୨୪ ଘଣ୍ଟା ଖୋଲିବ ନିରାମୟ କେନ୍ଦ୍ର

 ଭୁବନେଶ୍ୱର: ସରକାରୀ ହସପିଟାଲରେ ଥିବା ‘ନିରାମୟ’ କେନ୍ଦ୍ରଗୁଡ଼ିକ ୨୪ ଘଣ୍ଟା ଖୋଲାରହିବ । ରୋଗୀଙ୍କୁ ଠିକ୍ ସମୟରେ ଔଷଧ ବିତରଣ କରାଯିବ  । ଓଡ଼ିଶା ରାଜ୍ୟ ଔଷଧ ନିଗମର ସମୀକ୍ଷା କରିବା ଅବକାଶରେ ଏଭଳି ନିଦେ୍ର୍ଦଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର  । ଏହାଛଡ଼ା ବାରିପଦାରେ ସ୍ଥାପିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ୱୟଂସଂପୂର୍ଣ୍ଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଥିଲେ  । ମୟୂରଭଞ୍ଜ ତଥା ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ତୁରନ୍ତ ଆସନ୍ତା ଜାନୁଆରୀରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ  । ଏହି ସମୀକ୍ଷା ବୈଠକରେ ସାଧାରଣ ଉଦ୍ୟୋଗ ବିଭାଗର ଶାସନ ସଚିବ ଟି. ଆଓ, ସ୍ୱତନ୍ତ୍ର ଶାସନ ସଚିବ ନିହାର ରଞ୍ଜନ ଦାଶ, ଡିଏମ୍ଇଟି ପ୍ରଫେସର ସନ୍ତୋଷ ମିଶ୍ରଙ୍କ ସମେତ ନିଗମ ଓ ସାଧାରଣ ଉଦ୍ୟୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ  ।