ବାରମ୍ବାର ଆଖି ରଗଡୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ 

ବାରମ୍ବାର ଆଖି ରଗଡୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ 


ବେଳେବେଳେ ଆଖିପତା କୁଣ୍ଡାଇ ହେଲେ, ଆମେ ଆଖି ମଳିଥାଉ । ଏଭଳି କରିବା ଦ୍ୱାରା ଆଖିକୁ ସାମାନ୍ୟ ଆଶ୍ୱସ୍ତି ମିଳିଥାଏ । ଏହା ବିପଦମୁକ୍ତ ବୋଲି ଆମେ ଭାବିଥାଉ । ହେଲେ ଆମର ଏଭଳି କାର୍ଯ୍ୟ ଆଖି ପାଇଁ ବିପଜ୍ଜନକ ହୋଇପାରେ, ଏନେଇ ଚକ୍ଷୁ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ଆଖି ଅଧିକ କୁଣ୍ଡାଇ ହେଲେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନିଶ୍ଚିତଭାବେ ନିଅନ୍ତୁ । କାରଣ ଆଖିକୁ ଅଧିକ ରଗଡ଼ିବା ଦ୍ୱାରା ସଂକ୍ରମଣ ଓ ଦୃଷ୍ଟି ଶକ୍ତି କ୍ଷତି ହେବାର ସମ୍ଭାବନା ରହିଛି  । ଚକ୍ଷୁ ଆମ ଶରୀରର ଏକ ସୂକ୍ଷ୍ମ କୋମଳ ପ୍ରତ୍ୟଙ୍ଗ ଅଟେ  । ଏହାର ଆଖପାଖ ତ୍ୱଚା ଅତ୍ୟନ୍ତ ନରମ ଓ ସମ୍ବେଦନଶୀଳ  । ଚକ୍ଷୁର ସକ୍ରିୟତା ବଜାୟ ରଖିବା ପାଇଁ ତାର ଯତ୍ନ ନେବା ନିହାତି ଜରୁରୀ  । ତେଣୁ ଆପଣଙ୍କର ଯଦି ଏପରି ସମସ୍ୟା ବାରମ୍ବାର ହେଉଛି ତେବେ ଆଖି ରଗଡ଼ିବାର କାରଣ ଏବଂ କିପରି ସେଥିରୁ ଦୂରେଇ ରହିହେବ ତାର ଉପାୟ ଜାଣିରଖନ୍ତୁ ।

ଆଖିରେ କୌଣସି ଧୂଳିକଣା ପଡ଼ିଗଲେ କିମ୍ବା କୌଣସି ସଂକ୍ରମଣ ହୋଇଥିଲେ ଅଥବା ଯଦି ଆବଶ୍ୟକ ଲୁହ ତିଆରି ନହୁଏ ଆଖିଡୋଳା ଶୁଖି ଯାଇଥାଏ  । ଫଳରେ ଆଖି କୁଣ୍ଡେଇ ହୋଇଥାଏ  । ଆଖିରେ ଧୂଆଁ ବାଜିଲେ କିମ୍ବା କୌଣସି ସଂକ୍ରମଣ ହୋଇଥିଲେ ଆଖି ଭାରି ଭାରି ଲାଗିଥାଏ । ଫୋନ ଓ କମ୍ପ୍ୟୁଟର ପରଦାକୁ ଅଧିକ ସମୟ ଧରି ଦେଖିବା ଦ୍ୱାରା  କିମ୍ବା ବେଶି ଅନିଦ୍ରା ରହିଲେ ମଧ୍ୟ ଆଖି ଭାରି ଲାଗେ  । ଏପରି ଲାଗିଲେ ସାଧାରଣତଃ ଆମେ ଆଖିକୁ ସାମାନ୍ୟ ରଗଡ଼ିଦେଉ, ଯାହାଦ୍ୱାରା ସାମାନ୍ୟ ଆଶ୍ୱସ୍ତ ଲାଗିଥାଏ । ମାତ୍ର ବାରମ୍ବାର ଆଖିକୁ ଏଭଳି ରଗଡ଼ିବା ଦ୍ୱାରା ଚକ୍ଷୁର ଗୁରୁତ୍ୱପୁର୍ଣ୍ଣ ଅଂଶ କର୍ଣ୍ଣିଆରେ ଦାଗ ପଡ଼ିବାର ଆଶଙ୍କା ରହିଥାଏ  । ଆଖିକୁ ରଗଡ଼ିବା ଦ୍ୱାରା କର୍ଣ୍ଣିଆ ପତଳା ହେବାର ମଧ୍ୟ ସମ୍ଭାବନା ରହିଥାଏ । ଏହା ଦ୍ୱାରା ଆଖି ନାଲି ମଧ୍ୟ ପଡ଼ିଯାଇଥାଏ  ।

ଆଖିର ଆଖପାଖ ତ୍ୱଚା ନରମ ହୋଇଥିବାରୁ ବାରମ୍ବାର ଆଖି ମଳିବା ଫଳରେ ଆଖି ତଳେ କଳା ଦାଗ ଓ ବାର୍ଦ୍ଧକ୍ୟ ପରି ଚର୍ମ ଝୁଲି ପଡ଼ିବା ପରି ଆଶଙ୍କା ରହିଛି । ଆଖି ମଳିବା ସମୟରେ ଆମ ପାପୁଲିରେ ଲାଖିଥିବା ଅନେକ ଜୀବାଣୁ ଆଖି ସଂସ୍ପର୍ଶରେ ଆସିଥାନ୍ତି ଓ ସଂକ୍ରମଣ ସୃଷ୍ଟି କରିଥାନ୍ତି  । ତେଣୁ ଆଖିରେ ହାତ ମାରିବା ପୂର୍ବରୁ ହାତ ପରିଷ୍କାର କରିବା ଉଚିତ୍‌  । ହାତକୁ ପରିଷ୍କାର ରଖିବା ସହିତ ଆଖିରେ ଆଇଡ୍ରପ୍‌ର ବ୍ୟବହାର କରିବା ଦରକାର । ଯଦି ବାରମ୍ବାର ଆଖି କୁଣ୍ଡେଇ ହେଉଛି ଏବଂ ବାରମ୍ବାର ଆଇଡ୍ରପ୍‌ର ବ୍ୟବହାର କରିବାକୁ ପଡୁଛି ତେବେ ଏହାକୁ ଅଣଦେଖା ନକରି ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନିଶ୍ଚିତଭାବେ ନିଅନ୍ତୁ । ବିଶେଷ କରି ଯଦି ଆଖିରେ କୌଣସି ଧୂଳିକଣା ଥାଏ ଓ ଆମେ ମଳିଦେଉ, ତାହା ଆଖିର ବେଶୀ କ୍ଷତି କରିଥାଏ । ତେଣୁ ଆଖିକୁ ଧୂଳିମଳିରୁ ମୁକ୍ତ ରଖିବା ପାଇଁ ଚଷମା ବ୍ୟବହାର କରିବା ଜରୁରୀ  ।  

                                                                                                                                                                                                                                                              By- ହେନାମଞ୍ଜରୀ ସ୍ୱାଇଁ