ନେତାଙ୍କୁ ବିଜେପିର କଡ଼ା ଚେତାବନୀ : ‘ବାଜିବ ଶୃଙ୍ଖଳା ଛାଟ’

Odisha BJP

ନେତାଙ୍କୁ ବିଜେପିର କଡ଼ା ଚେତାବନୀ : ‘ବାଜିବ ଶୃଙ୍ଖଳା ଛାଟ’

ଆଜିଠାରୁ ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର : ଆଉ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ  । ଯିଏ ବିଶୃଙ୍ଖଳିତ ହେବେ ସେମାନଙ୍କ ଉପରେ ଶୃଙ୍ଖଳା ଛାଟ ବାଜିବ  । ନିର୍ବାଚନ ବେଳେ ଓ ପରେ ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳା ସୃଷ୍ଟି ନେଇ ଅନେକ ଅଭିଯୋଗ ଆସିଛି  । ସବୁ ଅଭିଯୋଗର ବିଚାର କରାଯିବ  । ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ  । ଦଳ ପକ୍ଷରୁ ଆଜି ଏଭଳି ଚେତାବନୀ ଦିଆଯାଇଛି  । ଅପରପକ୍ଷରେ ଆସନ୍ତାକାଲି ଠାରୁ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ  ।

ଗତକାଲି ଭୁବନେଶ୍ୱର ମେୟର ପ୍ରାର୍ôଥନୀ ସୁନୀତ ମୁଣ୍ଡ ଓ ଅପରାଜିତାଙ୍କ ଅନେକ ସମର୍ଥକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି  । ଆଜି ଶୃଙ୍ଖଳା କମିଟିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା  । ସାରା ରାଜ୍ୟରେ ଏଭଳି ଅଭିଯୋଗମାନ ଆସିଥିବାରୁ ଦଳ ତାହାକୁ ଗୁରୁତର ସହ ଗ୍ରହଣ କରିଛି  । ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳର ସଦସ୍ୟ ଭାବେ ନିଜ ଆଚରଣ ଓ ଉଚ୍ଚାରଣକୁ ସଠିକ ରଖିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି ସମସ୍ତ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି  । ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳା ସୃଷ୍ଟି ପ୍ରସଙ୍ଗରେ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗକୁ ବିଚାର କରାଯାଇ ବିହିତ ପଦକ୍ଷେପ ନେବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି  । 

କମିଟିର ଅଧ୍ୟକ୍ଷ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି  ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, କମିଟିର ସଦସ୍ୟ ତଥା ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ  । ଏହି ଅବସରରେ ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଦର୍ଶନ ନାୟକଙ୍କୁ କମିଟିର ଆବାହକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି  ।

ସୂଚନାଯୋଗ୍ୟଯେ, ଚବିଶ ନିର୍ବାଚନ ପରେ ଅନେକ ନେତାଙ୍କ ଭିତରେ ତାଳମେଳ ରହୁନଥିବା ଦେଖିବାକୁ ମିଳିଛି  । ବିଶେଷକରି ନୂଆ ଓ ପୁରୁଣା ବିଜେପି କାର୍ଯ୍ୟକର୍ତାଙ୍କ ମଧ୍ୟରେ କେତେକ ସ୍ଥାନରେ ବିବାଦ ପରିଲକ୍ଷିତ ହେଉଛି  । ସେମାନଙ୍କ ଭିତରେ ପଡୁନଥିବାରୁ ସଂଗଠନ କାର୍ଯ୍ୟରେ ବାଧା ସୃଷ୍ଟିହେଉଛି  । ଆସନ୍ତାକାଲି ଠାରୁ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ସଭ୍ୟ ହେବେ  । ୧୦ କୋଟି ନୂଆ ସଦସ୍ୟ ସଂଗ୍ରହ ପାଇଁ ବିଜେପି ଲକ୍ଷ୍ୟ ରଖିଛି  । ଅପରପକ୍ଷରେ ରାଜ୍ୟ ବିଜେପି ମଧ୍ୟ ୧ କୋଟି ସଭ୍ୟ ଓ ୧ ଲକ୍ଷ ସକ୍ରିୟ ସଭ୍ୟ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛି  । ଏଥିପାଇଁ ବୁଥ, ମଣ୍ଡଳ ଓ ରାଜ୍ୟସ୍ତରରେ ପ୍ରସ୍ତୁତି ଜୋରଧରିଛି  ।