରେ ଦଳ କମ୍ ଭୋଟରେ ପରାସ୍ତ ହୋଇଥିଲା । କାର୍ଯ୍ୟକର୍ତ୍ତାଙ୍କର ଆଶା ଥିଲା ଚବିଶ ପାଇଁ ଏବେଠୁ ପୁଣି ଜୋରଦାର ଲଢେ଼ଇ ହେବ । କିନ୍ତୁ ହଠାତ ବିଜେପିର କେନ୍ଦ୍ରୀୟ ନେତାମାନେ ନବୀନ ସରକାରଙ୍କ ପ୍ରତି ନରମ ମନୋଭାବ ପୋଷଣ କରିବାରୁ ରାଜ୍ୟ ବିଜେପି ଶିବିର ଶିଥିଳ ହୋଇପଡ଼ିଥିଲା । ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳକୁ ଝଟକା ଲାଗିବା ସହ ପୁଣି ବିଜେଡ଼ି ଓ ବିଜେପି ମେଣ୍ଟ ଚର୍ଚ୍ଚା ଉଭୟ ଶିବିରକୁ ଚକିତ କରିଦେଇଥିଲା । ଏପରିକି ପ୍ରଧାନମନ୍ତ୍ରୀ ଯେତେଥର ଓଡ଼ିଶା ଆସିଲେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ । ତେଣୁ ନିର୍ବାଚନ ବେଳେ କେନ୍ଦ୍ରୀୟ ବିଜେପିର କ’ଣ ଆଭିମୁଖ୍ୟ ରହିବ ତାହାକୁ ନେଇ ଆଶା ଆଶଙ୍କା ଥିବାବେଳେ ପୁଣି ନରେନ୍ଦ୍ର ମୋଦି ଓ ଅମିତ ଶାହା ଚିରାଚରିତ ଷ୍ଟାଇଲରେ ଟାର୍ଗେଟ ଆରମ୍ଭ କରିଦେଇଛନ୍ତି ।
ସେହିପରି ବିଜେପିର ନେତାମାନଙ୍କ ମଧ୍ୟରେ ଚେରକଟା ରାଜନୀତି ବି ଜୋର ଧରିଥିଲା । ଦଳ ସରକାରକୁ ଆସୁକି ନଆସୁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ସଂଖ୍ୟା ବଢ଼ିବାରେ ଲାଗିଥିଲା । ଯାହାକି ତୃଣମୂଳସ୍ତରର କର୍ମୀଙ୍କୁ ନିରାଶ କରିଥିଲା । କିନ୍ତୁ ନିକଟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଦଳର ତୁଙ୍ଗ ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀଙ୍କ ଏକାଠି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ । ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଭଳି ସେମାନେ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଏକାଠି ଅଛନ୍ତି ବୋଲି ବାର୍ତ୍ତା ଦେଇଛନ୍ତି ।
ଏବେ ବିଜେପି ନୂଆ ନ୍ୟାରେଟିଭ୍ ଆରମ୍ଭ କରିଛି । ବିଜେପି କାର୍ଯ୍ୟକର୍ତ୍ତାମାନେ ‘ଜିତିଲେ ହେବେ କେନ୍ଦ୍ରମନ୍ତ୍ରୀ’ ବୋଲି ଭୋଟରମାନଙ୍କୁ ବାର୍ତ୍ତା ଦେବା ଆରମ୍ଭ କରିଛନ୍ତି । ସେମାନଙ୍କ କହିବା କଥା ହେଉଛି, ଅନ୍ୟକୁ ଭୋଟ୍ ଦେଇ କିଛି ଲାଭ ନାହିଁ । ଆମ ଅଞ୍ଚଳର ଜଣେ କେନ୍ଦ୍ରମନ୍ତ୍ରୀ ହେଲେ ନୂଆ ପ୍ରକଳ୍ପ ହେବ, ବିକାଶ ଦୌଡ଼ିବ, ନିଯୁକ୍ତି ମିଳିବ । ବିଶେଷକରି ସମ୍ବଲପୁର, କେନ୍ଦ୍ରାପଡ଼ା, ଭୁବନେଶ୍ୱର, କଟକ ଓ ପୁରୀରେ ଏଭଳି ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
ସମ୍ପ୍ରତି ଏହି ୫ ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ସମ୍ବଲପୁରରୁ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ଦୁଇ ଥର ସେ କେନ୍ଦ୍ରମନ୍ତ୍ରୀ ହୋଇସାରିଛନ୍ତି । ଲୋକସଭାକୁ ଥରେ ଓ ରାଜ୍ୟସଭାକୁ ଦୁଇଥର ମଧ୍ୟ ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ଘନିଷ୍ଠ ସମ୍ପର୍କ ଥିବାରୁ ଧର୍ମେନ୍ଦ୍ରଙ୍କର କେନ୍ଦ୍ର ରାଜନୀତିରେ ଢେର ଦବଦବା ରହିଛି । ତେଣୁ ଧର୍ମେନ୍ଦ୍ରଙ୍କୁ ଭୋଟ ଦେଇ କେନ୍ଦ୍ରମନ୍ତ୍ରୀ କରାନ୍ତୁ ବୋଲି ସମ୍ବଲପୁରରେ ବିଜେପି କାର୍ଯ୍ୟକର୍ତ୍ତାମାନେ ପ୍ରଚାର କରୁଛନ୍ତି ।
ସେହିପରି କେନ୍ଦ୍ରାପଡାରୁ ଲଢୁଛନ୍ତି ବୈଜୟନ୍ତ ପଣ୍ଡା । ଦୁଇଥର ରାଜ୍ୟସଭା ଓ ଦୁଇଥର ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ସହ ବିଭିନ୍ନ ରାଜ୍ୟର ପ୍ରଭାରୀ ବି ହୋଇଛନ୍ତି । ରାଷ୍ଟ୍ରୀୟସ୍ତରରେ ତାଙ୍କର ବେଶ ଖାତିର ଥିବାରୁ ସେ ଜିତିଲେ କେନ୍ଦ୍ରମନ୍ତ୍ରୀ ହେବା ନିଶ୍ଚିତ ବୋଲି ତାଙ୍କର ସମର୍ଥକମାନେ ଲୋକଙ୍କୁ ବୁଝାଇବାରେ ଲାଗି ପଡ଼ିଛନ୍ତି । କଟକରୁ ଏଥର ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଭର୍ତ୍ତୃହରି ମହତାବ । ସେ ୬ ଥର ବିଜେଡ଼ିରୁ ସାଂସଦ ହୋଇଥିବାବେଳେ ଏଥର କିନ୍ତୁ ବିଜେପିରୁ ଲଢୁଛନ୍ତି । ଜଣେ ଭଲ ପାର୍ଲାମେଣ୍ଟାରିଆନ୍ ଭାବେ ତାଙ୍କର ଦିଲ୍ଳୀରେ ଖ୍ୟାତି ରହିଛି । ମୋଦି ଓ ଶାହା ବି ତାଙ୍କୁ ପ୍ରଶଂସା କରିବାର ନଜିର ରହିଛି । ଦୀର୍ଘଦିନର ଅଭିଜ୍ଞତା ଯୋଗୁଁ ମୋଦିଙ୍କ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ହେବେବୋଲି ବି କଟକରେ ଚର୍ଚ୍ଚା ଘୂରିବୁଲୁଛି ।
ପୁରୀରୁ ଲଢୁଥିବା ସମ୍ବିତ ପାତ୍ର ବିଜେପିର ତୁଣ୍ଡ ପାଲଟି ଯାଇଛନ୍ତି । ରାଜ୍ୟର ଯେତେ ବିଜେପି ନେତା ଅଛନ୍ତି ସେମାନଙ୍କ ଠାରୁ ସମ୍ବିତଙ୍କର ସାମାଜିକ ଗଣମାଧ୍ୟମରେ ଫଲୋଅର ସଂଖ୍ୟା ଅଧିକ । ଜାତୀୟସ୍ତରରେ ବି ତାଙ୍କର ବେଶ ସୁଖ୍ୟାତି ରହିଛି । ପୁରୀରୁ ସେ ଜିତିଲେ କେନ୍ଦ୍ରମନ୍ତ୍ରୀ ହେବା ଥୟ ବୋଲି ତାଙ୍କର ସହଯୋଗୀମାନେ ଲୋକଙ୍କୁ ବୁଝାଉଛନ୍ତି । ଓଡ଼ିଶା ବିଜେପିର ବଡ଼ ନେତ୍ରୀ ହେଉଛନ୍ତି ଅପରାଜିତା ଷଡ଼ଙ୍ଗୀ । ଗତଥର ମଧ୍ୟ ସେ କେନ୍ଦ୍ରମନ୍ତ୍ରୀ ରେସ୍ରେ ରହିଥିଲେ । ଏଥର ଜିତିଲେ ମହିଳା କୋଟାରେ ସେ ମନ୍ତ୍ରୀ ହେବା ନିଶ୍ଚିତ । ତେଣୁ ତାଙ୍କୁ ଜିତାଇବାକୁ କାର୍ଯ୍ୟକର୍ତ୍ତାମାନେ ଅନୁରୋଧ କରୁଛନ୍ତି ।