ବର୍ଷାରେ ଶିଶୁ ରହିବେ ଫିଟ୍

ବର୍ଷାଦିନରେ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ମା’ମାନଙ୍କ ଟେନ୍ସନ ବଢ଼ିଯାଏ । କାରଣ ଏହିଦିନେ ଶିଶୁଙ୍କଠାରେ ଦେଖାଦିଏ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏହା ଦୂରକରିବା ଲାଗି କେତେକ ଦିଗ ପ୍ରତି ଯନôଶୀଳ ହେବା ନିହାତି ଆବଶ୍ୟକ...
ବର୍ଷାଦିନେ ଅନେକ ପିଲାଙ୍କ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖାଦିଏ । ଯଦି ପିଲାଠାରେ କୁଣ୍ଡେଇହେବା, ଫଳିଯିବା, ଲାଲ୍ ପଡ଼ିବା ଭଳି ଲକ୍ଷଣ ଦେଖାଦିଏ ତେବେ ନିମ୍ବପତ୍ରକୁ ବାଟି ଉକ୍ତ ସ୍ଥାନରେ ଲଗାନ୍ତୁ । ଏହି ପ୍ରାକୃତିକ ଉପାୟ ପିଲାଙ୍କ ତ୍ୱଚା ସମସ୍ୟା ସହଜରେ ଦୂର କରିଥାଏ । ସମସ୍ୟା ନ କମିଲେ ଡାକ୍ତରଙ୍କ ପରାମର୍ଶକ୍ରମେ ସ୍କିନ୍ କ୍ରିମ୍ ଲଗାନ୍ତୁ । ବର୍ଷାଦିନେ ଅଧିକାଂଶ ମାଆ ଥଣ୍ଡା ଧରିବା ଡରରେ ପିଲାଙ୍କୁ ଆଦୌ ଗାଧୋଇ ଦିଅନ୍ତି ନାହିଁ । ହେଲେ ଏହାଦ୍ୱାରା ପିଲାଠାରେ ଆଲର୍ଜି, କୁଣ୍ଡାଇଦେବା କିମ୍ବା ଅନ୍ୟାନ୍ୟ ଫଙ୍ଗାଲ ଇନ୍ଫେକ୍ସନର ଭୟ ବଢ଼ିଯାଏ । ତେଣୁ ପିଲାଙ୍କୁ ଆବଶ୍ୟକ ମାତ୍ରାରେ ଥଣ୍ଡା ପରିବର୍ତ୍ତେ ନଖ ଉଷୁମ ପାଣିରେ ଗାଧୋଇ ଦିଅନ୍ତୁ । ଏହାଦ୍ୱାରା ସେମାନେ ସଫା, ଜୀବାଣୁମୁକ୍ତ ଓ ନୀରୋଗ ରହିବେ । ବର୍ଷାଦିନେ ପିଲାଙ୍କ ଚର୍ମରେ ଫଙ୍ଗାଲ ଓ ରିଂୱର୍ମ ଇନ୍ଫେକ୍ସନ ଦେଖାଦିଏ । ଏହା ଅପରିଷ୍କାର ପାଣି କିମ୍ବା ପୋଷା ଜୀବଜନ୍ତୁଙ୍କ ଯୋଗୁ ହୋଇପାରେ । ତେଣୁ ଏହିଦିନେ ପିଲାଙ୍କୁ ଜୀବଜନ୍ତୁଙ୍କଠାରୁ ଦୂରେଇ ରଖନ୍ତୁ । ସେମାନଙ୍କ ପୋଷାକ ଆଣ୍ଟିସେପ୍ଟିକ୍ କିମ୍ବା ମେଡିକେଟେଡ୍ ସଲ୍ୟୁଶନରେ ସଫାକରନ୍ତୁ ।
ସେମାନଙ୍କ ଶରୀରକୁ ଓଦାହେବାକୁ ଦିଅନ୍ତୁ ନାହିଁ, ସର୍ବଦା ସଫା ଏବଂ ଶୁଖିଲା ରିଖନ୍ତୁ । ପିଲାଙ୍କ ନଖ ବଡ଼ ହେବା ମାତ୍ରେ କାଟିଦିଅନ୍ତୁ । ସେମାନଙ୍କ ହାତ ବାରମ୍ବାର ଓଦା ହେବାକୁ ଦିଅନ୍ତୁ ନାହିଁ । ନଚେତ୍ ଏହାଦ୍ୱାରା ମଧ୍ୟ ଇନ୍ଫେକ୍ସନ ଆଶଙ୍କା ରହିଛି ।
ଏହିଦିନେ ପିଲାଙ୍କର ଘିମିରି ସମସ୍ୟା ବି ଦେଖାଦେଇଥାଏ । ଏପରି ହେଲେ ଗୋଲାପଜଳରେ ଅଳ୍ପ ଚନ୍ଦନ ଘୋରି ଲଗାନ୍ତୁ ।୧୫-୨୦ମିନିଟ୍ ରଖିବା ପରେ ପାଣିରେ ଭଲ ଭାବେ ଧୋଇ ପିଲାକୁ ପୋଛିଦିଅନ୍ତୁ ।