ଭୀମମଣ୍ଡଳି ଓ ଦେବଝରନକୁ ମିଳିଲା ପର୍ଯ୍ୟଟନସ୍ଥଳି ମାନ୍ୟତା
ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଖିଣ୍ଡାଠାରେ ଥିବା ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ଉନ୍ନତିକରଣ କାର୍ଯ୍ୟ ଜାରି ରହିଥିବାବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାର ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ଭୀମମଣ୍ଡଳି ଓ ଯୁଯୋମୁରା ବ୍ଳକ୍ ଅନ୍ତର୍ଗତ ଦେବଝରନକୁ ପର୍ଯ୍ୟଟନସ୍ଥଳିର ମାନ୍ୟତା ପ୍ରଦାନ କରାଯାଇଛି । ସୋମବାର ଦିନ ପର୍ଯ୍ୟଟନ ନିଦେ୍ର୍ଦଶକ ସମର୍ଥ ବର୍ମା ଏ ବାବଦରେ ସୂଚିତ କରିଛନ୍ତି । ଏବେ ଏହି ଦୁଇ ପର୍ଯ୍ୟଟନକେନ୍ଦ୍ର ପାଇଁ ରୂପରେଖ ଏବଂ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି ।
ମନୋରମ ପରିବେଷ୍ଟନିରେ ଥିବା ରେଢାଖୋଲ ନିକଟସ୍ଥ ଭୀମମୁଣ୍ଡଳିକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେବା ପ୍ରସ୍ତାବ ବାସ୍ତବ ରୂପ ନେଇଛି । ଏ ନେଇ ପାଞ୍ଚବର୍ଷ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ସୁପାରିଶ କରାଯାଇ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇନଥିଲେ ମଧ୍ୟ ଉଭୟ ଜାଗାକୁ ବର୍ଷତମାମ ଦର୍ଶକ ଏବଂ ଇତିହାସ ଗବେଷକମାନଙ୍କ ଯିବା ଆସିବା ଲାଗିରହିଥାଏ । ସେହିପରି ସମ୍ବଲପୁର ସହର ଠାରୁ ୧୦୦ କିଲୋମିଟର ଦୂରବର୍ତ୍ତି ରେଢାଖୋଲ ସବଡ଼ିଭିଜନର ଲାଂଡ଼ିମାଲ ସଂରକ୍ଷିତ ଜଂଗଲରେ ଭୀମମୁଣ୍ଡଳି ଅବସ୍ଥିତ । ଏହାର ପାଶ୍ୱର୍ରେ ଚମ୍ପାଳି ନଦୀ ପ୍ରବାହିତ ହେଉଛି । ମହାଭାରତକୁ ନେଇ ଏହି ଗୁମ୍ଫା ନାମିତ । ଏହି ଜାଗା ସହିତ ପୈାରାଣିକ ପଞ୍ଚୁ ପାଣ୍ଡବ ଏବଂ ଦ୍ରୈ÷ପଦୀଙ୍କ କଥାବସ୍ତୁ ଜଡ଼ିତ । ଏଠାରେ ଐତିହାସିକ ଯୁଗର ରେଖାଚିତ୍ରମାନ ରହିଛି । ୨୦୧୭ରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଉଭୟ ଖିଣ୍ଡା ଓ ଭୀମମୁଣ୍ଡଳିର ସର୍ଭେ କରାଯାଇଥିଲା । ଏହା ପରେ ଏହି ଦୁଇ ସ୍ଥାନକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ ଓ ଘୋଷଣା କରିବା ସକାଶେ ସୁପାରିଶ କରାଯାଇଥିଲା । ଜିଲ୍ଲା ପର୍ଯ୍ୟଟନ କମିଟି ବୈଠକରେ ପ୍ରସ୍ତାବ ଚୂଡ଼ାନ୍ତ ହେବା ପରେ ପୁନର୍ବାର ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଥିଲ । ସୁପ୍ରିମ୍କୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ପଣ୍ଡା ଏବଂ ତାଙ୍କ ଟିମ୍ ମଧ୍ୟ ଭୀମ ମୁଣ୍ଡଳୀ ପରିଦର୍ଶନ କରିବା ସହିତ ସ୍ଥାନୀୟ ସନ୍ନ୍ୟାସୀ ଏବଂ ନାଗରିକମାନଙ୍କ ସହିତ ଆଲୋଚନା କରିଥିଲେ । ଏଠାରେ ଝରଣାର ପାଣିକୁ ଉପଯୋଗ କର ଜଳସେଚନ ବିଭାଗ ପକ୍ଷରୁ ଏକ ସେଚ ପ୍ରକଳ୍ପ ଜଳାଶୟ ବିକଶିତ କରାଯାଇଛି । ପର୍ଯ୍ୟଟନ ବିଭାଗ ଦ୍ୱାରା ପର୍ଯ୍ୟଟକମାନଙ୍କ ପାଇଁ କିଛି ସୁବିଧା କରାଯାଇଥିଲେ ମଧ୍ୟ ଏବେ ଚାହିଦା ଅନୁଯାୟୀ ଉନ୍ନତି ହୋଇପାରିବ । ଏହି ପର୍ଯ୍ୟଟନସ୍ଥଳିର ଅଧିକ ବିକାଶ ସହ ପର୍ଯ୍ୟଟକମାନଙ୍କ ପାଇଁ ସୁବିଧା ସୁଯୋଗ ପ୍ରଦାନ କଲେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ବୋଲି ପ୍ରକାଶ କରାଯାଇଛି ।