ପାଟ୍ରୋଲିଂ ଅଭାବରୁ ବଢ଼ୁଛି ଅସାମାଜିକ କାର୍ଯ୍ୟ
ବୈଶିଙ୍ଗା : ବୈଶିଙ୍ଗା ଥାନା ଅଞ୍ଚଳ ଏକ ଶାନ୍ତିପୂର୍ଣ୍ଣ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା । ଏବେ ସନ୍ଧ୍ୟା ପରେ ବିଭିନ୍ନ ସ୍ଥାନରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାର ଲକ୍ଷ୍ୟ କରାଯାଉଛି । ପେଶାଦାର ଅପରାଧୀମାନେ ଖଣ୍ଡା, ଭୁଜାଲି, ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରୁଥିବା ବେଳେ, ପୁଲିସ ହାତ ଖାଲି । ସେହିଭଳି ଏହି ଥାନା ଅଞ୍ଚଳରେ ବେଆଇନ ମଦ ବ୍ୟବସାୟ ଉପରେ ନିୟନ୍ତ୍ରଣ ରହୁନି । ଯୋଉଁଥିପାଇଁ ଗାଁ ଗାଁରେ ଏବେ ଚୋରା ମଦର କାରବାର ପାଇଁ ନାଁ ପୋଲିସ ନାଁ ଅବକାରୀ ବିଭାଗ କାହାରି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାର ଦେଖିବାକୁ ମିଳୁନି । ବୈଶିଙ୍ଗା ଉପକଣ୍ଠ ମହୁରୀ ଛକ ନିକଟରେ ୨ ଦିନ ପୁର୍ବରୁ ବାହାର ଜିଲ୍ଲାରୁ ଆସିଥିବା ୩ ଯୁବକ ଦୋକାନରୁ ପାନ ସିଗାରେଟ ନେବା ପରେ କୌଣସି କଥାକୁ ନେଇ ସ୍ଥାନୀୟ ଲୋକଙ୍କ ସହ ବଚସା ହୋଇଥିଲା । ପରେ ଉକ୍ତ ଯୁବକମାନେ ପଡୋଶୀ ଜିଲ୍ଲାରୁ ନିଜ ସହଯୋଗୀଙ୍କୁ ଡକାଇଥିଲେ । ସେମାନେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ଓ ମୁହଁ ଖୋଲିଲେ ଗୁଳି କରିଦେବାର ଧମକ ମଧ୍ୟ ଦେଇଥିଲେ । ଯଦିଓ ଏନେଇ ଭୟରେ କେହି ପୁଲିସ ନିକଟରେ ଲିଖିତ ଅଭିଯୋଗ କରି ନ ଥିଲେ । ସେହିପରି ୨ ମାସ ପୂର୍ବରୁ ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ଶିବରାତ୍ରି ମେଳା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି ।
ପରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର କିଛି ଲୋକ ବାଲେଶ୍ୱର ଅଞ୍ଚଳରୁ ଭଡ଼ାରେ ଗୁଣ୍ଡାଙ୍କୁ ଡକାଇ ବଡ଼ ଧରଣର ଗଣ୍ଡଗୋଳ କରିବାକୁ ଯୋଜନା କରୁଥିବା ଖବର ପାଇ ଏସ୍ଡିପିଓ ମିନତି ବିଶ୍ୱାଳ ପହଞ୍ଚô ବୁଝାସୁଝା କରିଥିଲେ । ସେହିପରି ଦେଢ଼ମାସ ପୂର୍ବରୁ ମହୁରୀ ଉପକଣ୍ଠ ଦାହିବାଡ଼ି ହାଟ ଭିତରେ ଏକ ଗୋଷ୍ଠୀ କନ୍ଦଳକୁ ନେଇ ଭୟଙ୍କର ରୂପ ଧାରଣ କରିଥିଲା ବେଳେ, ପୁଲିସ ଗୁରୁତ୍ୱ ଦେଇନଥିଲା । ମାନଗୋବିନ୍ଦପୁର ସ୍ଥିତ ହନୁମାନ ଛକ ନିକଟରେ ଦିନରେ ଏକ ପଲ୍ସରରେ ୨ ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ସହିତ ଗାଁକୁ ବୋମା ପକାଇ ଉଡାଇ ଦେବାର ଧମକ ଦେଇଥିଲେ । ଏ ବାବଦରେ ପୁଲିସକୁ ଜଣାଇଲେ ବି, ପୁଲିସ ଘଟଣାର ତଦନ୍ତ କରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିସହ ବୈଶିଙ୍ଗା ଥାନା ଅଧୀନ ସାପ୍ତାହିକ ହାଟରୁ ବାଇକ ଚୋରି, ରାତିରେ ତାଲା ଭାଙ୍ଗି ଲୋକଙ୍କ ଘରୁ ଚୋରି ଘଟଣା ନିତିଦିନିଆ ହେଲାଣି । ଅନ୍ୟପଟେ ବୈଶିଙ୍ଗା ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସୀମାବର୍ତ୍ତୀ ଅଞ୍ଚଳରେ ଏକାଧିକ ହୋଟେଲ, ଢାବା ଖୋଲା ରହୁଥିବା ସହିତ ବୈଶିଙ୍ଗା ଓ ଆଖ ପାଖ ବଜାର ଗୁଡିକରେ ରାତି ୧୦ଟା ପରେ ମଧ୍ୟ ଦୋକାନ ଖୋଲା ରହିବା ଯୋଗୁଁ ଆସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମି ରହୁଛି । ଏ ନେଇ ବେତନଟୀ ଏସ୍ଡିପିଓ ମିନତୀ ବିଶ୍ୱାଳଙ୍କ ପ୍ରତିକ୍ରିୟା ନିଆଯାଇଥିବା ବେଳେ, ସେ କହିଲେ ପୁଲିସ କର୍ମଚାରୀ ନିଅଣ୍ଟ ଥିବା ସତ୍ତ୍ୱେ ପାଟ୍ରୋଲିଂ ଚାଲିଛି । ତେବେ ବୈଶିଙ୍ଗା ଥାନା ଅଞ୍ଚଳରେ ଆଗକୁ ପାଟ୍ରୋଲିଂ କଡ଼ା କଡ଼ି କରାଯିବା ସହ ମୁଖ୍ୟତଃ ବାହାର ଜିଲ୍ଲାରୁ ଆସି ଏଠାରେ ଅସାମାଜିକ ସୃଷ୍ଟି କରୁଥିବା ଅପରାଧୀଙ୍କ ଉପରେ ନଜର ରଖାଯିବ ।