ମାସେ ନ ପୂରୁଣୁ ଷ୍ଟ୍ରିଟ୍ଲାଇଟ୍ ଅଚଳ
ଢେଙ୍କାନାଳ : ସହରରେ ଲାଗିଥିବା ସୌନ୍ଦର୍ଯ୍ୟକରଣ ଲାଇଟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ନିମ୍ନ ମାନର ଲାଇଟ୍ ଲାଗିଥିବା ସତ୍ୱେ କାହିଁକି ଠିକାଦାରଙ୍କୁ ବିଲ୍ ଦିଆଗଲା । ମାତ୍ର ୧୨ ହଜାର ଟଙ୍କାର ଲାଇଟ୍ ଖୁଟଂକୁ ୫୦ ହଜାର ଟଙ୍କାର ବିଲ୍ କରାଯାଇଛି । ଲାଇଟ୍ ଜଳୁନଥିବାରୁ ୨ ବର୍ଷହେଲା ବିଲ୍ ପ୍ରଦାନ କରାଯାଉନଥିବା ବେଳେ ଏବେ ହଠାତ୍ କାହିଁକୁ ବିଲ୍ ଦିଆଗଲା ବୋଲି ଅଭିଯୋଗକରି ଏକ ଭଙ୍ଗାଲାଇଟ୍ ଖୁଟଂ କାନ୍ଧେଇ ଅଭିନବ ପ୍ରତିବାଦ କରି କାଉନସିଲର ସନ୍ଦିପ ଷଡଙ୍ଗୀ ପୌର କାଉନସିଲର ବୈଠକକୁ ଯାଇଥିଲେ । ଏହାକୁ ନେଇ କାଉନସିଲ ବୈଠକରେ ବ୍ୟାପକ ହଟଗୋଳ ହେବାସହ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୌର କାର୍ଯ୍ୟାଳୟ ପକ୍ଷରୁ ଗତ ୨ ବର୍ଷ ତଳେ ସହରର ବଳରାମ ମନ୍ଦିର ଠାରୁ ବାଜିଚୌକ ଛକ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ ଲାଇଟ ଲଗାଯାଇଥିଲା । ଲାଇଟଗୁଡିକ ଲାଗିବାର ପ୍ରାୟ ୧ମାସ ପର୍ଯ୍ୟନ୍ତ ଜଳିଥିଲା । ପରେ ଧୀରେ ଧୀରେ ବିଭିନ୍ନ ସ୍ଥାନରେ ଗୋଟାଏ ପରେ ଗୋଟାଏ ଲିଭିବା ଆରମ୍ଭ ହୋଇଥିଲା । ତା’ପରଠାରୁ ଆଜି ପର୍ଯ୍ୟନ୍ତ ଦିନେ ହେଲେ ବି ଠିକ୍ଭାବେ ଜଳିବାର ଦେଖାଯାଉ ନଥିବା ଅଭିଯୋଗ ହେଉଛି । ସେଗୁଡିକ ନିମ୍ନମାନରେ ହୋଇଥିବା ବେଳେ ମାଙ୍କଡ ଭାଙ୍ଗି ଦେଉଛନ୍ତି, ଅଧିକାଂଶ ଲାଇଟ ଭାଙ୍ଗିରୁଜି ତଳେ ପଡିଛି । ତାହାର କୌଣସି ମରାମତି କରାଯାଉନାହିଁ । ୨ ବର୍ଷ ପର୍ଯ୍ୟନ୍ତ ଲାଇଟଗୁଡିକର ମରାମତି ଏବଂ ରକ୍ଷଣାବେକ୍ଷଣା କରିବା ଲାଗି ଚୁକ୍ତି ହୋଇଥିଲେ ମଧ୍ୟ ସେଥିରେ ସମ୍ପୁର୍ଣ୍ଣ ବ୍ୟତିକ୍ରମ ହୋଇଛି । ଏହି ସୌନ୍ଦର୍ଯ୍ୟକରଣ ଲାଇଟ ଲଗାଇବା ପାଇଁ ଗତ ୨ବର୍ଷ ତଳେ ଦେଢ କୋଟି ଟଙ୍କାର ଏକ ପ୍ରୋଜେକ୍ଟ କରାଯାଇ ଇଓଆଇ ହୋଇଥିଲା । ଯେଉଁଦିନ ଟେଣ୍ଡର ନୋଟିସ ବାହାରିଲା ତା’ ପରଦିନ ପୂର୍ବାହ୍ନ ୧୦ ଟା ପର୍ଯ୍ୟନ୍ତ ଟେଣ୍ଡର ପକାଇବାର ସମୟ ଦିଆଯାଇଥିଲା, ଯାହାକି ସଂପୂର୍ଣ୍ଣ ବେଆଇନ । ଟେଣ୍ଡର ଡାକିବା ପ୍ରକ୍ରିୟାରେ ଅନିୟମିତତା କରି ପ୍ରିୟାପ୍ରୀତି ନୀତିରେ ଅନୁକମ୍ପା ଦେଖାଇ ଜଣଙ୍କ ହାତକୁ ଦେଢକୋଟି ଟଙ୍କାର ଲାଇଟ୍ କିଣା ପ୍ରୋଜେକ୍ଟ ଟେକି ଦିଆଯାଇଥିଲା । ଏପରି ବେନିୟମ ତଥା ଅନିୟମତା ଓ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଗତ କାଉନସିଲ ବୈଠକରେ ବାରମ୍ବାର ପାରିଷଦଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଏପରିକି ଏହାର ଭିଜିଲାନ୍ସ ତଦନ୍ତ ହେବାକୁ ଦାବି କରାଯାଇ କାଉନସିଲରେ ଅନୁମୋଦିତ ହୋଇଥିଲା । ତେବେ ତାହା କିପରି ଓ କାହା ସ୍ୱାର୍ଥରେ ଆଜି ପର୍ଯ୍ୟନ୍ତ ଭିଜିଲାନ୍ସ ତଦନ୍ତ ଚପିକରି ରହିଗଲା ତାହା ତଦନ୍ତ ସାପେକ୍ଷ । ୨ ଜଣ ନିର୍ବାହୀ ଅଧିକାରୀ ଏଠାରୁ ବଦଳି ହୋଇଯାଇଥିଲେ ମଧ୍ୟ ସେ ସମ୍ପର୍କିତ ବିଲ୍ ପେମେଣ୍ଟ ହୋଇ ନଥିଲା । କେଉଁ ପରୀପ୍ରେକ୍ଷୀରେ ଓ କାହା ଚାପରେ ଚଳିତ ଥର ସଂପୃକ୍ତ ଟେଣ୍ଡରଧାରୀକୁ ୫୦ ଲକ୍ଷ ଟଙ୍କା ବିଲ୍ ପେମେଣ୍ଟ କରାଗଲା ତାହା ପାରିଷଦଙ୍କୁ ଆଶ୍ଚର୍ଯ୍ୟ କରିଛି । ଲାଇଟ ନଜଳି ଭାଙ୍ଗିରୁଜି ପଡିଥିବା ବେଳେ, ବିଲ୍ ପେମେଂଟ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ପ୍ରତ୍ୟେକ ଲାଇଟ ସହ ଖୁଂଟ ସ୍ଥାପନ ଲାଗି ପ୍ରାୟ ୧୦ ହଜାରରୁ ୧୨ ହଜାର ଟଙ୍କା ଖର୍ଚ୍ଚ ହେବ । ହେଲେ ସେଥିରେ ଅନିୟମିତତା କରି ପ୍ରତ୍ୟେକ ଖୁଂଟ ବାବାଦକୁ ୫୦ ହଜାର ଟଙ୍କାରୁ ଅଧୟକ ଟଙ୍କା ବିଲ୍ କରାଯାଇଛି । ଏଥିରେ ଗୋଟେ ଖଣ୍ଟ ପିଛା ପ୍ରାୟ ୪୦ ହଜାର ଟଙ୍କା ଆତ୍ମସାତ ହୋଇଛି । ଆରଟିଆଇ ଆକ୍ଟରେ ତଥ୍ୟ ମାଗିଲେ ମଧ୍ୟ ଅଦ୍ୟାବଧି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଉନାହିଁ । ବାଧ୍ୟହୋଇ କାଉନସିଲର ଶ୍ରୀ ଷଡଙ୍ଗୀ ବଳରାମ ମନ୍ଦିରରେ ଭାଙ୍ଗିପଡିଥିବା ଏକ ଲାଇଟ ଖୁଂଟକୁ କାନ୍ଧରେ ବୋହି ପୌର ପରିଷଦ ବୈଠକରେ ହାଜର କରାଇ ସୌନ୍ଦର୍ଯ୍ୟକରଣ ଲାଇଟରେ ହୋଇଥିବା ଦିର୍ନିତିର ତଦନ୍ତ ପାଇଁ ଦାବି କରିଛନ୍ତି ।