ବିଧାନସଭାର ସଂକ୍ଷିପ୍ତ ଇତିହାସ ପୁସ୍ତକ ଉନ୍ମୋଚିତ, ଏହି ପୁସ୍ତକ ସମସ୍ତଙ୍କ ପାଇଁ ଉପାଦେୟ ହେବ : ବାଚସ୍ପତି
ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ ‘ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଓଡ଼ିଶା ଲେଜିସ୍ଲେଟିଭ୍ ଆସେମ୍ବ୍ଲି’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକଟିକୁ ବାଚସ୍ପତି ସୁରମା ପାଢ଼ୀ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିବା ସହ ଆମ ସମସ୍ତଙ୍କ ପାଇଁ ଏହି ପୁସ୍ତକ ପ୍ରକାଶନର ଯଥାର୍ଥତା ରହିଛି ବୋଲି କହିଛନ୍ତି । ଏହି ପୁସ୍ତକ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ଗବେଷକ, ବୁଦ୍ଧିଜୀବୀ, ବିଦ୍ୟାର୍ଥୀ ତଥା ସାଧାରଣ ଜନତାଙ୍କ ପାଇଁ ନିଶ୍ଚିତ ଭାବେ ଉପାଦେୟ ହୋଇପାରିବ ବୋଲି ବାଚସ୍ପତି ଆଶାବ୍ୟକ୍ତ କରିଛନ୍ତି । ଏହି ପୁସ୍ତକରେ ସ୍ୱତନ୍ତ୍ର ଓଡିଶାର (ପ୍ରାକ୍ ସ୍ୱାଧୀନତା) ପ୍ରଥମ ବିଧାନସଭାଠାରୁ ଚଳିତ ସପ୍ତଦଶ ଓଡିଶା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଓଡ଼ିଶା ଦାୟିତ୍ୱରେ ଥିବା ରାଜ୍ୟପାଳ, ବାଚସ୍ପତି, ଗୃହର ନେତା, ବିରୋଧୀ ଦଳ ନେତା, ଉପବାଚସ୍ପତି, ବିଧାନସଭା ସଚ୍ଚିବାଳୟର ସଚିବଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ମନ୍ତ୍ରିମଣ୍ଡଳ ଗଠନ, ସାଧାରଣ ନିର୍ବାଚନ, ଉପନିର୍ବାଚନ, ଦଳୀୟ ସ୍ଥିତି ସହିତ ବିଧାନସଭା ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶିତ ହୋଇଛି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପବାଚସ୍ପତି ଭବାନୀଶଙ୍କର ଭୋଇ, ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକବୃନ୍ଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନସଚିବ ଦେଓରଞ୍ଜନ ସିଂହ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଗବେଷଣା ଶାଖା ନିଦେ୍ର୍ଦଶକ ଡ. ତି୍ରବିକ୍ରମ ପ୍ରଧାନ, ପୁସ୍ତକ ସଙ୍କଳନରେ ସଂପୃକ୍ତ ଗବେଷଣା ଅଧିକାରୀ ଜୟକୃଷ୍ଣ ପ୍ରଧାନ, ପ୍ରଶାନ୍ତ ଦାସ ଓ ଅମୁଲ୍ୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।