ଝାରପଡ଼ା ଜେଲ୍‌ରେ ଗୁଣ୍ଡାରାଜ୍‌

Jharpada Jail

ଝାରପଡ଼ା ଜେଲ୍‌ରେ ଗୁଣ୍ଡାରାଜ୍‌

‘କଏଦୀ’ଙ୍କୁ ମୁନା ଗ୍ୟାଙ୍ଗର ଆକ୍ରମଣ !

ଭୁବନେଶ୍ୱର : ଝାରପଡ଼ା ଜେଲରେ ପୁଣି ଏକ ଗୁଣ୍ଡାରାଜର ନମୁନା ଦେଖିବାକୁ ମିଳିଛି  । ମୁନା ଗ୍ୟାଙ୍ଗର ଆକ୍ରମଣରେ ଜଣେ କଏଦୀ ଗୁରୁତର ହୋଇଥିବା ଅଭିଯୋଗ ଆସିଛି  । ଗୁରୁତର ଅବସ୍ଥାରେ କଏଦୀ ଜଣଙ୍କ କ୍ୟାପିଟାଲ ହସପିଟାଲରେ ଭର୍ତି ହୋଇଛନ୍ତି  ।


କଏଦୀ ଜଣଙ୍କ କହିଛନ୍ତିଯେ, ଝାରପଡ଼ା ଜେଲର ଭିତିରି କଥା ସେ କହି ଦେଇଥିଲେ  । ମୋବାଇଲ ବ୍ୟବହାର ଠାରୁ ନେଇ ଅନେକ ତଥ୍ୟ ସେ ପ୍ରକାଶ କରିଥିଲେ  । ତେଣୁ ରାଗ ରଖି ତାଙ୍କ ଉପରେ ଆକ୍ରମଣ ହୋଇଛି ବୋଲି ସେ କହିଛନ୍ତି  । ତେବେ ତାଙ୍କର ଅଧିକ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧି ଚାହିଁଥିଲେବି ଜେଲ ସୁରକ୍ଷା କର୍ମୀମାନେ ସୁଯୋଗ ଦେଇନଥିଲେ  ।


ମିଳିଥିବା ସୂଚନା ଅନୁଯାୟୀ ଝାରପଡ଼ା ଜେଲରେ ସୌମ୍ୟକାନ୍ତ ମହାନ୍ତି ନାମକ ଜଣେ ବ୍ୟକ୍ତି ବିଚାରାଧୀନ କଏଦୀ ଭାବେ ରହିଛି  । ନିକଟରେ ସେ ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ ଅଥରିଟିକୁ ସେ ଚିଠି ଲେଖିଥିଲେ  । ଜେଲରେ ଯଦି କଏଦୀ ନିଜକୁ ଅସୁରକ୍ଷିତ ଅନୁଭବ କରନ୍ତି, ତେବେ ଚିଠି ଲେଖି ଜଣାଇ ପାରିବାର ପ୍ରାବଧାନ ରହିଛି  । ସେଥିରେ ସେ ଉଲ୍ଲେଖ କରିଥିଲେଯେ, ଜେଲ ଭିତରେ ଅବାଧ ଗଞ୍ଜେଇ ଓ ମଦ ବେପାର ହେଉଛି  । ଏଥିପାଇଁ ସ୍ୱତନ୍ତ୍ର ରେଟ୍‌ କାଡର଼୍ ମଧ୍ୟ ରହିଛି  । ଅଭିଯୋଗ ପାଇବା ପରେ ଡିଏଲଏସଏର ଅଧିକାରୀମାନେ ଜେଲରେ ଚଢ଼ାଉ କରି ଏକ ମୋବାଇଲ୍‌ ପାଇଥିଲେ  । ତେବେ କିଏ ଖବର ଦେଲା, ସେନେଇ ତନାଘନା ଆରମ୍ଭ ହୋଇଗଲା  । ଆଜି ସଂଧ୍ୟା ବେଳେ ପ୍ରାର୍ଥନାକୁ ଯାଉଥିବାବେଳେ ସୌମ୍ୟକାନ୍ତକୁ  ହାଇଦର ପୁଅ ମୁନା ଓ ଆଉ ଜଣେ ବ୍ୟକ୍ତି ନିର୍ଧୁମ ମାଡ଼ ମାରିଥିଲେ  । ତାଙ୍କର ମୁଣ୍ଡ ଫାଟି ରକ୍ତସ୍ରାବ ହେଉଥିଲେବି ଜେଲ ସୁରକ୍ଷା କର୍ମଚାରୀମାନେ ଅଟକାଇ ନଥିବା ଅଭିଯୋଗ ହୋଇଛି  । ତେବେ ଅଧିକ ରକ୍ତ ସ୍ରାବ ହେବା ପରେ ତାଙ୍କୁ ବାଧ୍ୟ ହୋଇ ଝାରପଡ଼ାରୁ ଆଣି କ୍ୟାପିଟାଲ ହସପିଟାଲରେ ଭର୍ତି କରାଯାଇଥିଲା  । ଯାହା ଏବେ ଆଲୋଡ଼ନ ସୃଷ୍ଟି କରିଛି  । ମୁଖ୍ୟମନ୍ତ୍ରୀ ଅପରାଧିଙ୍କୁ ଚେତାବନୀ ଦେବାର ଦିନକ ପରେ ଏଭଳି ଘଟଣା ଘଟିଥିବାରୁ ବିଧାନସଭାରେ ଏହାକୁ ପ୍ରସଙ୍ଗ କରିବା ପାଇଁ ବିରୋଧୀ ସଜବାଜ ହେଉଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି  ।