ପୁଣିଥରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ : ୩୩ ଦୋକାନ ସିଲ

ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ  ଆରମ୍ଭ ହୋଇଛି ପୁଣିଥରେ ଉଚ୍ଛେଦ କାର୍ଯ୍ୟ ।  ଟାଉନ ହଲ୍‌ ନିକଟରେ ଥିବା ୬ଟି ଦୋକାନ ଘରକୁ ଜେସିବି ଲଗାଇ ଭଙ୍ଗାଯାଇଛି। ଏଥିସହିତ ବିନା ଟ୍ରେଡ ଲାଇସେନ୍ସରେ ବେପାର କରୁଥିବା ୩୩ଟି ଦୋକାନକୁ ପ୍ରଶାସନ ପକ୍ଷରୁ ଜଉମୁଦ ଦିଆଯାଇ ସିଲ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ରିଜିୱାନା କଅକବଙ୍କ ନେତୃତ୍ୱରେ ଉଛେଦକାରୀ ଦଳ (ଏନଫୋର୍ସମେଣ୍ଟ ଟିମ) ପୋଲିସ ଉପସ୍ଥିତିରେ ଦୋକାନ ଗୃହ ଗୁଡିକ ସିଲ କରିବା ସହିତ ଉଚ୍ଛେଦ କରିଥିଲେ। ପୌରାଞ୍ଚଳରେ ଦୋକାନ ଖୋଲିବାକୁ ହେଲେ ଟ୍ରେଡ ଲାଇସେନ୍ସର ଆବଶ୍ୟକତା ରହିଛି। ପୂର୍ବରୁ ଏଥିଲାଗି ସମସ୍ତଙ୍କୁ ନୋଟିସ ଦିଆଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୩୩ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ କାରର୍ଯ୍ୟାନୁଷ୍ଠାନ ନିଆଯାଇଥିବାବେଳେ ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ସହର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସହର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଉଚ୍ଛେଦ ହୋଇଥିବା ୧୬୬ଜଣ ବେପାରୀଙ୍କୁ ଟିଏଲସି ରୋଡସ୍ଥିତ ଭେଣ୍ଡିଂଜୋନରେ ଅବସ୍ଥାପିତ କରାଯାଇଥିଲା। ଚୁକ୍ତିନାମା ଉଲଙ୍ଘନ ଅନୁଯାୟୀ ୬୦ଜଣ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।