ଠେଙ୍ଗାରେ ପିଟି ହତ୍ୟା ଉଦ୍ୟମ ; ହତ୍ୟା ଉଦ୍ୟମକାରୀଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ
କେନ୍ଦୁଝର,୨୬ା୯ : ଠେଙ୍ଗାରେ ପିଟି ପିଟି ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତ ଦୁର୍ଯ୍ୟୋଧନ ଜୁଆଙ୍ଗଙ୍କୁ କେନ୍ଦୁଝର ମୁଖ୍ୟ ବିଚାର ବିଭାଗୀୟ କୋର୍ଟରେ ୪ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି । ଏଥିସହ ୩ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୧ ମାସ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ଆଜି ଏହି ମାମଲାରେ ଶୁଣାଣୀ କରି ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ହିମାଂଶୁ ଶେଖର ବିଶ୍ୱାଳ ଏହି ରାୟ ପ୍ରକାଶ କରିଛନ୍ତି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବଡପଳାଶପାଳ ନିକଟସ୍ଥ ବାଉଁରୁ ଗ୍ରାମର ଗୁଣ୍ଡୁ ବେହେରାଙ୍କୁ ୨୦୨୦ ମସିହା ଜୁନ୍ ମାସ ୨୨ ତାରିଖରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ସେହି ଗ୍ରାମର ଦୁର୍ଯ୍ୟୋଧନ ଜୁଆଙ୍ଗ ଓ ମଙ୍ଗ ଜୁଆଙ୍ଗ ଯୋଜନା ମୁତାବକ ଗୁଣ୍ଡୁକୁ ଏକ ଠେଙ୍ଗାରେ ପିଟି ପିଟି ହତ୍ୟା ଉଦ୍ୟମ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ପାଇଁ ଗୁଣ୍ଡୁ ଚିତ୍କାର କରିବାରୁ ଅନ୍ୟମାନେ ସେଠାରେ ପହଁଞ୍ଚି ଯାଇଥିଲେ । ଲୋକଙ୍କୁ ଦେଖି ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଦୁର୍ଯ୍ୟୋଧନଙ୍କ ଠେଙ୍ଗା ମାଡରେ ତାଙ୍କର ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହେବା ସହିତ ଏକ ଆଖି ନଷ୍ଟ ହୋଇଯାଇଥିଲା । ଏହି ଘଟଣାକୁ ନେଇ ତାଙ୍କର ଜ୍ୱାଇଁ ମାନସ ଆରୁଖ ଜୁନ୍ ୨୯ ତାରିଖରେ ହରିଚନ୍ଦନପୁର ଥାନାରେ ଏତଲା ଦାୟର କରିଥିଲେ । ୧୬ ଜଣ ସାକ୍ଷୀ ଅଦାଲତରେ ଉପସ୍ଥିତ ହୋଇ ଜମାନବନ୍ଦୀ ଦେଇଥିଲେ । ସାକ୍ଷୀଙ୍କ ବୟାନକୁ ଆଧାର କରି ଅଦାଲତ ଦୁର୍ଯ୍ୟୋଧନକୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ପ୍ରଦାନ କରିଥିବାବେଳେ ପ୍ରମାଣ ଅଭାବରୁ ମଙ୍ଗୁ ଜୁଆଙ୍ଗଙ୍କୁ ନିର୍ଦ୍ଧୋଷରେ ଖଲାସ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଆଇନଜୀବି ଅଶୋକ କୁମାର ଦାସ ଏହି ମୋକଦ୍ଦମା ପରିଚାଳନା କରୁଥିଲେ ।