କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

DS Kuttey and Asish Singh

କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଆଇପିଏସ ଡିସ କୁଟ୍ଟେ ଓ ଆଶିଷ ସିଂହଙ୍କ ଅଡୁଆ ବଢ଼ିବାରେ ଲାଗିଛି  । ବିଜେଡ଼ି ସରକାରଙ୍କ ଅମଳରେ ଈନ୍ଦ୍ରଚନ୍ଦ୍ର ମାନୁନଥିବା ଏହି ଦୁଇ ଅଧିକାରୀ ଅଡୁଆ ଜାଲରେ ଛନ୍ଦି ହୋଇଯାଇଛନ୍ତି  । ଏମିତିକି ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିପାରେ  ।

ଉଭୟ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି  । ଆଇପିଏସ୍‌ ଶ୍ରୀକୁଟ୍ଟେଙ୍କ ବିରୋଧରେ ୨ ଆଇଏଏସ୍‌ ଅଫିସର ଲିଖିତ ଭାବେ ଦେଇଥିବା ସଙ୍ଗୀନ ଅଭିଯୋଗ ଆଧାରରେ ଚାର୍ଜସିଟ୍‌ ଜାରି ହୋଇଛି  । ଆଗାମୀ ୩୦ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି  । ସେହିପରି ଆଇପିଏସ୍‌ ଆଶିଷ ସିଂଙ୍କ ବିରୁଦ୍ଧରେ ଅଗଷ୍ଟ ୬ରେ ଚାର୍ଜସିଟ୍‌ ଜାରି ହୋଇଥିବା ଜାଣିବାକୁ ମିଳିଛି  ।

ରାଜ୍ୟ ଗୃହ ବିଭାଗର ତଥ୍ୟ ଅନୁସାରେ, ୧୯୯୭ ବ୍ୟାଚ ଆଇପିଏସ୍‌ ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି  । ଅଗଷ୍ଟ ୨୧ରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତାଙ୍କୁ ବିରୁଦ୍ଧରେ କରିଥିବା ସଙ୍ଗୀନ ଅଭିଯୋଗକୁ ଆଧାର କରି ଚାର୍ଜସିଟ୍‌ ଜାରି ହୋଇଛି  । ୩୦ ଦିନ ମଧ୍ୟରେ ତାଙ୍କୁ ଜବାବ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  । ସାଧାରଣ ନିର୍ବାଚନ ପରିଚାଳନାରେ ହସ୍ତକ୍ଷେପ ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି  ।

ଚାର୍ଜସିଟ ଅନୁସାରେ, ସାଧାରଣ ନିର୍ବାଚନ ଚାଲିଥିବାବେଳେ ଶ୍ରୀ କୁଟ୍ଟେ ୨୦୨୪ ମେ’ ୨୪ ବିଳମ୍ବିତ ସନ୍ଧ୍ୟାରେ ତତକାଳୀନ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇଏଏସ୍‌ ଏନ୍‌.ଥିରୁମାଳା ନାଏକଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ଓ ‘ବିଜେପିର ଏକ ନିର୍ବାଚନୀ ବିଜ୍ଞାପନ’କୁ କାହିଁକି ଅନୁମୋଦନ କଲେ ବୋଲି ପ୍ରଶ୍ନ କରି ବିରକ୍ତ ହୋଇଥିଲେ  । ତୁରନ୍ତ ଉକ୍ତ ବିଜ୍ଞାପନର ଅନୁମୋଦନକୁ ପ୍ରତ୍ୟାହାର କର ଓ ତା’ଯେଭଳି ଖବରକାଗଜରେ ପ୍ରକାଶିତ ନହେବ ତାହା ସୁନିଶ୍ଚିତ କରିବାକୁ ସେ ତାଗିଦ୍‌ କରିଥିବାର ଶ୍ରୀ ନାଏକ ଅଭିଯୋଗ କରିଥିଲେ ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି  । ବରିଷ୍ଠ ଆଇଏଏସ୍‌ ସେତେବେଳେ ଶ୍ରୀ ନାଏକ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ମିଡିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ କମିଟି(ଏମସିଏମସି) ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଥିଲେ  ।
ସେହିପରି ମେ’ ୨୫ରେ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଇଏଏସ୍‌ ଚଂଚଳ ରାଣା ଓ କିଛି ପୁଲିସ ଅଫିସରଙ୍କୁ ଫୋନ୍‌ କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀଙ୍କୁ ଗିରଫ କରିବା ପାଇଁ ଚାପ ପକାଇଥିଲେ  । ଏନେଇ ଜିଲ୍ଲାପାଳ ଶ୍ରୀ ରାଣା ମଧ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରିଥିଲେ  ।
ସେହିପରି ବିଜେଡି ସରକାରର ଅନ୍ୟତମ ପାୱାରଫୁଲ ଆଇପିଏସ୍‌ ୨୦୦୪ ବ୍ୟାଚର ଆଶିଷ ସିଂଙ୍କୁ ଅଗଷ୍ଟ ୬ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚାର୍ଜସିଟ୍‌ ଜାରି କରିଛନ୍ତି  । ତାଙ୍କୁ ମଧ୍ୟ ୩୦ ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  । ତେବେ ଶ୍ରୀ ସିଂ ସ୍ୱାସ୍ଥ୍ୟ ଖରାପ ଥିବା ନେଇ ମିଛ କହିଥିବାର ପ୍ରମାଣ ମିଳିଛି  । ଶ୍ରୀ କୁଟ୍‌ଟେ ଓ ଶ୍ରୀ ସିଂ ଏବେ ଗୃହ ବିଭାଗରେ ଓଏସଡି ଭାବେ ବିନା କାମରେ ଦରମା ନେଉଛନ୍ତି  ।