ଦେବେନ୍ଦ୍ରନାଥ ଶର୍ମାଙ୍କ ସ୍ମୃତିସଭା 

ଆଳି : ଆଳିର ପୂର୍ବତନ ବିଧାୟକ, ପଞ୍ଚାୟତ ସମିତି ଅଧକ୍ଷ କ୍ରୀଡ଼ାବିତ ଦିବଂଗତ ଲଢୁଆ ନେତା ସ୍ୱର୍ଗତ ଦେବେନ୍ଦ୍ର ନାଥ ଶର୍ମାଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା ଆଳି ଆଦର୍ଶ ବିଦ୍ୟାଳୟ ପାଖ ପଡିଆରେ ଅନୁଷ୍ଠିତ ହୋଇଯାଇଛ । ଏହି ସ୍ମୃତିସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବରିଷ୍ଠ ବିଧାୟକ ସୁର ରାଉତରାୟ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ ଗଣେଶ୍ୱର ବେହେରା, ପ୍ରତାପ କେଶରୀ ଦେବ, ବ୍ୟୋମକେଶ ରାୟ, ଦୁର୍ଗା ପ୍ରସନ୍ନ ନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ଅଚ୍ଚନା ନାୟକ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଲେଖ ଜେନା, ବରିଷ୍ଠ କଂଗ୍ରେସ ନେତା ପଦ୍ମକର ଗୁରୁ, ସିଦ୍ଧାର୍ଥ ରାଉତରାୟ, ଅଂଶୁମାନ ମହାନ୍ତି ପ୍ରମୁଖ ଯୋଗ ଦେବା ସହ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଧାୟକ, ପୂର୍ବତନ ବିଧାୟକଙ୍କ ସମେତ ବହୁ ପୁରୁଖା ରାଜନେତା ଓ ସାଧାରଣ ଲୋକ  ଯୋଗଦେଇ ଦେବେନ୍ଦ୍ର ଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଦେବେନ୍ଦ୍ର ତାଙ୍କ ରାଜନୀତି ସମୟରେ ଆଳି ନିର୍ବାଚନ ମଣ୍ଡଳୀର ବିକାଶ କ୍ଷେତ୍ରରେ ଯେଉଁ ପଦକ୍ଷେପ ନେଇଥିଲେ ତାହା ଆଜିବି ମନେପଡୁଛି । ଜଣେ ଲଢୁଆ ବିଧାୟକ ଭାବେ ସେ ବିଧାନସଭାରେ ମଧ୍ୟ ନିଜର ଦମ ଦେଖାଇବା ସହିତ ନିର୍ବାଚନ ମଣ୍ଡଳୀ ବିକାଶ କ୍ଷେତ୍ରରେ ଅନେକ ନିଷ୍ପତି ନେଇଥିଲେ । ଗମନା ଗମନ ଠୁ ଆରମ୍ଭ କରି ଅନେକ ବିକାଶ ମୂଳକ କାର୍ଯ୍ୟ ତାଙ୍କ ସମୟରେ ହୋଇଛି । ସେ ଜଣେ ସ୍ପଷ୍ଟବାଦୀ, ସ୍ନେହୀ ଦରଦି ମଣିଷ ଭାବେ ସମସ୍ତଙ୍କ ପ୍ରିୟ ହୋଇ ପାରିଥିଲେ । ଏହି ସ୍ମୃତି ସଭାରେ ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠି, ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ଲଳିତ ବେହେରା, ଭୀଷ୍ମ ମହାନ୍ତି, ଧନ ରଞ୍ଜନ ବୋଷଙ୍କ ସମେତ ଅନେକ ନେତା ଦେବେନ୍ଦ୍ରଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳଗତ ନିର୍ବିଶେଷରେ ସମସ୍ତ ଦଳର ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ତତସହିତ ହଜାର ହଜାର ଦେବେନ୍ଦ୍ର ପ୍ରେମୀଙ୍କ ଜନସମାଗମ ଆଳି ଅଞ୍ଚଳକୁ ଲୋକାରଣ୍ୟ କରିଥିଲା । ଏହି ସ୍ମୃତିସଭାକୁ ମଙ୍ଗୁଳି ଚରଣ ବେହେରା ଏବଂ ନୀଳାଦ୍ରି ଭୂଷଣ ମହାପାତ୍ର ସଂଯୋଜନା କରିଥିଲା ବେଳେ ଦେବେନ୍ଦ୍ରଙ୍କୁ ଭଲପାଉଥୁବା ଶତାଧିକ ଯୁବକ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।