ଏବର୍ଷ ବି ନିରାଶ ହେଲେ ଛାତ୍ର ନେତା
College Election Student Election
ଭୁବନେଶ୍ୱର : ବିଜେପି ସରକାର ଆସିବା ପରେପରେ କ୍ୟାମ୍ପସ ଚଳଚଞ୍ଚଳ ହୋଇଯାଇଥିଲା । ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସଂକେତ ଦେବା ପରେ ଛାତ୍ରନେତାମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କିନ୍ତୁ ଏବେ ଆଉ ଏହାର ସୋରଶବ୍ଦ ନାହିଁ । ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ ଅନ୍ଧାରକୁ ଠେଲି ହୋଇଯାଇଛି ।
ସାଧାରଣତଃ ଦଶହରା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ । ଚଳିତ ବର୍ଷ ଅକ୍ଟୋବର ୧୨ରେ ଦଶହରା । ଅର୍ଥାତ୍ ଏହାର ତିନି ଚାରିଦିନ ପୂର୍ବରୁ ଛୁଟି ହୋଇଥାଏ । ଅର୍ଥାତ୍ ଯଦି ନିର୍ବାଚନ କରିବାର ଥିବ ତେବେ ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ହିଁ ସରିବା କଥା । ଏଥିପାଇଁ ପ୍ରାୟ ମାସକ ପୂର୍ବରୁ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାର ବିଧି ରହିଛି । ୨୦୧୭ରେ ଅଗଷ୍ଟ ୧୩ରେ ହିଁ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା । ସେତେବେଳେ ସେପ୍ଟେମ୍ବର ୨୩ରେ ନିର୍ବାଚନ ହେବାନେଇ କୁହାଯାଇଥିଲା । ଅର୍ଥାତ୍ ମାସେ ଦଶ ଦିନ ପୂର୍ବରୁ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା । ଏକଥା ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଉଛି ଚଳିତ ବର୍ଷ ଯଦି ନିର୍ବାଚନ ହେବାର ଥିବ ତେବେ ରାଜ୍ୟ ସରକାର ଅଗଷ୍ଟ ଶେଷ ସୁଦ୍ଧା କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ କରିବା କଥା । କିନ୍ତୁ ଏଯାଏଁ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଲୋଚନା ବି ହୋଇନାହିଁ । ମନ୍ତ୍ରୀଙ୍କ ଘୋଷଣା ଏବେ ଶୀତଳ ଭଣ୍ଡାରରେ ହିଁ ରହିଛି ।
ବିଜେଡ଼ି ସରକାର ଅମଳରେ ବିଭିନ୍ନ ଆଳ ଦେଖାଇ ଗତ କିଛି ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ କରାଯାଉନାହିଁ । ସେତେବେଳେ ଛାତ୍ର କଂଗ୍ରେସ ଓ ଏବିଭିପି ପକ୍ଷରୁ ନିର୍ବାଚନ ପାଇଁ ଦାବି କରାଯାଉଥିଲା । ଚଳିତ ଥର ମଧ୍ୟ ଏବିଭିପି ପକ୍ଷରୁ କ୍ୟାମ୍ପସ ଭୋଟ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ବିଜେଡ଼ି ସରକାର ଦଳରେ ଅନ୍ତଃକନ୍ଦଳ ନବଢ଼ାଇବା ପାଇଁ ଛାତ୍ର ସଂସଦ ନିର୍ବାଚନ ଏଡାଉଥିଲେ । କାହିଁକିନା କ୍ୟାମ୍ପସ ଇଲେକ୍ସନ ହେଲେ ବିଜେଡ଼ି ଓ ବିଜେଡ଼ି ମଧ୍ୟରେ ହିଁ ଲଢେ଼ଇ ହେବାର ସମ୍ଭାବନା ଥିଲା । ସାଂସଦ, ବିଧାୟକ, ମନ୍ତ୍ରୀ, ଜିଲ୍ଳା ସଭାପତିମାନେ ନିଜ ନିଜ ପ୍ରାର୍ଥୀ ଦେବାର ବି ଆଶଙ୍କା ଥିଲା । ଅବଶ୍ୟ ଏହି ଆଶଙ୍କା ବିଜେପିରେ ନାହିଁ । କିନ୍ତୁ ଗତ ନିର୍ବାଚନରେ ବିଜେଡ଼ି ହାରିଥିଲେବି ବିଜେପି ଠାରୁ ଅଧିକ ଭୋଟ୍ ପାଇଥିଲା । ଦଳର ସଂଗଠନ ଏବେବି ମଜବୁତ ଅଛି । ଛାତ୍ର ବିଜେଡ଼ି ନିଶ୍ଚିତ ଭାବେ ଛାତ୍ର କଂଗ୍ରେସ ଓ ଏବିଭିପି ଠାରୁ ଆଗରେ ରହିଛି । ଯଦି ଏବେ ଛାତ୍ର ସଂସଦ ନିର୍ବାଚନ ହୁଏ ଓ କ୍ୟାମ୍ପସରେ ବିଜେଡ଼ି ଦବବଦା ଜାହିର କରେ ତେବେ ଏହା ନୂଆ ସରକାର ଓ ବିଜେପି ପାଇଁ ନିଶ୍ଚିତ ଭାବେ ଶକ୍ତ ଝଟକା ହେବ । ଯେଉଁଥିପାଇଁ ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ରାଜନୀତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି ।