ବଢିଛି ସୁନାରେ ନିବେଶ

ବଢିଛି ସୁନାରେ ନିବେଶ


ନୂଆଦିଲ୍ଲୀ : ଗତ ବର୍ଷ ବିଶ୍ୱରେ ସୁନା ଚାହିଦା ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ଏକ ନୂଆ ଇତିହାସ ସୃଷ୍ଟି କରିଛି  । ୨୦୨୫ରେ ମୋଟ ସୁନା ଚାହିଦା ୫୦୦୨ ଟନ୍‌ରେ ପହଂଚିଛି, ଯାହାକି ଏବେ ସୁଦ୍ଧା ସର୍ବାଧିକ । ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ୨୦୨୫ ରିପୋର୍ଟ ଅନୁଯାୟୀ, ବିଶ୍ୱସ୍ତରରେ ଲାଗିରହିଥିବା ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଯୋଗୁଁ ନିବେଶକମାନେ ସୁନା ଉପରେ ଅଧିକ ଭରସା କରିଛନ୍ତି । ସେହିଭଳି ବିଶ୍ୱସ୍ତରରେ ଗତବର୍ଷ ମୋଟ ନିବେଶ ଚାହିଦା ୨୧୭୫ ଟନ୍‌ ରେକର୍ଡ କରାଯାଇଛି । ଫଳରେ ସୁନାରେ ବିପୁଳ ନିବେଶ ହେବା ସହ ଏହାର ବାର୍ଷିକ କାରବାର ମୂଲ୍ୟ ୫୫୫ ବିଲିୟନ ଡଲାର ଛୁଇଁଛି  । ଅନ୍ୟପକ୍ଷରେ ଏହି ତ୍ରୈମାସିକରେ ଭାରତରେ ମୋଟ ନିବେଶ ଚାହିଦା ୨୬% ବୃଦ୍ଧି ପାଇ ୯୬ ଟନ୍‌ ହୋଇଛି । ମୂଲ୍ୟ ହିସାବରେ ଦେଖିଲେ ଏହା ପ୍ରାୟ ଦୁଇଗୁଣ ବଢି ୧,୨୦,୭୦୦ କୋଟି ଟଙ୍କାରେ ପହଂଚିଛି, ଯାହା ଗତ ବର୍ଷ ତୁଳନାରେ ୧୦୮% ଅଧିକ  । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଭାରତୀୟ ନିବେଶକମାନେ ଭବିଷ୍ୟତର ସୁରକ୍ଷା ପାଇଁ ଏବେ ସୁନା ଉପରେ ଅଧିକ ଭରସା କରୁଛନ୍ତି । ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ବରିଷ୍ଠ ବଜାର ବିଶ୍ଳେଷକ ଲୁଇସ୍‌ ଷ୍ଟ୍ରିଟଙ୍କ ମତରେ, ‘ବିଶ୍ୱରେ ଲାଗିରହିଥିବା ଆର୍ôଥକ ଓ ରାଜନୈତିକ ସଙ୍କଟ ଏବେ ଏକ ସାଧାରଣ ଘଟଣା ପାଲଟିଛି, ତେଣୁ ଲୋକମାନେ ସୁନା କିଣିବା ଏବଂ ଗଚ୍ଛିତ ରଖିବାକୁ ଅଧିକ ସୁରକ୍ଷିତ ମଣୁଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ସୁନା ଦର ୬୭% ବୃଦ୍ଧି ପାଇଥିଲେ ମଧ୍ୟ ଅଳଙ୍କାର ଚାହିଦା ମାତ୍ର ୧୮% ହ୍ରାସ ପାଇଥିଲା  । ଏହା ପ୍ରମାଣ କରୁଛି ଯେ ଦାମ୍‌ ବଢିଲେ ବି ଗ୍ରାହକଙ୍କ ମଧ୍ୟରେ ସୁନା କିଣିବାର ଆଗ୍ରହ କମିନାହିଁ । ଅନ୍ୟପଟେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ମଧ୍ୟ ନିଜର ସୁନା ଭଣ୍ଡାର ବଢାଇବା ପାଇଁ ପ୍ରତିବଦ୍ଧ ରହିଛନ୍ତି ।