ଯକୃତ ପରୀକ୍ଷା ଓ ସ୍ୱାସ୍ଥ୍ୟ

ଶରୀରର ଗୁରୁତ୍ୱପୂର୍ଣ୍ଣ ଲିଭର ବା ଯକୃତର ଅନ୍ତନିର୍ଯ୍ୟାସର ପରୀକ୍ଷା ଭାବେ ଫାଇବ୍ରୋସ୍କାନ ବ୍ୟବସ୍ଥାକୁ ଗ୍ରହଣ କରାଯାଏ । ଆସନ୍ତୁ ଏହି ଫାଇବ୍ରୋସ୍କାନ ସମ୍ବନ୍ଧରେ ଏକ ଛୋଟିଆ ଆଲୋଚନା ଏଠାରେ ଉପସ୍ଥାପନ କରୁଛୁ । ଯକୃତ ବା କଲିଜାରେ ତନ୍ତୁ ଜମିଗଲେ ପ୍ରଦାହ ବା କ୍ଷତ ହୋଇ ସଂଯୋଜକ ତନ୍ତୁରେ ମୋଟାଦାଗ ଜମିଗଲେ ଏହା ଯକୃତର କାର୍ଯ୍ୟକ୍ଷମତାକୁ କମାଇ ଦିଏ । ଅତ୍ୟଧିକ ମଦ୍ୟପାନ, ଚର୍ବି ଜାତୀୟ ଖାଦ୍ୟ, ହେପାଟାଇଟିସ୍ "ବି', "ସି' ଓ "ଡି' ସଂକ୍ରମଣ, ମଧୁମେହ, ପିତ୍ତକୋଷ ରୋଗ କିମ୍ବା ଅତ୍ୟଧିକ ଲୌହକଣା ଜମିଗଲେ ଲିଭରରେ ସୂତ୍ରତନ୍ତୁମୟତା ସୃଷ୍ଟି ହୁଏ ଓ ଯକୃତ ସଂକୁଚିତ ହୋଇ ଉପରିଭାଗରେ ଛୋଟ ଛୋଟ ଫୁଲା ବା ଗ୍ରନ୍ଥିକା ସୃଷ୍ଟି ହୋଇ ସିରୋସିସ୍ ରୋଗରେ ରୂପାନ୍ତରିତ ହୁଏ । ଏହି ସୂତ୍ରତନ୍ତୁମୟତାକୁ ମାପିବା ପାଇଁ ଲିଭରରୁ ଜୀବନ୍ତତନ୍ତୁ ନେଇ ପରୀକ୍ଷା କରାଯାଏ । ଏକ ଛୁଞ୍ôଚ ସାହାଯ୍ୟରେ ଯକୃତରୁ ଏକ ଛୋଟ ଅଂଶ କାଟିନେଇ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରାଯାଏ । କିନ୍ତୁ ଏହା ଏକ କଷ୍ଟକର ପରୀକ୍ଷା ଓ ବେଳେବେଳେ ଆଭ୍ୟନ୍ତରୀଣ ରକ୍ତକ୍ଷରଣ ମାଧ୍ୟମରେ ରୋଗୀ ଅଧିକ କଷ୍ଟପାଏ । ତେଣୁ ଲିଭରକୁ କ୍ଷତି ନକରି ବା କୌଣସି ପ୍ରକାର ଛୁଞ୍ôଚ ଦ୍ୱାରା ଜୀବନ୍ତ ତନ୍ତୁ ନ ନେଇ ଫାଇବ୍ରୋସ୍କାନ ମାଧ୍ୟମରେ ଏହି ସୂତ୍ରତନ୍ତୁମୟତାକୁ ମାପିହେବ । ଏହା ଏକ ଅତ୍ୟଧିକ ସୂକ୍ଷ୍ମମାନର ଯନ୍ତ୍ର । ଅଲଟ୍ରାସାଉଣ୍ଡର ଶଳାକା (ପ୍ରୋବ୍) ପରି ଏହାର ମଧ୍ୟ ଏକ ଶଳାକା ଥାଏ ଯାହାକି ଡାହାଣ ଛାତିର ନିମ୍ନଭାଗରେ ରଖି ବୋତାମ ଚିପିଲେ କଲିଜାର କଠିନତା ସମ୍ବନ୍ଧରେ ମାପିହୁଏ । କମ୍ପ୍ୟୁଟର ମାଧ୍ୟମରେ ଏହି ତଥ୍ୟକୁ ପର୍ଯ୍ୟବେକ୍ଷଣ କଲାପରେ ପରଦାରେ ଏହାର ମାନ ଲିଖିତ ଆକାରରେ ଦେଖାଯାଏ । ଦଶ ମିନିଟ ଭିତରେ ଏହି ପରୀକ୍ଷା ଶେଷ ହୁଏ । ଏଥିରେ କୌଣସି କଷ୍ଟ ହୁଏନାହିଁ ବା ରକ୍ତ ବାହାରେ ନାହିଁ । ଏହି ପରୀକ୍ଷା ପୂର୍ବରୁ ଖାଲି ପେଟ ରହିବା ଜରୁରି । ଅତ୍ୟଧିକ ମୋଟା ବ୍ୟକ୍ତି, ଯେଉଁମାନଙ୍କ ପେଟରେ ପାଣି ଜମିଯାଇଛି, ବୟସ୍କ ବ୍ୟକ୍ତିମାନଙ୍କର ଫାଇବ୍ରୋସ୍କାନ୍ ଠିକ୍ ଭାବରେ କରିହୁଏ ନାହିଁ । ଯେଉଁମାନଙ୍କର ହୃତ୍ପିଣ୍ଡରେ ପେସ୍ମେକର ବା ଗତିଚାଳକ ଲାଗିଛି ବା ଗର୍ଭବତୀ ମହିଳାମାନଙ୍କର ଫାଇବ୍ରୋସ୍କାନିଂ ପରୀକ୍ଷା ନିଷେଧ । ଫାଇବ୍ରୋସ୍କାନିଂ ମାଧ୍ୟମରେ ପେଟର ଅନ୍ୟାନ୍ୟ ଅଙ୍ଗ ଯଥା ଅଗ୍ନ୍ୟାଶୟ, ପ୍ଲୀହା, ଜରାୟୁ ଓ ଖାଦ୍ୟନଳୀ ପରୀକ୍ଷା ହୋଇପାରେ ନାହିଁ । ଯକୃତର ଜଟିଳତା ବ୍ୟତୀତ ଅନ୍ୟ କୌଣସି ଅଙ୍ଗକୁ ପରୀକ୍ଷା କରିବା ଏହି ଫାଇବ୍ରୋସ୍କାନରେ ସମ୍ଭବ ନୁହେଁ । ଏହି ଫାଇବ୍ରୋସ୍କାନିଂ ମାଧ୍ୟମରେ ଯକୃତର ତନ୍ତୁମୟତା ବା ଜଟିଳତା ଜଣା ପଡ଼ିଲେ ରୋଗୀ ସହଜରେ ସଚେତନ ହୁଏ ।
ଶରୀରର କୋଷଗୁଡ଼ିକ ଯକୃତ ବିରୋଧରେ କାମ କଲେ ଯକୃତ ଖରାପ ହୋଇଯାଏ । ଏହା ଖୁବ୍ କମ୍ ପରିମାଣରେ ଦେଖାଯାଏ । ଯକୃତ ଖରାପ ହେବାର ଲକ୍ଷଣ ଡେରିରେ ଜଣାପଡେ଼ । ୬୦-୮୦ ପ୍ରତିଶତ ଯକୃତର କୋଷ କ୍ଷତିଗ୍ରସ୍ତ ହେବା ପରେ ହିଁ ଲକ୍ଷଣ ପ୍ରକାଶ ପାଇଥାଏ । ତେଣୁ ଯକୃତ ପରୀକ୍ଷା କରାଇ ନେବା ଜରୁରି । ଏହା ଯକୃତର କ୍ଷମତା ଜଣାଇଥାଏ । ଫ୍ୟାଟି ଲିଭର ପାଇଁ ଅଲ୍ଟ୍ରାସାଉଣ୍ଡ ଓ ଫାଇବ୍ରୋସ୍କାନ ପରୀକ୍ଷା କରିପାରିବେ । ତେବେ ଯକୃତକୁ ସୁସ୍ଥ ରଖିବା ଲାଗି ସ୍ୱଚ୍ଛ ପାଣି ପିଅନ୍ତୁ, ଦୂଷିତ ଖାଦ୍ୟରୁ ଦୂରେଇ ରହନ୍ତୁ, ବ୍ୟାୟାମ କରନ୍ତୁ, ସୁରକ୍ଷିତ ଶାରୀରିକ ସମ୍ପର୍କ ରଖନ୍ତୁ, ୪୦ ବର୍ଷ ବୟସରେ ପରେ ଯକୃତ ପରୀକ୍ଷା କରାଇ ନିଅନ୍ତୁ ଏବଂ ସବୁଠାରୁ ବଡ଼ କଥା ମଦ୍ୟପାନ ଓ ଧୂମପାନରୁ ବିରତ ରୁହନ୍ତୁ । ହେପାଟାଇଟିସ୍ ବି ଟିକା ନେଇ ହେପାଟାଇଟିିସ୍ ବି, ଲିଭର ସିରୋସିସ୍ ଓ ଲିଭର୍ କ୍ୟାନସରରୁ ମୁକ୍ତି ପାଆନ୍ତୁ ।
ଡା. ଉମେଶ ଚନ୍ଦ୍ର ପାତ୍ର
ମୋ : ୯୪୩୭୦୫୧୯୫୭