ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି
ବଡ଼ସାହି : ବଡ଼ସାହି ବ୍ଲକ ଅନ୍ତର୍ଗତ ଶାଳଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍କୁଲର ରୌପ୍ୟ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସନ୍ତୋଷ କୁମାର ବେହେରାଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବନ୍ଧୁମିଳନ, ବିଦ୍ୟାଳୟର ଉନ୍ନତି, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯିବା ସହିତ ରୌପ୍ୟ ଜୟନ୍ତୀ ଅବସରରେ ଏକ ସ୍ମରଣିକା ପ୍ରସ୍ତୁତ କରିବା ପାଇଁ ସ୍ଥିର କରାଗଲା । ପ୍ରତ୍ୟେକ ରବିବାର ଦିନ ୯ଘଣ୍ଟା ସମୟରେ ବିଦ୍ୟାଳୟରେ ଉପସ୍ଥିତ ହୋଇ ରୌପ୍ୟ ଜୟନ୍ତୀର ସାକାର ନିମନ୍ତେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ ଓ ଅଣଶିକ୍ଷକ ବୃନ୍ଦ ଆଲୋଚନା କରିବାର ସିଦ୍ଧାନ୍ତ ହୋଇଛି । ଆସନ୍ତା ଡିସେମ୍ବର ମାସ ୧୯ ଓ ୨୦ ତାରିଖରେ ରୌପ୍ୟ ଜୟନ୍ତୀ ପାଳନ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଭାଗ ଓ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ପୁରାତନ ଛାତ୍ରମାନଙ୍କ ମଧ୍ୟରୁ ଉମେଶ ଚନ୍ଦ୍ର ନାୟକଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ । ଶେଷରେ ପ୍ରଭାକର ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ ।