ଆରଟିପିଏସ୍ ଅଧିନିୟମ ସମ୍ପର୍କରେ ବୈଠକ
ଭୁବନେଶ୍ୱର : ନାଗରିକ-ପ୍ରଥମ ଶାସନ ପ୍ରତି ପ୍ରତିବଦ୍ଧତାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଗୁରୁତ୍ୱ । ସହରାଞ୍ଚଳ ଶାସନ ଏବଂ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଜନସେବା ଅଧିକାର (ଆରଟିପିଏସ) ଆଇନ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଶ୍ରୀମତୀ ପାଢୀ କହିଛନ୍ତି, ଜନସେବା ଅଧିକାର ଆଇନ କେବଳ ସେବା ପ୍ରଦାନର ଏକ ଉପକରଣ ନୁହେଁ, ଏହା ଶାସନକୁ ପୁନଃ ପରିଭାଷିତ କରିବା ପାଇଁ ଏକ ପ୍ରତିବଦ୍ଧତା ।
ଯୁବ ଏବଂ ସାମାଜିକ ବିକାଶ କେନ୍ଦ୍ର (ସିୱାଇଏସ୍ଡି) ର ସହ-ପ୍ରତିଷ୍ଠାତା ତଥା ପରାମର୍ଶଦାତା ଜଗାନନ୍ଦ ଆରଟିପିଏସ୍ ଅଧିନିୟମର ପରିବର୍ତ୍ତନଶୀଳ ସମ୍ଭାବନା ଉପରେ ଏକ ସ୍ୱତନ୍ତ୍ର ଉପସ୍ଥାପନା ପ୍ରଦାନ କରିଥିଲେ । ବିଡିଏର ଉପାଧ୍ୟକ୍ଷ ଡ. ଏନ୍. ତିରୁମାଲା ନାୟକ, ପୌର ପ୍ରଶାସନ ନିଦେ୍ର୍ଦଶକ ଅରିନ୍ଦମ ଡାକୁଆ, ବିଏମ୍ସିର କମିଶନର ଚଞ୍ଚଲ ରାଣା, ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ସଚିବ ଏସ୍. ରାଉତଙ୍କ ସମେତ ଅନ୍ୟାନ୍ୟ ପଦଧିକାରୀ ମାନେ ଆୟୋଜିତ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଏକ ପ୍ରଶାସନିକ ଢାଞ୍ଚା ନିର୍ମାଣ ପାଇଁ ବିଭାଗର ପ୍ରତିବଦ୍ଧତାକୁ ଦୋହରାଯାଇଥିଲା ।