ରାଜ୍ୟରେ ୯ ହଜାର ସାମ୍ବାଦିକ

 ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ସଂଖ୍ୟା ୯୦୮୩ ରହିଛି । ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୧,୮୧୮ ଜଣ କାର୍ଯ୍ୟରତ ସାମ୍ବାଦିକ ରହିଛନ୍ତି ବୋଲି ଏକ ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି । ବିଧାୟକ ଅମରେନ୍ଦ୍ର ଦାସଙ୍କ  ପ୍ରଶ୍ନ ର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ସଂଖ୍ୟା କେତେ ଏବଂ ସେମାନଙ୍କର ନାମ ଓ ସେମାନେ କେଉଁ ସଂସ୍ଥାରେ କାମ କରୁଛନ୍ତି, ତାହାର ଏକ ତାଲିକା ଜିଲ୍ଲାୱାରୀ ପ୍ରଦାନ କରିବେ କି ? ସେମାନଙ୍କର ସୁବିଧା ଓ ସୁରକ୍ଷା ଦେବାପାଇଁ ସରକାରଙ୍କ କିଛି ବ୍ୟବସ୍ଥା ରହିଛି କି ?
ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଥିବା କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବା ସହିତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଯୋଗ୍ୟ ଆବେଦନକାରୀଙ୍କୁ ନିୟମ ମୁତାବକ ଆର୍ଥିକ ସହାୟତା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ରାଜ୍ୟରେ ପ୍ରଚଳିତ ଆଇନ ଅନୁଯାୟୀ ସାମ୍ବାଦିକମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ସବୁବେଳେ ସମ୍ବେଦନଶୀଳ ଅଛନ୍ତି ଏବଂ ଏହାକୁ ନିଶ୍ଚିତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।