ବ୍ରାଉନସୁଗାର ଜବତ, ୩ ଅଭିଯୁକ୍ତ ଗିରଫ

 ପାରାଦୀପ : ବେଆଇନ ବ୍ରାଉନ ସୁଗାର  ବିକ୍ରି କରୁଥିବା ତିନି ଅଭିଯୁକ୍ତଙ୍କ ଠାରୁ ଅଭୟଚାନ୍ଦପୁର ଥାନା ପୁଲିସ  ୧୫.୫୮ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିବା ସହିତ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା  ପଲସର ଗାଡ଼ି ନମ୍ବର ଓଡି-୨୧-ଏଲ-୭୩୩୧କୁ ଜବତ କରିଛି  । ଅଭିଯୁକ୍ତ ତିନି ଜଣଙ୍କୁ ଗିରଫ କରି ପୁଲିସ ଆଜି କୋର୍ଟ ଚାଲାଣ କରିଛି  । ଏହି ଅଭିଯୁକ୍ତମାନେ ହେଲେ ଅଭୟଚାନ୍ଦପୁର ଥାନା ଅଧୀନ ଡାଳିମପୁର(ବଗଦିଆ)ଗ୍ରାମର ସଂଗ୍ରାମ  ଦଳାଇ  ଓରଫ ରାକା ଓରଫ  ରାକେଶ, ପାରାଦୀପ ଲକ୍ ଥାନା ଅଧୀନ ସିଜୁ ଗ୍ରାମର  କୈଳାଶ ନାୟକଙ୍କ ପୁଅ  ବିକ୍ରମ ନାୟକ (୨୬) ଓ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ସୋରନା ଗ୍ରାମର ସୁରଥ ପତିଙ୍କ ପୁଅ ଦୀପକ ପତି (୩୫)  ।  ଅଭୟଚାନ୍ଦପୁର ଥାନା ଅଧିକାରୀ ସମୀର କୁମାର ରାଉତଙ୍କ ସୂତ୍ରରୁ ହସ୍ତଗତ ହୋଇଥିବା ଖବରନୁଯାୟୀ   ଡାଳିମପୁର ଗ୍ରାମ ସ୍ମଶାନ  ନିକଟରେ   ଅସାମାଜିକ ମାନେ ବେଆଇନ ବ୍ରାଉନ ସୁଗାର ବ୍ୟବସାୟ ଚଳାଇଥିବା  ନେଇ  ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇବା ପରେ ଥାନା ସବ ଇନ୍ସପେକ୍ଟର ବିଶ୍ୱଜିତ ଗଡନାୟକ ଓ ସବ ଇନ୍ସପେକ୍ଟର ଧର୍ମରାଜ ସେଠଙ୍କ ନେତୃତ୍ୱରେ  ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରି ତିନି ଅଭିଯୁକ୍ତଙ୍କୁ ଧରିଥିଲେ  । କୁଜଙ୍ଗସ୍ଥିତ ଅତିରକ୍ତ ତହସିଲଦାର ୂ ରଞ୍ଜନ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଅଭିଯୁକ୍ତ ମାନଙ୍କ ସମେତ ସେମାନେ ବ୍ୟବହାର କରୁଥିବା ପଲସର ଗାଡ଼ିକୁ ଯାଞ୍ଚ କରିବାରେ  ସେମାନଙ୍କ ଠାରୁ ୧୫.୫୮  ଗ୍ରାମ ଓଜର ବ୍ରାଉନ ସୁଗାର ମିଳିଥଲା  । ପୁଲିସ ଉକ୍ତ ପଲସର ଗାଡ଼ିକୁ ଜବତ କରିବା   ସହିତ   ତିନି ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି  ।  ତେବେ ପୁଲିସ କୋର୍ଟ ଚାଲାଣ କରି ଅଭିଯୁକ୍ତ ୩ ଜଣଙ୍କ ମଧ୍ୟରୁ ଡାଳିମପୁର ଗ୍ରାମର ସଂଗ୍ରାମ ଦଳାଇ  ବିରୁଦ୍ଧରେ ବିଭିନ୍ନ ଥାନାରେ ଚାରୋଟି, ସିଜୁ ଗ୍ରାମର ବିକ୍ରମ ନାୟକ ବିରୁଦ୍ଧରେ  ପାରାଦୀପ ଆଦର୍ଶ ଥାନାରେ ବ୍ରାଉନ ସୁଗାର  ବିକ୍ରିରେ ସଂପୃକ୍ତ ଥିବା  ନେଇ  ଗୋଟିଏ ମାମଲା ରହିଥିବା ଜଣାପଡିଛି  । ଅପରପକ୍ଷେ   ତୃତୀୟ ଅଭିଯୁକ୍ତ ଦୀପକ ପତିଙ୍କ ଅପରାଧୀକ  କାର୍ଯ୍ୟକଳାପ  ସମ୍ପର୍କରେ  ଜାଣିବା ପାଇଁ  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନାକୁ ସବିଶେଷ ତଥ୍ୟ ମଗାଯାଇଥିବା ଅଭୟଚାନ୍ଦପୁର ଥାନା ଅଧିକାରୀ ସମୀର କୁମାର ରାଉତଙ୍କ ସୂତ୍ରରୁ ପ୍ରକାଶ  ।