ଷ୍ଟାଲିନ୍ ସରକାରଙ୍କ ତ୍ରିଭାଷୀ ରାଗ : ବଜେଟରେ ‘ରୁପିଜ୍’ ହେଲା ‘ରୁବାଇ’

 ଚେନ୍ନାଇ:  ଦକ୍ଷିଣ ଭାରତ ରାଜ୍ୟ ତାମିଲନାଡ଼ୁରେ ତ୍ରିଭାଷୀ ବିବାଦ ଏବେ ଉପରମୁହାଁ । କେନ୍ଦ୍ର ନୀତି ନିୟମକୁ ଆଉ ସିଧାସଳଖ ତ ପରିବର୍ତ୍ତନ କରି ହେବନି; ଏଥିପାଇଁ ରାଜ୍ୟ ସରକାରଙ୍କ କ୍ଷମତା ଭିତ୍ତିରେ ଯେତିକି ପାରିବା କଥା ତାହା ଆମେ ପରିବର୍ତ୍ତନ  କରିବୁ । ଏହିଭଳି ଚିନ୍ତାଧାରା ନେଇ ଆଜି ତାମିଲନାଡ଼ୁର ଷ୍ଟାଲିନ୍ ସରକାର ୨୦୨୫-୨୬ ରାଜ୍ୟ ବଜେଟ୍ରେ ଭାରତରେ ପ୍ରଚଳିତ ଟଙ୍କାର ପ୍ରତୀକ ‘ରୁପିଜ୍’କୁ ବଦଳାଇ ଏହାକୁ ‘ରୁବାଇ’ରେ ନାମିତ କରିଛନ୍ତି । ବଜେଟ୍ ଅବ୍ୟବହିତ ପୂର୍ବରୁ ଟଙ୍କାର ପ୍ରତୀକ ପରିବର୍ତ୍ତନକୁ ନେଇ ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି । ତେବେ ଷ୍ଟାଲିନ୍ ସରକାର ଭାଷା ବିବାଦକୁ ନେଇ ପ୍ରଶାସନିକସ୍ତରରେ ପ୍ରତିବାଦର ପ୍ରଥମ ମଞ୍ଜି ବୁଣିଛନ୍ତି । ଟଙ୍କାର ଲୋଗୋ ବଦଳାଇଥିବା ସମ୍ପର୍କରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ନିଜ ଏକ୍ସ ଆକାଉଣ୍ଟରେ ମଧ୍ୟ ସେୟାର୍ କରିଛନ୍ତି । ହାସ୍ଟ୍ୟାଗ୍ ‘ଦ୍ରାବିଡିଆନ୍ମଡେଲ୍’, ‘ଟିଏନ୍ବଜେଟ୍୨୦୨୫’ ଲେଖି ଷ୍ଟାଲିନ୍ ଲେଖିଛନ୍ତି ଯେ, ରୁପିଜ୍ରେ ବ୍ୟବହୃତ ‘ଆର୍’ ଅକ୍ଷର ହିନ୍ଦୀ ବର୍ଣ୍ଣମାଳା ହୋଇଥିବାରୁ ଏହାକୁ ବଦଳାଇ ତାମିଲ ଅକ୍ଷର ‘ରୁ’ ବା ରୁବାଇ କରାଯାଇଛି । ଏହାସହ ସେ କହିଛନ୍ତି ଯେ, ଆସନ୍ତାକାଲି ବଜେଟ୍ ଉପସ୍ଥାପନ ହେବାକୁ ଥିବା ବେଳେ ଏହି ବଜେଟ୍ ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କ ହିତକୁ ଦେଖି ବ୍ୟବସ୍ଥିତ କରାଯାଇଛି । ରାଜ୍ୟର ସବୁବର୍ଗଙ୍କ ପାଇଁ ଏହା ଲାଭଦାୟକ ହେବ ଓ ତାମିଲନାଡ଼ୁର ବିକାଶକୁ ସୁନିଶ୍ଚିତ କରିବ ।
ଅପରପକ୍ଷେ ପୂର୍ବ ବଜେଟ୍ଗୁଡ଼ିକରେ ତାମିଲନାଡ଼ୁ ସାରାଭାରତରେ ପ୍ରଚଳିତ ‘ରୁପିଜ୍’ ପ୍ରତୀକକୁ ବ୍ୟବହାର କରିଥିବା ବେଳେ ଚଳିତ ବର୍ଷରୁ ଏହାକୁ ବଦଳାଇଥିବାରୁ ରାଜ୍ୟର ଅନ୍ୟ ଦଳୀୟ ନେତାମାନେ ଏହାକୁ ବିରୋଧ କରିଛନ୍ତି ।  ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଟଙ୍କାର ପ୍ରତୀକ ରୂପେ ବ୍ୟବହାର ହେଉଥିବା ‘ରୁପିଜ୍’ ଲୋଗୋକୁ ଡିଜାଇନ୍ କରିଥିବା ଗୌହାଟୀ ଆଇଆଇଟିର ପ୍ରଫେସର୍ ଡି ଉଦୟ କୁମାର ତାମିଲନାଡ଼ୁରେ ସରକାର ଗଠନ କରିଥିବା ଡିଏମ୍କେ ଦଳର ଜଣେ ନେତାଙ୍କ ପୁଅ । ଏ ଘଟଣାକୁ ନେଇ ଏବେ ବିରୋଧୀମାନେ ନାନା ପ୍ରଶ୍ନ କରିବାରେ ଲାଗିଛନ୍ତି ।
ତାମିଲନାଡ଼ୁ ବିଜେପି ମୁଖପାତ୍ର ନାରାୟଣନ୍ ତିରୁପତି ଡିଏମ୍କେ ସରକାରଙ୍କ  ଏଭଳି ପରିବର୍ତ୍ତିତ ଭାବମୂର୍ତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି “ଷ୍ଟାଲିନ୍ ସର୍ବଭାରତୀୟସ୍ତରରେ ପ୍ରଚଳିତ ଟଙ୍କାର ପ୍ରତୀକକୁ ବଦଳାଇ ଏହା ପ୍ରମାଣିତ କରୁଛନ୍ତି ଯେ, ତାମିଲନାଡ଼ୁ ଭାରତ ଠାରୁ ସମ୍ପୂର୍ଣ୍ଣ ଅଲଗା ।” ନାରାୟଣନ୍ଙ୍କ ପ୍ରତିକ୍ରିୟାକୁ କାଉଣ୍ଟର୍ କରି ଡିଏମ୍କେ ନେତା ଶ୍ରବଣନ୍ ଆନ୍ନାଦୁରାଇ କହିଛନ୍ତି “ଏହା କୌଣସି ବେଆଇନ କିମ୍ବା ବିରୋଧାଭାଷ ନୁହେଁ, ତାମିଲ ଭାଷାକୁ ପ୍ରାଥମିକତା ଭିତ୍ତିରେ ଏପରି ପରିବର୍ତ୍ତନ କରାଯାଇଛି । ଯାହାଦ୍ୱାରା ସରକାରଙ୍କ ମଧ୍ୟ ତାମିଲ ଭାଷା ପ୍ରୀତି ରହିଛି ବୋଲି ସ୍ପଷ୍ଟ ହେଉଛି ।”