ଯୋଜନା ଓ ସଂଯୋଜନ ବିଭାଗ-ଟିସିଏଫ୍ ମଧ୍ୟରେ ଏମ୍ଓୟୁ: ରାଜ୍ୟରେ ବୃଦ୍ଧି ପାଇବ କର୍ମ ନିଯୁକ୍ତି
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ‘ଯୋଜନା ଓ ସଂଯୋଜନ ବିଭାଗ’ ଏବଂ ନୂଆଦିଲ୍ଲୀ ସ୍ଥିତ ‘ଦି କନଭରଜେନ୍ସ ଫାଉଣ୍ଡେସନ (ଟିସିଏଫ୍)’ ମଧ୍ୟରେ କର୍ମ ନିଯୁକ୍ତି ଏବଂ ଉତ୍ପାଦନକ୍ଷମ ରୋଜଗାର ସୃଷ୍ଟି ସଂପର୍କିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଟିସିଏଫର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶିଷ ଧାୱନଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।
ଏହି ବୁଝାମଣାପତ୍ର ଦ୍ୱାରା ଓଡ଼ିଶା ସରକାରଙ୍କ ରହିଥିବା ବିଭିନ୍ନ ବିକାଶମୂଳକ ନୀତି ଏବଂ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଦିଗରେ ରଣନୈତିକ ସହାୟତା ଉପଲବ୍ଧ ହେବ । ଯାହା ରାଜ୍ୟର ଉତ୍ପାଦନକ୍ଷମ ନିଯୁକ୍ତି ସୃଷ୍ଟି ଆଭିମୁଖ୍ୟକୁ ଫଳପ୍ରସୂ କରିବ । ଏ ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ରାଜ୍ୟର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ରୋଜଗାର ସୃଷ୍ଟି ପାଇଁ ରାଜ୍ୟ ସରକାର ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି । ଦୀର୍ଘମିଆଦୀ ନିରନ୍ତର ଅଭିବୃଦ୍ଧି ହାସଲ କରିବା ପାଇଁ ରାଜ୍ୟକୁ ତଥ୍ୟଭିତ୍ତିକ ବୈଷୟିକ ପରାମର୍ଶର ଆବଶ୍ୟକତା ରହିଛି, ଯାହା ଦ୍ୱାରା ଅଭିବୃଦ୍ଧି ପାଇଁ ଏକ ସାମଗ୍ରିକ ରୋଡ୍ ମ୍ୟାପ୍ ବିକଶିତ ହେବ ।
ଦି କନଭର୍ଜେନ୍ସ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧାୱନ କହିଥିଲେ ଯେ, ତାଙ୍କ ଅନୁଷ୍ଠାନ ଭାରତର ସାମାଜିକ-ଅର୍ଥନୈତିକ ବିକାଶର ନିର୍ଦ୍ଦିଷ୍ଟ କ୍ଷେତ୍ର ସହ ବିଦ୍ୟାଳୟ ଶିକ୍ଷା ଏବଂ ଶାସନଠାରୁ ଆରମ୍ଭ କରି ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣ ଏବଂ ରପ୍ତାନି ପ୍ରତିଯୋଗିତା ପର୍ଯ୍ୟନ୍ତ କ୍ଷେତ୍ର ଉପରେ ଗୁରୁତ୍ୱ ଦେଉଛି । ଟିସିଏଫର ସହଯୋଗୀ ଗଠନଗୁଡ଼ିକ ୧୩ରୁ ଅଧିକ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରାଳୟକୁ ସହଯୋଗିତା କରୁଛନ୍ତି । ସଂଗଠନ ଏହାର ସହଯୋଗୀ ସଂସ୍ଥା ‘ଫାଉଣ୍ଡେସନ୍ ଫର୍ ଇକୋନୋମିକ୍ ଡେଭଲପମେଣ୍ଟ ( ଏଫଇଡି)’, ଜରିଆରେ ଟେକ୍ସଟାଇଲ୍ ଓ ପୋଷାକ ଉତ୍ପାଦନ, ପର୍ଯ୍ୟଟନ ଓ ଶିଳ୍ପର ବିକାଶକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛି, ଯାହାକି ରାଜ୍ୟ ପାଇଁ ଲାଭଦାୟକ ହେବ । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ସଚିବଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ ।