ବଡ଼ ଖବର : ନବ ଦାସଙ୍କ ହତ୍ୟାକାଣ୍ଡର ହେବ ସିବିଆଇ ତଦନ୍ତ !

Naba Das

ବଡ଼ ଖବର : ନବ ଦାସଙ୍କ ହତ୍ୟାକାଣ୍ଡର ହେବ ସିବିଆଇ ତଦନ୍ତ !

ଭୁବନେଶ୍ୱର : କଡ଼ ଲେଉଟାଇଛି ନବ ଦାସଙ୍କ ହତ୍ୟା ପ୍ରସଙ୍ଗ  । ପୁଣି  ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଥିବାବେଳେ ବିଜେଡ଼ି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି  । ଆଜି ଏନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି  । ସିଧାସିଧା କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପରେ ଯିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ ସେମାନେ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ  । ଅପରପକ୍ଷରେ ଦୀପାଳି ଲିଖିତ ଭାବେ ଅଭିଯୋଗ କରିବେ ବୋଲି କହିଛନ୍ତି  । 

ଗତ କିଛିଦିନ ଧରି ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ବିଜେପି ନେତାମାନେ ଦୀପାଳିଙ୍କୁ ଟାର୍ଗେଟ୍‌ କରି ଆସୁଛନ୍ତି  । ଆଜି ଏନେଇ ବରଗଡ଼ ସାଂସଦ ଶ୍ରୀ ପୁରୋହିତ କହିଛନ୍ତିଯେ, ଯିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ ସିଏ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ  । ଆଜି ତାହା ପ୍ରମାଣିତ ହେବାକୁ ଯାଉଛି  । ଦୁର୍ଭାଗ୍ୟର ବିଷୟ ସେ ସମୟରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ନୀରବ ରହିଲେ  । କ୍ଷମତା ଓ ସମ୍ପତ୍ତି ଲୋଭରେ ତଦନ୍ତ ଠିକ୍‌ ହେଉଥିବା କହିଲେ  । ଯଦି ପ୍ରକୃତରେ ତାଙ୍କ ପରିବାର ନବ ଦାସଙ୍କ ହତ୍ୟାକାରୀକୁ ଧରିବାକୁ ଚାହୁଁଛନ୍ତି ତେବେ ଓଡ଼ିଶା ସରକାରଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ ଦିଅନ୍ତୁ  । ନବ ଦାସଙ୍କ ହତ୍ୟାକାଣ୍ଡର ଅଧିକ ତଦନ୍ତ ହେବାର ଆବଶ୍ୟକତା ରହିଛି ଏବଂ ପରଦା ପଛର ଖଳନାୟକ ମାନେ ସାମ୍ନାକୁ ଆସିବା ଦରକାର ଅଛି ବୋଲି ସେ କହିଛନ୍ତି  ।

ଅପରପକ୍ଷରେ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ସରକାରଙ୍କୁ ଲିଖିତ ଭାବେ ଜଣାଇବେ ବୋଲି ଦୀପାଳି ଦାସ କହିଛନ୍ତି  । ସେ କହିଛନ୍ତି, ରାଜ୍ୟ ସରକାର ସିବିଆଇ ତଦନ୍ତ ଆଦେଶ ଦିଅନ୍ତୁ  । ଆମ ପରିବାର ସବୁ ପ୍ରକାର ସହଯୋଗ କରିବେ । ଆମେ ଲିଖିତ ଭାବେ ଅଭିଯୋଗ କରିବାକୁ ଘରେ ଆଲୋଚନା କରୁଛୁ ବୋଲି ସେ କହିଛନ୍ତି  ।

ଅପରପକ୍ଷରେ ଏହି ଘଟଣାକୁ ନେଇ ବହୁ ତଥ୍ୟ ପଦାକୁ ଆସିବାରେ ଲାଗିଛି  । ଏହି ଘଟଣାରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲା  । ତେବେ ନବ ଦାସଙ୍କ ରକ୍ତଭିଜା ସାର୍ଟ ମିଳୁନଥିବାବେଳେ ଗୁଳିକାଣ୍ଡ ବେଳେ ଯେତିକି ରାଉଣ୍ଡ ଫାୟାରିଂ ହୋଇଥିଲା ତାହାର ହିସାବରେ ତାଳମେଳ ନଥିବା ଜାଣିବାକୁ ମିଳିଛି  ।