ଆସ୍କା : ବିଜେଡ଼ି ଦୁର୍ଗକୁ ଭାଙ୍ଗିପାରିବେ କି ବିରୋଧୀ

ଆସ୍କା : ବିଜେଡ଼ି ଦୁର୍ଗକୁ ଭାଙ୍ଗିପାରିବେ କି ବିରୋଧୀ

ଭୁବନେଶ୍ୱର : ଏକଦା ଆସ୍କା ଥିଲା କଂଗ୍ରେସର ଗଡ଼  । କିନ୍ତୁ ୧୯୯୬ରୁ ଏଠାରେ ବିଜୁ ପଟ୍ଟନାୟକ ବାଜିମାତ୍‌ କରିବା ପରେ ଏହା ଅଣକଂଗ୍ରେସର ଦୁର୍ଗରେ ପରିଣତ ହୋଇଛି  । ବିଜୁବାବୁଙ୍କ ପରଲୋକ ପରେ ନବୀନ ପଟ୍ଟନାୟକ ଉପନିର୍ବାଚନରେ ବାଜିମାତ୍‌ କରି ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ  । ୧୯୯୮ ଓ ୧୯୯୯ରେ ସେ ବିଜେଡ଼ି ଟିକେଟରେ ସାଂସଦ ହୋଇଥିଲେ  । ଏହା ପରଠାରୁ ଗତ ୫ଟି ନିର୍ବାଚନରେ ବିଜେଡ଼ି ଜିତି ଆସୁଥିବାରୁ ସେଠାରେ ଦଳର ପଲା ଭାରିରହିଛି  ।
ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳିକୁ ନେଇ ଏହି ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି  । ଗତଥର ବିଜେଡ଼ି ପ୍ରମିଳା ବିଷୋୟୀଙ୍କ ଭଳି ଜଣେ ଏସଏଚଜି ନେତ୍ରୀଙ୍କୁ ଟିକେଟ ଦେଇ ଚକିତ କରିଦେଇଥିଲା  । ଏଥର ମଧ୍ୟ ଦଳ ମହିଳା କାଡର଼୍ ଖେଳି ରଞ୍ଜିତା ସାହୁଙ୍କୁ ଟିକେଟ୍‌ ଦେଇଛି  । ଏହି ଲୋକସଭା ଅନ୍ତର୍ଗତ ବିଧାନସଭା ଆସନରେ ବିଜେଡ଼ିର ସ୍ଥିତି ଭଲ ଥିବାରୁ ପ୍ରଥମ ଥର ପାଇଁ ସଂସଦ ଯିବାକୁ ରଞ୍ଜିତା ଆଶା ବାନ୍ଧିଛନ୍ତି  । ରଞ୍ଜିତାଙ୍କୁ ଏଥର ଟକ୍କର ଦେଉଛନ୍ତି ବିଜେପି ନେତ୍ରୀ ଅନୀତା ପ୍ରିୟଦର୍ଶିନୀ  । ଅନୀତାଙ୍କ ବାପା ରାମକୃଷ୍ଣ ପଟ୍ଟନାୟକ ଏକଦା ଗଞ୍ଜାମ ରାଜନୀତିକୁ ହାତମୁଠାରେ ରଖିଥିଲେ  । ସେହିପରି ନବୀନ ମୁଖ୍ୟମନ୍ତ୍ରୀ ହେବା ପରେ ଆସ୍କା ଆସନରୁ ଇସ୍ତଫା ଦେଇଥିଲେ  । ଫଳରେ ଉପନିର୍ବାଚନରେ ଅନୀତାଙ୍କ ମା’ କୁମୁଦିନୀ ପଟ୍ଟନାୟକ ସାଂସଦ ହୋଇଥିଲେ  । ପୂର୍ବରୁ ସେମାନେ ବିଜେଡ଼ିରେ ଥିଲେବି ଏବେ ବିଜେପିରେ ମିଶି ସାରିଛନ୍ତି  । ରାମକୃଷ୍ଣଙ୍କ ପୁରୁଣା ସହଯୋଗୀ ଓ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଆଧାରରେ ଅନୀତା ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି  । ଅପରପକ୍ଷରେ ପୁରୁଣାଗଡ଼କୁ ଫେରାଇ ଆଣିବାକୁ ଉଦ୍ୟମ କରୁଛି କଂଗ୍ରେସ  । ଏଥର କଂଗ୍ରେସ ଟିକେଟରେ ଦେବକାନ୍ତ ଶର୍ମା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି  । ତେବେ ସାନଖେମୁଣ୍ଡିରେ କଂଗ୍ରେସ ହିଁ ମଜବୁତ ସ୍ଥିତିରେ ରହିଛି  । କିନ୍ତୁ ଅନ୍ୟ ସବୁ ବିଧାନସଭା ଆସନରେ ବିଜେଡ଼ି ଭଲ ସ୍ଥିତିରେ ଥିବାରୁ ଦେବକାନ୍ତ କଠିନ ପରିଶ୍ରମ କରୁଛନ୍ତି  । 
୨୦୧୪ରେ କଂଗ୍ରେସ ୨ ଲକ୍ଷରୁ ଉଦ୍ଧ୍ୱର୍ ଭୋଟ ପାଇଥିଲା  । କିନ୍ତୁ ସେହି ନିର୍ବାଚନରେ ବିଜେପି ୭୦ ହଜାର ତଳେ ଥିବାବେଳେ ୨୦୧୯ରେ ବିଜେପି ପ୍ରାର୍ଥୀ ଅନୀତା ସାଢେ଼ ୩ ଲକ୍ଷ ଭୋଟ ହାତେଇ ପାରିଥିଲେ  । ତେଣୁ ବିଜେପିର ଶକ୍ତି କେତେ ବୃଦ୍ଧିପାଇଛି ଏଥିରୁ ଅନୁମାନ କରାଯାଇପାରେ  । ରଞ୍ଜିତା ଓ ଅନୀତାଙ୍କ ମଧ୍ୟରେ ଟକ୍କର ଜୋରଦାର ଚାଲିଥିବାବେଳେ କିଏ ବାଜିମାତ କରୁଛି ତାହା ଦେଖିବାକୁ ବାକି ରହିଲା  ।