ସହରରେ ସ୍ୱେରେଜ୍ ଫେଲ୍
CAG report

ଭୁଲ୍ ଡିପିଆର ପାଇଁ ଅଧିକ ୩ ହଜାର କୋଟି ଖର୍ଚ୍ଚ
ରାଜଧାନୀବାସୀ ପିଉଥିଲେ ଦୂଷିତ ପାଣି
ଭୁବନେଶ୍ୱର : ସହରାଞ୍ଚଳ ବିକାଶ ପାଇଁ ପୂର୍ବ ସରକାର କେବଳ ବାହାସ୍ଫୋଟ ମାରୁଥିଲେ । ସଠିକ ଯୋଜନାର ଅଭାବ ଓ ଡିପିଆରରେ ତ୍ରୁଟି ପାଇଁ ୩ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହୋଇଥିଲା । ସ୍ୱେରେଜ ବିକାଶରେ ନବୀନ ସରକାରଙ୍କ ବିଫଳତାର ହିସାବ ଦେଇଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (କାଗ୍) । ମହାନଗର ନିଗମରେ ବର୍ଷା ଜଳ ନିଷ୍କାସନ ଓ ସ୍ୱେରେଜ୍ ପରିଚାଳନା ନେଇ କାଗ୍ ରିପୋର୍ଟ ପ୍ରଦାନ କରିଛନ୍ତି । ସେଥିରେ ସ୍ପଷ୍ଟ ଭାବେ ଉଲ୍ଳେଖ ରହିଛିଯେ, ଉପଯୁକ୍ତ ଯୋଜନା ଅଭାବରୁ ହଜାର ହଜାର କୋଟିର ଅତିରିକ୍ତ ବ୍ୟୟବରାଦ ହୋଇଥିଲା । ଏବାବଦରେ ପ୍ରାୟ ୩ ହଜାର କୋଟି ଟଙ୍କା ଅଧିକ ବ୍ୟୟ ବରାଦ କରିବାକୁ ପଡ଼ିଥିଲା ।
ଏତଦବ୍ୟତୀତ ଅନେକ ତ୍ରୁଟି ବିଚ୍ୟୁତି ବାହାର କରିଛନ୍ତି କାଗ୍ । ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ସ୍ୱେରେଜ ବ୍ୟବସ୍ଥା ପାଇଁ ଠିକାଦାରଙ୍କୁ ୬୨୨ କୋଟି ଟଙ୍କା ଦିଆଯାଇଥିଲା । ବିଏମସି ଓ ସିଏମସି ପାଇଁ ପ୍ରଥମେ ୯୪୫ କୋଟି ଟଙ୍କା ବ୍ୟୟରେ ତିନୋଟି ସ୍ୱେରେଜ ଏବଂ ଡ୍ରେନେଜ୍ ପାଇଁ ଡିପିଆର କରାଯାଇଥିଲା । ପରେ ସଂଶୋଧିତ ପ୍ରସ୍ତାବ ଆସିବାରୁ ପ୍ରକଳ୍ପ ମୂଲ୍ୟ ୨୯୭୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ।
ଗାଏମୋଟ୍ କହିଲେ ବାରବାର ଡିପିଆର ବଦଳିଥିଲା । ଅର୍ଥାତ୍ ଏଥିରେ ଦୂରଦୃଷ୍ଟିର ଅଭାବ ସହ ଅଧିକାରୀମାନେ ଅବହେଳା ପ୍ରଦର୍ଶନ କରିଥିଲେ । ଚାରୋଟି ପ୍ରକଳ୍ପ ୯ ବର୍ଷରୁ ଅଧିକ ସମୟ ଧରି ସମ୍ପୂର୍ଣ୍ଣ ହୋଇପାରିନଥିଲା । ଅପରପକ୍ଷରେ ବାରବାର ଯୋଜନା, ନକ୍ସା ଓ ଡିପିଆର ଆଦି ବଦଳିବାରୁ ବ୍ୟୟବରାଦ ବି ବଢ଼ିବଢ଼ି ଚାଲିଥିଲା । ଅହେତୁକ ବିଳମ୍ବ ଯୋଗୁଁ ସହରବାସୀ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇପାରିଲେ ନାହିଁ ।
ଅପରପକ୍ଷରେ କାଗ୍ ଉଲ୍ଳେଖ କରିଛନ୍ତିଯେ, ଭୂତଳ ଜଳସ୍ତର ହ୍ରାସ ପାଇଥିଲେବି ମହାନଗର ନିଗମ ପକ୍ଷରୁ ଭୂତଳ ଜଳ ଭରଣା ପାଇଁ ପଦକ୍ଷେପ ନିଆଯାଇନଥିଲା । ମହାନଗର ନିଗମଗୁଡ଼ିକ ଡ୍ରେନକୁ ସ୍ଳାବରେ ଢାଙ୍କି ଲୋକମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ପାରିନଥିଲେ । ସହରଗୁଡ଼ିକରେ ଜଳବନ୍ଦୀ ଏକ ବଡ଼ ସମସ୍ୟା । ହେଲ ବର୍ଷା ଜଳ ନିଷ୍କାସନ ଓ ପରିଚାଳନା ପାଇଁ ମାଷ୍ଟର ପ୍ଳାନ ପ୍ରସ୍ତୁତ ହୋଇନଥିବାରୁ ବନ୍ୟା ସ୍ଥିତି ଉପୁଜିଥିଲା । ସବୁଠାରୁ ବଡ଼ କଥାଟି ହେଉଛି ଭୁବନେଶ୍ୱରକୁ ଜଳଯୋଗାଣ ପାଇଁ କୁଆଖାଇ ନଦୀର କୂଅ ପାଣି ଅତ୍ୟନ୍ତ ଦୂଷିତ ଥିଲା । ଅତଏବ ରାଜଧାନୀ ବାସୀ ଦୂଷିତ ପାଣି ପିଇବାକୁ ବାଧ୍ୟ ହୋଇଥିଲେ । ଅନଭିଜ୍ଞ ଠିକାଦାରଙ୍କୁ କାର୍ଯ୍ୟାଦେଶ ଯୋଗୁଁ ପ୍ରକଳ୍ପ ବିଳମ୍ବିତ ହେବା ସହ ଶହ ଶହ କୋଟି ଟଙ୍କା ଅଯଥା ଖର୍ଚ୍ଚ ହୋଇଥିଲା । କଟକରେ ଏଥିପାଇଁ ପ୍ରାୟ ୨୯୪ କୋଟି ଟଙ୍କାର ବ୍ୟୟ ବୃଦ୍ଧି ହୋଇଥିବାବେଳେ ଭୁବନେଶ୍ୱରରେ ପ୍ରାୟ ୫୫୦ କୋଟି ଟଙ୍କାର ବ୍ୟୟ ବୃଦ୍ଧି ହୋଇଥିଲା ।