ଆଇଆଇଟି ଦିଲ୍ଲୀ ଛାତ୍ରଛାତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା : ଆତ୍ମନିର୍ଭର ଭାରତ ପାଇଁ ନବଉନ୍ମେଷକୁ ଆଗେଇ ନେବା: ଧର୍ମେନ୍ଦ୍ର 

 ନୂଆଦିଲ୍ଲୀ/ଭୁବନେଶ୍ୱର :  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଆଇଆଇଟି ଦିଲ୍ଲୀ ପରିଦର୍ଶନ କରିବା ସହ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚଡ଼ି ଛାତ୍ରଛାତ୍ରୀ, ଉଦ୍ଭାବକ ଏବଂ ଗବେଷକଙ୍କ ସହିତ ଆଲୋଚନା କରିଛନ୍ତି  । ଏହାବ୍ୟତୀତ ଶ୍ରୀ ପ୍ରଧାନ ପୃଥକ ଭାବରେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନସିଟିଇ)ର ୩୧ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶିକ୍ଷକ ସମୁଦାୟକୁ ସମ୍ବୋଧନ କରିଛନ୍ତି । 
 ଶ୍ରୀ ପ୍ରଧାନ ଚଳିତ ବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାଷଣରେ ଦେଇଥିବା ଦୃଷ୍ଟିକୋଣ ସହିତ ସ୍ୱାବଲମ୍ବୀ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଦେଶକୁ ଆତ୍ମନିର୍ଭର କରିବା ଦିଗଗୁଡ଼ିକ ଉପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ  । ଜାତୀୟ ପ୍ରାଥମିକତାକୁ ଗୁରୁତ୍ୱ ଦେବା ଦିଗରେ ସାମୂହିକ ଉଦ୍ୟମ କରିବା ତଥା ୨୦୪୭ ସୁଦ୍ଧା ‘ସମୃଦ୍ଧ ଭାରତ'ର କଳ୍ପନାକୁ ପୂରଣ କରିବା ଉପରେ ମତପ୍ରକାଶ କରିଥିଲେ ଶ୍ରୀ ପ୍ରଧାନ ।  ଛାତ୍ରଛାତ୍ରୀମାନଙ୍କ ସ୍ୱପ୍ନ ଓ ଆକାଂକ୍ଷା, ଗବେଷଣାର କ୍ଷେତ୍ର ଉପରେ ପଚାରି ବୁଝିଥିଲେ । ଏହା ସହିତ ଦକ୍ଷତା ବୃଦ୍ଧି ଏବଂ ନବସୃଜନର ସ୍ପିରିଟକୁ ଆଗକୁ ବଢାଇବା ଦିଗରେ ଶ୍ରୀ ପ୍ରଧାନ ନିଜର ମତପ୍ରକାଶ କରିଥିଲେ । ସେ କହିଥିଲେ ଆମର ଆଇଆଇଟି ଗୁଡ଼ିକ ଆତ୍ମନିର୍ଭର ଭାରତର ମୂଳଦୁଆ ହେବ । ଆମର ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଏବଂ ଭାରତକୁ ସମାଧାନର ଏକ ବିଶ୍ୱ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ପାଇଁ ସରକାର ଭାରତର ଉଦ୍ଭାବକ ଏବଂ ଗବେଷକଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛନ୍ତି । ଶ୍ରୀ ପ୍ରଧାନ ଆଇଆଇଟି, ଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କ ସହ ସକାଳ ଜଳଖିଆ କରିଥିଲେ  । ଏହି ଆଲୋଚନା କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗର ସଚିବ ଡକ୍ଟର ବିନୀତ ଯୋଶୀ, ଆଇଆଇଟି ଦିଲ୍ଲୀର ନିଦେ୍ର୍ଦଶକ ପ୍ରଫେସର ରଙ୍ଗନ ବାନାର୍ଜୀ, ଶିକ୍ଷା ମନ୍ତ୍ରଣାଳୟ, ଆଇଆଇଟି ଦିଲ୍ଲୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ  ।
ଅପରପକ୍ଷରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦର ୩୧ତମ ପ୍ରତିଷ୍ଠା ଦିବସରେ କହିଛନ୍ତି ଯେ ଶିକ୍ଷକମାନେ ଆମ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରୁଛନ୍ତି । ନବନସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିରନ୍ତର ଦକ୍ଷତା ବିକାଶ ଉପରେ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । ଜାତୀୟ ଶିକ୍ଷା ନୀତି ଅନୁସାରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରି ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ବର୍ତ୍ତମାନର ଟେକ୍ନୋଲୋଜି ଦୁନିଆ ସହ ଯୋଡ଼ିବା ଆମର ଲକ୍ଷ୍ୟ ରହିଛି ।