ପୂର୍ବତନ ଇସ୍ରୋ ଅଧ୍ୟକ୍ଷଙ୍କ ପରଲୋକ

ବେଙ୍ଗାଲୁରୁ :  ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ଏବଂ ବିଜ୍ଞାନ କ୍ଷେତ୍ରରେ ଭାରତକୁ ନୂତନ ଶିଖରରେ ପହଞ୍ଚାଇଥିବା ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ତଥା ବରିଷ୍ଠ ବୈଜ୍ଞାନିକ କେ. କସ୍ତୁରୀରଙ୍ଗନଙ୍କ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ସେ ଜାତୀୟ ଶିକ୍ଷାନୀତି ୨୦୨୫ (ଏନ୍ଇପି)ର ଡ୍ରାଫ୍ଟିଂ କମିଟି ସଦସ୍ୟ ମଧ୍ୟ ଥିଲେ । ଗତ କିଛି ମାସ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ବେଳେ ଆଜି ସକାଳେ ବେଙ୍ଗାଲୁରୁସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ତାଙ୍କ ମର ଶରୀରକୁ ୨୭ ଏପ୍ରିଲ ପର୍ଯ୍ୟନ୍ତ ରମଣ ଗବେଷଣା ପ୍ରତିଷ୍ଠାନ (ଆରଆରଆଇ)ରେ ସାଧାରଣ ଦର୍ଶନ ପାଇଁ ରଖାଯିବ ବୋଲି କୁହାଯାଇଛି ।
କସ୍ତୁରୀରଙ୍ଗନଙ୍କ ମୃତୁ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖପ୍ରକାଶ କରିବା ସହ ମହାକାଶ ବିଜ୍ଞାନ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ନିଜ ଏକ୍ସ ଆକାଉଣ୍ଟରେ ପ୍ରକାଶ କରିଛନ୍ତି । ସେ ତାଙ୍କ ଆକାଉଣ୍ଟରେ ଲେଖିଛନ୍ତି "ଭାରତର ବୈଜ୍ଞାନିକ ଏବଂ ଶିକ୍ଷାଗତ ଯାତ୍ରାର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଡକ୍ଟର କସ୍ତୁରିରଙ୍ଗନଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ । ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ଦେଶ ପ୍ରତି ନିଃସ୍ୱାର୍ଥପର ଅବଦାନ ସର୍ବଦା ମନେ ରହିବ ।’ ସେହିପରି ଜାତୀୟ ଶିକ୍ଷା ନୀତିରେ ତାଙ୍କ ଅବଦାନକୁ ମନେ ପକାଇ ମୋଦି ଲେଖିଛନ୍ତି, "ଜାତୀୟ ଶିକ୍ଷା ନୀତି (ଏନ୍ଇପି) ପ୍ରଣୟନ ଏବଂ ଭାରତରେ ଶିକ୍ଷାକୁ ଅଧିକ ସାମଗ୍ରିକ ଏବଂ ଦୂରଦୃଷ୍ଟିସମ୍ପନ୍ନ କରିବାରେ ଡକ୍ଟର କସ୍ତୁରିରଙ୍ଗନଙ୍କ ପ୍ରୟାସ ପାଇଁ ଭାରତ ସର୍ବଦା ତାଙ୍କ ନିକଟରେ ଋଣି ରହିବ । ସେ ଅନେକ ଯୁବ ବୈଜ୍ଞାନିକ ଏବଂ ଗବେଷକଙ୍କ ପାଇଁ ଜଣେ ଉକ୍ରୃଷ୍ଟ ମାର୍ଗଦର୍ଶକ ମଧ୍ୟ ଥିଲେ । ତାଙ୍କ ପରିବାର, ଛାତ୍ର, ବୈଜ୍ଞାନିକ ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି ।’ ସୂଚନାଯୋଗ୍ୟ ଡକ୍ଟର କସ୍ତୁରୀରଙ୍ଗନ ଏପ୍ରିଲ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବାଙ୍ଗାଲୋରରେ ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍ର ନିଦେ୍ର୍ଦଶକ ଥିଲେ । ସେ ୨୪ ଅକ୍ଟୋବର ୧୯୪୦ରେ କେରଳର ଏର୍ଣ୍ଣାକୁଲମରେ ଜନ୍ମଗ୍ରହଣ କରିଥିଲେ ।