ମହିଳା ଶିକ୍ଷା, ନୀତି ଓ ଆଇନରେ ଅଦ୍ଭୂତପୂର୍ବ ପରିବର୍ତ୍ତନ : ଝିଅଙ୍କ ଶିକ୍ଷା କ୍ଷେତ୍ରରେ ୬% ଅଭିବୃଦ୍ଧି

ମହିଳା ଶିକ୍ଷା, ନୀତି ଓ ଆଇନରେ ଅଦ୍ଭୂତପୂର୍ବ ପରିବର୍ତ୍ତନ : ଝିଅଙ୍କ ଶିକ୍ଷା କ୍ଷେତ୍ରରେ ୬% ଅଭିବୃଦ୍ଧି

ନାବାଳିକା ଯୌନ ନିର୍ଯ୍ୟାତନା ଉଦବେଗର ବିଷୟ
ଭୁବନେଶ୍ୱରରୁ ରଶ୍ମିତା ବେହେରା : ଓଡ଼ିଶାରେ ମହିଳା ଶିକ୍ଷା, ମହିଳାଙ୍କ ମଙ୍ଗଳ ପାଇଁ ନୀତି ପ୍ରଣୟନ ଓ ମହିଳା ବିରୋଧୀ ସଂକ୍ରାନ୍ତୀୟ ଆଇନର ସଠିକ୍‌ ଅନୁପାଳନ କ୍ଷେତ୍ରରେ ଉଲ୍ଳେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି  । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ-୫) ଓ ଜାତୀୟ କ୍ରାଇମ ରେକଡର଼୍ସ୍‌ ବ୍ୟୁରୋ (ଏନସିଆରବି)ର ରିପୋର୍ଟକୁ ଅନୁଶୀଳନ କଲେ ଏହା ପ୍ରତୀୟମାନ ହୁଏ  । ଓଡ଼ିଶା ବିକାଶ କନକ୍ଳେଭରେ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ୱାରୋପ କରାଯାଇଛି  । 
ପିସିଆଇ, ସିୱାଇଏସଡ଼ି ଓ ଏନଏଡବ୍ଳ୍ୟୁଓ ଏବଂ ବ୍ରେକଥ୍ରୋ ଭଳି ସିଭିଲ ସୋସାଇଟ ସଂଗଠନ ଏସଂକ୍ରାନ୍ତରେ ବିଚାରବିମର୍ଷ କରିଛନ୍ତି  । ମହିଳା ବିରୋଧୀ ହିଂସାକୁ ରୋକିବା ସହ ନିରାପତ୍ତା ପଦକ୍ଷେପମାନ ବୃଦ୍ଧି କରିବା ସଂକ୍ରାନ୍ତରେ ଅଧିକ ଗୁରୁତ୍ୱାରୋପ କରାଯାଇଛି  । ଏନେଇ ଏକ ନୀତି ଆଣିବା ସହ ଗୋଷ୍ଠୀ ସହଭାଗୀତା ଓ ଆଇନ ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଥିଲା  ।
ଏହି ଅବସରରେ ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେଯେ, ମହିଳାମାନେ ହେଉଛନ୍ତି ସମାଜର ପ୍ରମୁଖ ଅଙ୍ଗ  । ଯେଉଁ ଦେଶର ମହିଳା ଯେତେ ସୁରକ୍ଷିତ ଏବଂ ସଶକ୍ତ ସେ ଦେଶ ସେତେ ମାତ୍ରାରେ ସମୃଦ୍ଧ । ତେଣୁ ଦେଶ ତଥା ରାଜ୍ୟର ପ୍ରଗତି ଆଗକୁ ନେବାକୁ ହେଲେ ମହିଳା ମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଧାନ୍ୟ ଦେବାକୁ ପଡିବ ଓ ଶିକ୍ଷା ଓ ସଚେତନତା ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ  । ଅଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଅନେକ ସମୟରେ ମହିଳାମାନେ ଠକାମୀର ଶିକାର ହେଉଛନ୍ତି ଓ ଆଜିବି ଆଦିବାସୀ ଅଧୁଷିତ ଅଞ୍ଚଳରେ ଅଧାରୁ ପାଠ ଛାଡିବା କ୍ଷେତ୍ରରେ ଛାତ୍ରୀମାନଙ୍କ ହାର ଅଧିକ ରହିଛି ଓ ତେଣୁ ମହିଳା ସାକ୍ଷରତା ହାର ବୃଦ୍ଧି ସହିତ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ପାଇଁ ଆଇନରେ ଆବଶ୍ୟକ ସଂଶୋଧନ ଏବଂ ଚାରୋଟି ଜୋନରେ ମହିଳା ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ସେ କହିଛନ୍ତି  ।
  ଏନଏଫଏଚଏସ-୫ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ, ୧୦ ବର୍ଷ ବା ତଦୁଦ୍ଧ୍ୱର୍ ଝିଅଙ୍କ ଶିକ୍ଷା କ୍ଷେତ୍ରରେ ୬.୩% ଅଭିବୃଦ୍ଧି ଘଟିଛି  । ଏନଏଫଏଚଏସ-୪ରେ ଏହି ହାର ୨୬.୭% ଥିବାବେଳେ ଏନଏଫଏଚଏସ-୫ରେ ସେହି ହାର ୩୩%କୁ ବୃଦ୍ଧି ପାଇଛି  । ତେବେ ୧୮ ବର୍ଷରୁ କମ୍‌ ବୟସରେ ଝିଅ ବିବାହ ଧାରା ଜାରିରହିଛି  । ଏକ୍ଷେତ୍ରରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି  । ୧୮ରୁ ୪୯ ବର୍ଷର ବିବାହିତ ମହିଳାଙ୍କ କ୍ଷେତ୍ରରେ ସ୍ୱାମୀଙ୍କ ନିର୍ଯ୍ୟାତନା ୩୦.୬%କୁ ହ୍ରାସ ଘଟିଛି  । ପୂର୍ବ ସର୍ଭେ ତୁଳନାରେ ଏଥିରେ ପ୍ରାୟ ୫% ହ୍ରାସ ଘଟିପାରିଛି  । ଏସବୁ ଭିତରେ ଉଦବେଗର କଥା ହେଉଛି, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲିଙ୍ଗ ଅନୁପାତ କମିବାରେ ଲାଗିଛି  ।  
ଯଦି ଆମେ ଏନସିଆରବି ରିପୋର୍ଟ ୨୦୨୨କୁ ଅନୁଶୀଳନ କରିବା ତେବେ ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ପୂର୍ବାପେକ୍ଷା ୭% ହ୍ରାସ ପରିଲକ୍ଷିତ ହୋଇଛି  । ଯେତେବେଳେକି ଦେଶରେ ଏକ୍ଷେତ୍ରରେ ୫.୩% ହ୍ରାସ ଘଟିଛି  । ଆଇନର ସଠିକ୍‌ ଅନୁପାଳନ ଯୋଗୁଁ ଏହା ସମ୍ଭବପର ହୋଇପାରିଛି ବୋଲି ଦର୍ଶାଯାଇଛି  । ଶିଶୁଙ୍କ ପ୍ରତି ଯୌନ ନିର୍ଯ୍ୟାତନା ନିଶ୍ଚିତ ଭାବେ ଚିନ୍ତାର କାରଣ ପାଲଟିଛି  । ଏଥିରେ ହ୍ରାସ ପରିଲକ୍ଷିତ ହୋଇଥିଲେବି ଦେଶର ଏସଂକ୍ରାନ୍ତୀୟ ମୋଟ ମାମଲାର ୩.୨% ଓଡ଼ିଶାରେ ହିଁ ଘଟୁଛି  ।  
 ଏହି ଆଲୋଚନାଚକ୍ରରେ ମିତାଲି ଚିନରା, ଲକ୍ଷ୍ମୀକାନ୍ତ ଦ୍ୱିବେଦୀ, ସୁପ୍ରିୟା ପଟ୍ଟନାୟକ, ସୁମିତ୍ରା କୁମାରୀ ପଟ୍ଟନାୟକ, ରୁକ୍ମିଣୀ ପଣ୍ଡା, ଶ୍ୟାନି ଏସ, ନୁର ମଲ୍ଲିକ, ସ୍ନେହା ମିଶ୍ର, ବିରଜା ଲକ୍ଷ୍ମୀ ଷଡ଼ଙ୍ଗୀ, ସିପ୍ରା ସିଂ, ରୁକ୍ମିଣୀ ପଣ୍ଡା, ପୃଥ୍ୱୀରାଜ ହରିଚନ୍ଦନ, ବିରଜା ଲକ୍ଷ୍ମୀ ଷଡଙ୍ଗୀ, ସନ୍ତୋଷ ପାତ୍ର, ରାକ୍ଷୀ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ  ।
   ସିୱାଇଏସଡି ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ  ସମାରୋହରେ ବିଶିଷ୍ଟ ବ୍ୟକ୍ତିଗଣ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ ଓ ଶେଷରେ ସିୱାଇଏସଡିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ  ।