ସାଲିଆସାହିର ବିଭିନ୍ନ ବସ୍ତିରେ ଅବକାରୀ ଚଢ଼ାଉ

ଭୁବନେଶ୍ୱର, ୨୭ା୪ : ଆଜି ଭୁବନେଶ୍ୱର ଅବକାରୀ -୧ ଓ ଅବକାରୀ-୨ ଥାନାର ଟିମ ସାଲିଆସାହିର ବିଭିନ୍ନ ବସ୍ତିରେ ଅତର୍କିତ ଚଢ଼ାଉ କରି ୧୧ ଜଣ ମହିଳା ଓ ପୁରୁଷ ବେପାରୀଙ୍କୁ ଗିରଫ କରିଛନ୍ତି । ତଲାସି ବେଳେ ସେମାନଙ୍କ ଠାରୁ ୨୭୪ ଲିଟର ଦେଶୀମଦ ଏବଂ ୧ ହଜାର ଲିଟର ମଦ ତିଆରି ପୋଚ ଜବତ କରାଯାଇଛି । ଶନିବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜଧାନୀରେ ସେତିକି ମାତ୍ରାରେ ନିଶା କାରବାର ବଢ଼ିବାରେ ଲାଗିଛି । ନିଶା ବେପାରୀମାନେ ବିଭିନ୍ନ ଗଳାବାଟ ଦେଇ ବସ୍ତି, ଦୋକାନ, ଭଡ଼ା ଘର ମାନଙ୍କରେ ଗଞ୍ଜେଇ, ମଦ, ବ୍ରାଉନସୁଗାର ରଖି ଚଳାଇଛନ୍ତି କାରବାର । ଏହି କାରବାରକୁ ରୋକିବା ପାଇଁ ପ୍ରତେକ ଦିନ କମିଶନରେଟ୍ ପୁଲିସ ଓ ଅବକାରୀ ବିଭାଗ ରାଜଧାନୀର ବିଭିନ୍ନ ବସ୍ତି ଓ ସହର ଗଳିକନ୍ଦିରେ ପଶି କଳା ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଜବତ କରୁଛନ୍ତି । ହେଲେ ମଧ୍ୟ ରାଜଧାନୀରେ ନିଶା କାରବାର ବନ୍ଦ ହେବାର ନାଁ ଧରୁନାହିଁ । ଏହାର କାରଣ ବେପାରୀମାନେ ଆଜି ଜେଲ ଗଲେ ପୁଣି ୨ ଦିନ କିମ୍ବା ୪ ଦିନରେ ଜେଲରୁ ବାହାରି ପୁଣି ଆରମ୍ଭ କରିଦେଉଛନ୍ତି ନିଶା କାରବାର । ସବୁଦିନ ଭଳି ଶନିବାର ସକାଳୁ ଅବକାରୀ କମିଶନରଙ୍କ ନିଦେ୍ର୍ଦଶ କ୍ରମେ ଭୁବନେଶ୍ୱର ଅବକାରୀ-୧ ଓ ଅବକାରୀ-୨ ଥାନାର ଅଧିକାରୀ ଓ ୩ଟି ଟିମ୍ ସାଲିଆସାହିର ବିଭିନ୍ନ ବସ୍ତିରେ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୧୧ ଜଣ ମହିଳା ଓ ପୁରୁଷ ବେପାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୨୭୪ ଲିଟର ଦେଶୀମଦ, ୧ ହଜାର ଲିଟର ମଦ ତିଆରି ପୋଚ ଜବତ କରାଯାଇଥିଲା ।