ଦେବୀଙ୍କ କଥା ଶୁଣିଲେନି ବବି
Debi Prasad Mishra Pranab Prakash Das

ଭୁବନେଶ୍ୱର : ଏବେ ବିଜେଡ଼ିରେ ଦେବୀ ପ୍ରସାଦ ମିଶ୍ର ବେଶ୍ ପାୱାରଫୁଲ୍ । ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ହେଉଛନ୍ତ ଦେବୀ । ପ୍ରତିଦିନ ସେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଟିକିନିଖି ଅପଡେ଼ଟ ଦେଉଛନ୍ତି । ସିଧାସଳଖ ନବୀନ ଓ ଭିକେ ପାଣ୍ଡିଆନଙ୍କ ଠାରୁ ଟିପ୍ସ ବି ନେଉଛନ୍ତି । ତେଣୁ ଦେବୀ ଭାବିଛନ୍ତି, ସେ ଯାହା କହିବେ ଅନ୍ୟ ନେତାମାନେ ତାହା ମାନିବେ । ହେଲେ ପ୍ରଣବ ପ୍ରକାଶ ଦାସ କିନ୍ତୁ ଦେବୀଙ୍କ କଥାକୁ ଖାତିର କରୁନାହାନ୍ତି । ଯାହାକୁ ନେଇ ବିଜେଡ଼ି ଅଳିନ୍ଦରେ ରୋଚକ ଚର୍ଚ୍ଚା ହେଉଛି ।
ପ୍ରଣବ ଖାତିର ବା କାହିଁକି କରିବେ । ଚବିଶ ନିର୍ବାଚନ ପୂର୍ବରୁ ବବିଙ୍କ କଥାରେ ହିଁ ବିଜେଡ଼ି ନେତା ଉଠବସ୍ ହେଉଥିଲେ । ଦେବୀ ମିଶ୍ର ବି ଦିନେ ବବିଙ୍କ କଥା ମାନୁଥିଲେ । ଚବିଶ ନିର୍ବାଚନ ପରେ ନବୀନ ତାଙ୍କୁ ନୀରବରେ ବସାଇ ଦେଇଛନ୍ତି । ପଦବୀ ବି କାଢ଼ି ନେଇଛନ୍ତି । କିନ୍ତୁ ବବିଙ୍କୁ ଏବେବି ନବୀନ ଭଲ ପାଉଛନ୍ତି ବୋଲି ବବିଙ୍କ ସମର୍ଥକମାନେ କହି ବୁଲୁଛନ୍ତି । ବବି କୁଆଡେ଼ ନିଜ ଇଚ୍ଛାରେ ହିଁ କମିଟିରେ ରହିବାକୁ ଚାହିଁନାହାନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବରିଷ୍ଠ ଓ କନିଷ୍ଠ ନେତାମାନଙ୍କୁ ନେଇ ତିନୋଟି କମିଟି ଗଢ଼ିଛନ୍ତି । ସମନ୍ୱୟ କମିଟିକୁ ଏହି କମିଟି ସହଯୋଗ କରିବ । ଉପଦେଷ୍ଟା କମିଟି, ସଭ୍ୟ ସଂଗ୍ରହ କମିଟି ଓ କାର୍ୟ୍ୟକ୍ରମ ରୂପାୟନ କମିଟିରେ କିନ୍ତୁ ବବି ଦାସ ନାହାନ୍ତି । ସମନ୍ୱୟ କମିଟିରେ ମଧ୍ୟ ବବିଙ୍କୁ ରଖାଯାଇନଥିଲା । ଏହାକୁ ଅନୁଶୀଳନ କଲେ କମିଟି ବୈଠକରେ ବବି ବସିପାରିବେ ନାହିଁ । କିନ୍ତୁ ନିକଟରେ ଦେବୀ ମିଶ୍ର ଏକ ବୈଠକ ଡାକିଥିଲେ । ସେହି ବୈଠକରେ ବବି ଦାସ ବି ଉପସ୍ଥିତ ଥିଲେ । ଯେଉଁମାନେ କମିଟି ସଦସ୍ୟ ନାହାନ୍ତି ସେମାନେ ବାହାରକୁ ଯିବା ପାଇଁ ମାଇକରେ କହିଲେ । ହେଲେ ବବି କିନ୍ତୁ ଶୁଣିନଥିଲେ । ସେ ନିଜ ଆସନରେ ସେମିତି ବସିକି ରହିଥିଲେ । ନେତାମାନେ ପରସ୍ପରର ମୁହଁକୁ ଚାହିଁଥିଲେବି ବବିଙ୍କୁ ଏକଥା କହିବାକୁ କାହାର ସାହାସ ହୋଇନଥିଲା । ସେହିପରି ଦେବୀଙ୍କ ନିର୍ଦ୍ଦେଶକୁ ବବି କାହିଁକି ଶୁଣିବେ ? ଯେଉଁ ଶଙ୍ଖ ଭବନରେ ବସି ଏବେ ଦେବୀ ହାକିମାତି କରୁଛନ୍ତି ସେହି ଶଙ୍ଖ ଭବନର ନିଅଁଠୁ ନେଇ ମୁଣ୍ଡି ମାରିବା ପର୍ୟ୍ୟନ୍ତ ସବୁ ପରା ବବି ଦାସ କରୁଥିଲେ । ଏକଥା ଦଳର ବଡ଼ ନେତା ବୁଝିବା ଦରକାର । କିଏ ଜାଣେ ମାସକ ପରେ ବବି ପୁଣି ଟ୍ରାକକୁ ଫେରିଲେ ବଡ଼ ବଡ଼ ଫସର ଫାଟିଯିବେ... ।