ସୌମ୍ୟଙ୍କ କଟାକ୍ଷ : କ୍ରୀତଦାସ ଦଳ ଚଳାଇଲେ ଏମିତି ହୁଏ

Biju Janata Dal

ସୌମ୍ୟଙ୍କ କଟାକ୍ଷ : କ୍ରୀତଦାସ ଦଳ ଚଳାଇଲେ ଏମିତି ହୁଏ

ଭୁବନେଶ୍ୱର : ମିଡ଼ିଆକୁ ଚାମଚା ବୋଲି ମନେ କରିବା ଉଚିତ ନୁହେଁ  । ମିଡ଼ିଆକୁ କରାୟତ୍ତ କରାନଯାଉ  । ମିଡ଼ିଆକୁ ବନ୍ଧୁ ବୋଲି ବିଚାର କରାଯାଉ  । କ୍ରୀତଦାସଙ୍କ ଦ୍ୱାରା ଦଳ ଚଳାଇଲେ ଏମିତି ହୁଏ ବୋଲି ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡ଼ିକୁ କଟାକ୍ଷ କରିଛନ୍ତି  । ସେ କହିଲେଯେ, ପ୍ରଥମ କିଛି ବର୍ଷ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇପାରିଲି  । ପରେ ଆଉ ତାହା ସମ୍ଭବପର ହେଲାନାହିଁ  । ମୁଁ ଦିନେ ନବୀନବାବୁଙ୍କ ପାଇଁ ସମ୍ପତ୍ତି ଥିଲି, କିନ୍ତୁ ପରେ କେମିତି ବିପତ୍ତିରେ ପରିଣତ ହେଲି ଜାଣିପାରୁନି  । ଏବେ ନିର୍ବାଚନ ପରେ ସେ ମୁଁ ବିପତ୍ତି କି ସମ୍ପତ୍ତି ତାହା ଜାଣିପାରିଥିବେ  । ବିନା ଦଳ, ବିନା ସଂଗଠନରେ ମୁଁ ସାଧାରଣ ଲୋକଙ୍କ ପାଇଁ ଲଢେ଼ଇ କରୁଥିଲି  । ଗୋଟିଏ ଲେଖା ପାଇଁ ଏଭଳି ହଟଚମଟ ସୃଷ୍ଟି ହୋଇଥିଲା  । ମୁଁ ଅସହାୟ ରାଜନେତା ଓ ପ୍ରଶାସକଙ୍କ ବିଷୟରେ ଲେଖିଥିଲି  । ଯାହାକୁ ନେଇ ଯେଉଁ ଘଟଣା ଘଟିଲା ତାହା ସମସ୍ତେ ଜାଣନ୍ତି  । ମୋ ସହଯୋଗୀଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ମୁଁ ସମ୍ବାଦରୁ ଅବ୍ୟାହତି ନେଇଛି  । ତେବେ ମୁଁ ଯେଉଁ ପ୍ରସଙ୍ଗ ଉଠାଇଥିଲି ଆଜି ସେହି ପ୍ରସଙ୍ଗରେ ହିଁ ବିଜେଡ଼ି ତାହାର ଦଣ୍ଡ ଭୋଗୁଛି  । ମୋତେ ତ ବଦ୍ରି ପାତ୍ର ସାଇବେରିଆ ପକ୍ଷୀ ଓ ତଡ଼ାଖିଆ ବୋଲି କହିଥିଲେ  । ମୁଁ ସବୁ ଦଳ ବୁଲିକି ଚାଲି ଆସିଲିଣି । ଏବେ ସ୍ୱାଧୀନ ଭାବେ ମୁଁ ରାଜନୀତି କରୁଛି  । ସବୁବେଳେ ମୋ ସହ ମୋ ପରିବାରକୁ ଯୋଡ଼ି ଆଲୋଚନା କରିବାର ଅଭ୍ୟାସରୁ ବଦ୍ରି ବାବୁ ବିରତ ରୁହନ୍ତୁ  । ମୁଖ୍ୟମନ୍ତ୍ରୀ ନିଜକୁ ଲୋକପ୍ରିୟ ବୋଲି କହୁଥିଲେ  । ନବୀନ ବାବୁ ହାରିବେ ବୋଲି କିଏ ଭାବିଥିଲା ? କିନ୍ତୁ ସେ ନିଜେ ହାରିଲେ, ହିଞ୍ଜିଳିରୁ ଅଳ୍ପ ଭୋଟରେ ଜିତିଛନ୍ତି  । ଓଡ଼ିଶାବାସୀ ନବୀନବାବୁଙ୍କୁ ଭଲ ପାଇଛନ୍ତି  । କିନ୍ତୁ ଓଡ଼ିଶାବାସୀଙ୍କୁ ସେ କ’ଣ ଭଲପାଇବା ଦେଇଥିଲେ ? କିନ୍ତୁ ଏଥର କାହିଁକି ତାଙ୍କୁ ହରାଇଦେଲେ, ଅନ୍ୟ ଗୋଟିଏ ଯାଗାରେ ଦୟାରେ ତାଙ୍କୁ ଜିତାଇଲେ ତାହା ସେ ବୁଝିବା ଦରକାର  । ଏବେ ଦଳକୁ କିଭଳି ଲୋକପ୍ରିୟ କରାଇବେ ସେନେଇ ନବୀନ ବାବୁ ପଦକ୍ଷେପ ନିଅନ୍ତୁ  ।