ବୋମା ଫୁଟାଇ ସୁନା ଦୋକାନରୁ ଅଳଙ୍କାର ଲୁଟ୍‌

ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିଠାରେ ଥିବା ସାଇ ସୋନୁ ଅଳଙ୍କାର ଦୋକାନରୁ ରବିବାର ମଧ୍ୟାହ୍ନରେ ଲୁଟେରାମାନେ ଆସି ଦୋକାନରୁ ସର୍ବସ୍ବ ଲୁଟି ଥିବା ଜଣାପଡ଼ିଛି। ୪ଟି ପଲସର ବାଇକ୍‌ରେ ୮ ଜଣ ଦୁର୍ବୃତ୍ତ ପିସ୍ତଲ ଓ ବୋମା ଫୁଟାଇ ଭୟଭୀତ ଦୋକାନରେ ଥିବା କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ପରେ ଦୋକାନରେ ଥିବା ସମସ୍ତ ସୁନା ଅଳଙ୍କାର ଲୁଟ୍‌ ନେଇଥିବା ସୂଚନା ମିଳିଛି। ଏହି ସମୟରେ ଦୋକାନରେ ନିକଟସ୍ଥ ସରପାରୀ ଗ୍ରାମର ରାଜା ପ୍ରଧାନ ନାମକ ଜଣେ ଯୁବକ ଦୋକାନରେ ଥିବାବେଳେ ଲୁଟେରାମାନେ ତାଙ୍କ ଛାତିକୁ ଏକ ଗୁଳି ମାରିଥିବାରୁ ସେ ଗୁରୁତର ହୋଇ ପଡ଼ିଥିବାର ଜଣାପଡିଛି। ପରେ ଲୁଟେରାମାନେ ଦୋକାନ ବାହାରେ ଏକାଧିକ ବୋମା ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।ସୂଚନା ପାଇ ଘଟଣାସ୍ଥଳରେ ଜଙ୍କିଆ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି ରଖିଛନ୍ତି। ଡକାୟତମାନେ ସମ୍ପୂର୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହି ଡକାୟତି କରିଥିବା ଆଲୋଚନା ହୋଇଛି।