ଧର୍ମେନ୍ଦ୍ରଙ୍କୁ ସଫଳତା ଦେବ କି ଉଜ୍ଜ୍ୱଳା ?
DHARMENDRA PRADHAN, ODISHA BJP

ଭୁବନେଶ୍ୱର : ସମ୍ବଲପୁରର ରାଜନୀତିକ ମାହୋଲ ଏବେ ସରଗରମ ହେବାରେ ଲାଗିଛି । ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅପରପକ୍ଷରେ ବିଜେଡ଼଼ିର ହେଭିୱେଟ ନେତା ମଇଦାନକୁ ଓହ୍ଲାଇଛନ୍ତି । ଦୁଇ ଟାଣୁଆ ନେତାଙ୍କ ପାଇଁ ସମ୍ବଲପୁର ମଇଦାନ ଏବେ କମ୍ପିବାରେ ଲାଗିଛି । ଗୋଟିଏ ପଟେ ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କଥା କହୁଥିବାବେଳେ ଉଜ୍ଜ୍ୱଳା ଯୋଜନା ଉପରେ ବେଶୀ ଫୋକସ କରିଛି ବିଜେପି ।
ଉଜ୍ଜ୍ୱଳା ମ୍ୟାନ ଭାବେ ସାରା ଭାରତରେ ପରିଚିତ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସମୟରେ ଏଲପିଜି ଘରେ ଘରେ ପହଁଚି ପାରିଥିଲା । ଯାହାକି ମହିଳା ଭୋଟରଙ୍କୁ ଆକର୍ଷିତ କରିବ ବୋଲି ବିଜେପି ଅଙ୍କ କଷୁଛି । ଖାଲି ସେତିକିନୁହେଁ, ବିଜୁବାବୁଙ୍କ ପରେ କେନ୍ଦ୍ରରେ ଜଣେ ଓଡ଼ିଆ ପୁଅ ଭାବେ ଧର୍ମେନ୍ଦ୍ର ବେଶ୍ ପ୍ରଭାବ ବିସ୍ତାର କରିଛନ୍ତି । ଦୁଇ ଦୁଇଟି ରାଜ୍ୟରୁ ସେ ରାଜ୍ୟସଭାକୁ ଯିବା ସହ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ଏମିତିକି ଇଣ୍ଡିଆ ଟୁଡେ଼ ତାଙ୍କୁ ପାୱାରଫୁଲ ଓ ପପୁଲାର ମନ୍ତ୍ରୀ ଭାବେ ବି ଅଭିହିତ କରିଥିଲା । ପ୍ରଥମ ଦଫାରେ ପେଟ୍ରୋଲିୟମ୍ ଓ ପରେ ଶିକ୍ଷା ମନ୍ତ୍ରୀ ଭାବେ ମୋଦିଙ୍କ ଭିଜନ ପୂରଣ କରିବାରେ ସେ ସଫଳତା ଅର୍ଜନ କରିଛନ୍ତି । ତେବେ ଏଲପିଜି ଘରେଘରେ ପହଁଚାଇଥିବାରୁ ରାଜ୍ୟରେ ବିଜେପିର ମହିଳା ଭୋଟ ବ୍ୟାଙ୍କ ବଢ଼ିଥିବା କୁହାଯାଏ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାର ୫୫.୧୦ ଲକ୍ଷ ମହିଳାଙ୍କୁ ମାଗଣା ଏଲ୍ପିଜି ସଂଯୋଗ ମିଳିଥିବା ବେଳେ, ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୨.୭୨ ଲକ୍ଷ ମହିଳାଙ୍କୁ ଏହି ଯୋଜନାର ଲାଭ ମିଳିଥିବା ଜଣାପଡ଼ିଛି ।
ସେହିପରି ଆଗରୁ ସମ୍ବଲପୁର ଓ ଆଖପାଖ ଜିଲ୍ଲାରେ ପେଟ୍ରୋଲ୍ ଟାଙ୍କି ବହୁତ କମ୍ ଥିବାବେଳେ ଗଲା ୧୦ ବର୍ଷ ମଧ୍ୟରେ ପ୍ରତି ୫ କିଲୋମିଟରରେ ଗୋଟିଏ ପେଟ୍ରୋଲ୍ ଟାଙ୍କି ହୋଇପାରିଛି ବୋଲି ସମ୍ବଲପୁରର ବିଜେପି ନେତାମାନେ ଦାବି କରିଛନ୍ତି । ଏହାଛଡ଼ା ବଲାଙ୍ଗୀର ସମେତ ୭ଟି ଏଲ୍ପିଜି ବଟଲିଂ ପ୍ଳାଣ୍ଟ୍ ହୋଇଥିବାବେଳେ ସେଠାରୁ ବାର୍ଷିକ ୪ କୋଟି ଏଲ୍ପିଜି ସିଲିଣ୍ଡର ଉତ୍ପାଦିତ ହୋଇପାରିବ । ପାଇପ୍ ଯୋଗେ ସିଧା ରୋଷେଇଘରକୁ ଗ୍ୟାସ୍ ସଂଯୋଗ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ହୋଇସାରିଥିବାବେଳେ ଦ୍ରୁତ ଗତିରେ ଗ୍ୟାସ୍ ପାଇପ୍ ବିଛା ଚାଲୁ ରହିଛି । ଟ୍ୟାପ୍ରୁ ପାଣି ପାଇଲା ଭଳି ପାଇପରୁ ରେଗୁଲେଟର୍ ମୋଡ଼ିଲେ ଗ୍ୟାସ୍ ମିଳିବ । ବରଗଡ଼ରେ ପ୍ରାୟ ୧ ହଜାର କୋଟି ଟଙ୍କାର ନିବେଶରେ ଇଥାନଲ୍ ବାୟୋ-ରିଫାଇନରୀର ଭିତ୍ତି ପ୍ରସ୍ତର ପଡ଼ିଥିବାବେଳେ ଏହି ପ୍ରକଳ୍ପରେ ପ୍ରାୟ ୧୨୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ହେବବୋଲି ବିଜେପି ପକ୍ଷରୁ କୁହାଯାଇଛି ।