ଏମଭିଆଇଙ୍କ ପ୍ଲଟ୍ ନିଶା

ବାରିପଦା/ବୌଦ୍ଧ : କୋଟିପତି ଏମଭିଆଇଙ୍କ ପ୍ଲଟ ନିଶା । ଗୋଟିଏ କି ଦୁଇଟି ନୁହେଁ ବାରିପଦା ଓ ଏହାର ଆଖପାଖ ସହରରେ ରଖିଛନ୍ତି ୪୪ଟି ମୂଲ୍ୟବାନ ପ୍ଳଟ । ବାରିପଦା ସହର ଓ ଆଖପାଖରେ ୪୩ଟି ମୂଲ୍ୟବାନ ପ୍ଲଟ ରହିଥିବାବେଳେ ବାଲେଶ୍ୱରର ଶ୍ରୀବନ୍ତପୁରରେ ଗୋଟିଏ ପ୍ଲଟ ରହିଛି । ୩୩ଟି ପ୍ଲଟ ମିଶି ପ୍ରାୟ ୯.୫୪୨ଏକର ହେଉଥିବା ଅନୁମାନ କରାଯାଉଥିବାବେଳେ ଝିଅକୁ ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ପଢାଇଥିବା ଜାଣିବାକୁ ପାଇଛି ବାରିପଦା ଭିଜିଲାନ୍ସ ବିଭାଗ ।
ଏହାସହ ୫୦୦ ଗ୍ରାମ ସୁନା ଅଳଙ୍କାର ମଧ୍ୟରେ ୫୦ ଗ୍ରାମ ବିଶିଷ୍ଟ ଏକ ସୁନା ବିସ୍କୁଟ,୨.୫ କେଜି ଓଜନର ରୂପା ଅଳଙ୍କାର, ୧.୧୦ କୋଟିର ଜମାରାଶି ସହ ନଗଦ ଟଙ୍କା ଜବତ ହୋଇଛି । ଆଜି ବୌଦ୍ଧ ଜିଲ୍ଲାର ମୋଟର ଯାନ ନିରୀକ୍ଷକ (ଏମଭିଆଇ) ଗୋଲାପ ଚନ୍ଦ୍ର ହାଂସଦାଙ୍କ ବିରୋଧରେ ଆନୁପାତିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ଆଜି ତଦନ୍ତ ଆରମ୍ଭ ହୋଇଛି ।
ବାରିପଦାର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ ନିଦେ୍ର୍ଦଶକ୍ରମେ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଗୋଲାପଙ୍କ ସମ୍ପର୍କୀୟଙ୍କ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ କରାଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ବାରିପଦା ସହର ପ୍ରଫୁଲ୍ଲନଗରସ୍ଥିତ ହାଂସଦାଙ୍କ ବାସଭବନ, ବୌଦ୍ଧରେ ତାଙ୍କ ଭଡ଼ା ଘର, ବୌଦ୍ଧ ଆରଟିଓ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ୍ ଚାମ୍ବର, ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ ଗୁଡ଼ିଡିହା ଗାଁରେ ତାଙ୍କ ପୈତୃକ ଘର, ଭୁବନେଶ୍ୱର, ପାଣ୍ଡରାରେ ତାଙ୍କ ଝିଅଙ୍କ ଭଡ଼ାରେ ରହୁଥିବା ଫ୍ଲାଟ, ଓ ବାରିପଦାର ୱାର୍ଡ ନଂ ୨୮ର ବାଘଡିହାରେ ଥିବା ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଘର ସକାଳୁ ଚଢାଉ କରାଯାଇଥିଲା । ତଦନ୍ତ ଅବସରରେ ଶ୍ରୀ ହାଂସଦା ଏବଂ ତାଙ୍କ ପରିବାରଙ୍କ ନାମରେ ଏକ ଦୁଇ ମହଲା ବିଶିଷ୍ଟ ବିଲଡିଂ: ବାରିପଦା, ପ୍ରଫୁଲ୍ଲ ନଗରସ୍ଥିତ ପ୍ଲଟ ନଂ. ୪୫୭, ଖାତା ନଂ. ୨୦୫/୭୩୦ରେ ପ୍ରାୟ ୩୩୦୦ ବର୍ଗଫୁଟ ଆୟତନ ବିଶିଷ୍ଟ, ପ୍ରାୟ ୧୦ ଏକରର ୪୪ଟି ମୂଲ୍ୟବାନ ପ୍ଲଟ, ନଗଦ ୨ ଲକ୍ଷ ୩୮ ହଜାର ୭୨୫ ଟଙ୍କା, ବ୍ୟାଙ୍କ ଓ ଡାକଘର ୧.୧୦ ଲକ୍ଷ ଟଙ୍କା ଜମା, ପ୍ରାୟ ୫୦୦ ଗ୍ରାମ ସୁନା ଏବଂ ଦେଢକେଜି ଗ୍ରାମ ରୁପା, ଝିଅର ମେଡିକାଲ ଶିକ୍ଷା ଖର୍ଚ୍ଚ ପାଇଁ ୪୦ ଲକ୍ଷ ଟଙ୍କା ବିନିଯୋଗ ଓ ଗୋଟିଏ ହୁଣ୍ଡାଇ କ୍ରେଟା ଏବଂ ୩ଟି ଦୁଇଚକିଆ ରହିଛି । ଭିଜିଲାନ୍ସ ବିଭାଗର ଟେକ୍ନିକାଲ ଉଇଙ୍ଗ ଦ୍ୱାରା ଉକ୍ତ ବିଲଡିଂ ଓ ପ୍ଲଟଗୁଡ଼ିକର ମାପଚୁପ ଏବଂ ମୂଲ୍ୟାଙ୍କନ କାର୍ଯ୍ୟ ଚାଲିଛି । ତଦନ୍ତ ଏବେବି ଜାରି ରହିଛି ଏବଂ ଅଧିକ ତଥ୍ୟ ପ୍ରକାଶ ପାଇବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବୌଦ୍ଧରୁ ତାଙ୍କୁ ବାରିପଦାକୁ ଅଣାଯାଉଛି । ଏହିଠାରେ ଯାଞ୍ଚ ଓ ଅଧିକ ପଚରାଉଚରା କରାଯାଇ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ଇନିସପେକ୍ଟର ବିକାଶ ସ୍ୱାଇଁ କହିଛନ୍ତି ।